ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ସହଯୋଗୀ ସେକ୍ ବାବୁ ଗିରଫ

ପିସ୍ତଲ୍‌ ଓ ୬ ଅଫୁଟା ଗୁଳି ସହ ସ୍କୁଟି ଜବତ, ୨୦୧୭ରେ ମଙ୍ଗଳାବାଗ ପୁଲିସ୍ କରିଥିଲା ଏନକାଉଣ୍ଟର୍‌

କଟକ-ଜଗତପୁର : ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ଘନିଷ୍ଠ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧି ​ସେକ୍‌ ବାବୁ ଓରଫ୍‌ ବାରେନ୍‌ ବାବୁ(୩୦)କୁ ଜଗତପୁର ଥାନା ପୁଲିସ ଗିରଫ କରିଛି। କେନ୍ଦ୍ରାପଡ଼ା କେନାଲ ବନ୍ଧ ରାସ୍ତାସ୍ଥିତ ଏକ ହୋଟେଲ୍‌ ନିକଟରୁ ପୁଲିସ ତାକୁ ଗିରଫ କରିଛି। ତା’ ନିକଟରୁ ପୁଲିସ୍ ଗୋଟିଏ ୯ ଏମ୍‌ଏମ୍‌ ସ୍ୱୟଂଚାଳିତ ପିସ୍ତଲ୍‌, ୬ଟି ଅଫୁଟା ଗୁଳି ଓ ଏକ ଏକ ସ୍କୁଟି ଜବତ ହୋଇଛି। କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ବକ୍ସିବଜାର ପେନସନ୍‌ ଲେନ୍‌ର ବାବୁ ନାମରେ ଏକାଧିକ ମାମଲା ରହିଛି।

ସୂଚନା ମୁତାବକ, ଜାତୀୟ ରାଜପଥ ପାର୍ଶ୍ୱ ଏକ ହୋଟେଲ ନିକଟରେ ଗତକାଲି (ଶନିବାର) ରାତି ପ୍ରାୟ ୯ଟା ସମୟରେ ଜଣେ ଯୁବକ ସ୍କୁଟି ଧରି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ନେଇ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ତାଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରି ଉକ୍ତ ଯୁବକକୁ ଅଟକ ରଖିଥିଲା। ସେ ସେକ୍‌ ବାବୁ ବୋଲି ଜଣାପଡ଼ିଥିଲା ଓ ତଲାସି ନେ​ବା ବେଳେ ତା’ ସ୍କୁଟିରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ୍‌, ୬ଟି ଅଫୁଟା ଗୁଳି ଓ ସ୍କୁଟି ମଧ୍ୟରୁ ମିଳିଥିଲା। ଥାନା ଏସ୍‌ଆଇ ଦିଲ୍ଲୀପ କୁମାର ମହାନ୍ତିଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି। ଗ୍ୟାଙ୍ଗଷ୍ଟର୍‌ ସକିଲ୍‌ର ଅନ୍ୟତମ ପ୍ରମୁଖ ସହଯୋଗୀ ବାବୁ ନାମରେ ବିଭିନ୍ନ ଥାନାରେ ୨୧ଟି ମାମଲା ରହିଥିବା ବେଳେ ୨୦୧୭ ମସିହାରେ ମଙ୍ଗଳାବାଗ ଥାନା ପକ୍ଷରୁ ତାକୁ ଏନକାଉଣ୍ଟର୍‌ କରାଯାଇଥିଲା। ଏଏସ୍‌ଆଇ ନରେନ୍ଦ୍ର କୁମାର ପରିଡା ଏହି ମାମଲାର ତଦନ୍ତ କରୁଥିବା ବେଳେ ଆଜି ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର