ଚାଲିଗଲେ ଚିର ସବୁଜ ସ୍ବରୂପ ନାୟକ

କଟକ: ‘‘ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା….’’, ‘‘ଏ ଅଗଣା, ଏ ଘର, ଏ ଦାଣ୍ଡ ଦୁଆର…’’, ‘‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…’’, ‘‘ଶାଶୂଘର ଚାଲିଯିବି…’’, ‘‘ଓଡ଼ିଶା ମୋ ଓଡ଼ିଶା…’’, ‘‘କଳିଯୁଗ କୃଷ୍ଣ ମୁଁ ‌ତୁ ମୋ ହିରୋଇନ୍…’’, ‘‘ପାନ ଗୁ୍ଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି…’’ ଭଳି ଚିରସବୁଜ, ସୁପରହିଟ୍ ଗୀତର ସ୍ରଷ୍ଟା, ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ, ଅଭିନେତା ସ୍ବରୂପ ନାୟକ ଆଉ ନାହାନ୍ତି। ଆଜି ଅପରାହ୍‌ଣ ୨ଟା ୪୫ରେ ତାଙ୍କର ପ‌ରଲୋକ ଘଟିଛି। ଶ୍ରୀ ନାୟକ ଫୁସ୍‌ଫୁସ୍ କର୍କଟରେ ଆକ୍ରାନ୍ତ ‌ହୋଇ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୭୮ବର୍ଷ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ କଟକ ସିଡିଏ ସେକ୍ଟର-୮ସ୍ଥିତ ବାସଭବନରେ ‌ଶେଷଦର୍ଶନ ପାଇଁ ରଖାଯାଇଥିଲା। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ନିହାରିକା ନାୟକ, ବଡ଼ ଝିଅ ଡାକ୍ତର ନିବୃତ୍ତି ନାୟକ, ସାନଭାଇ ‌ସୌମିତ୍ର ନାୟକ, ସୌମେନ୍ଦ୍ର ନାୟକ, ପୁତୁରା ପାର୍ଥ ନାୟକ, ହିମାଂଶୁ ନାୟକଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଆସନ୍ତାକାଲି ରାଜ୍ୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ପରଲୋକ ଖବର ପାଇ ସ୍ବର୍ଗତ ନାୟକଙ୍କ ବାଲ୍ୟବନ୍ଧୁ ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ତଥା ସାଂସଦ ପ୍ରଶାନ୍ତ ନନ୍ଦ, କଟକ ମେୟର ସୁବାସ ଚନ୍ଦ୍ର ସିଂହ, ନିର୍ଦ୍ଦେଶକ ବସନ୍ତ ସାହୁ, ଅଭିନେତା ଶ୍ରୀତମ ଦାସ, ହୋମ୍‌ ଭିଡିଓର ପ୍ରତିଷ୍ଠାତା ବାପୁ ଲେଙ୍କା, ଗୀତିକାର ଅରୁଣ ମନ୍ତ୍ରୀଙ୍କ ସମେତ ବହୁ ଅଭିନେତା, ଅଭିନେତ୍ରୀ ତାଙ୍କର ‌ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟ ବାହାରେ ରହୁଥିବା ସ୍ବର୍ଗତ ନାୟକଙ୍କ ସ‌ାନ ଝିଅ ନିଦ୍ରା ନାୟକ ଆସିବା ପରେ ଶନିବାର ସକାଳେ ସତୀଚଉରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ବରୂପ ନାୟକ ଥିଲେ ସର୍ବଦା ହସହସ, ସରଳ ଆଉ ଅମାୟିକ ବ୍ୟବହାର ସମ୍ପନ୍ନ।

୧୯୪୬ ମସିହା ଫେବ୍ରୁଆରି ୮ତାରିଖରେ କଟକର କାଫ୍‌ଲାବଜାରରେ ‌ଶ୍ରୀ ନାୟକ ଜନ୍ମଗ୍ରହଣ କରିଥିଲେ। ବାପା ବାସୁଦେବ ନାୟକ ଥି‌ଲେ ଚାନ୍ଦିନୀଚୌକସ୍ଥିତ ମନମୋହନ ପ୍ରେସ୍‌ର ମ୍ୟାନେଜର ଓ ମା’ ସେବତୀ ନାୟକ ଥିଲେ ଗୃହିଣୀ। ତାଙ୍କର ୪ ଭଉଣୀ ଓ ୪ ଭାଇ ମଧ୍ୟରୁ ସ୍ବରୂପ ନାୟକ ଥିଲେ ସର୍ବକନିଷ୍ଠ। ତାଙ୍କ ଭଉଣୀ ତଥା ବିଶିଷ୍ଟ ଅଭ‌ିନେତ୍ରୀ ପାର୍ବତୀ ଘୋଷଙ୍କ ସଫଳତା ପଛରେ ସ୍ବରୂପଙ୍କ ସ୍ବାକ୍ଷର ରହିଥିବା କୁହାଯାଏ। ପିଲାଟି ଦିନରୁ ଅଭିନୟ ଓ ସଂଗୀତ ପ୍ରତି ରୁଚି ରଖିଥିବା ସ୍ବରୂପ ସ୍କୁଲ ଛାତ୍ର ଥିବା ବେଳେ ଆକାଶବାଣୀର ସ୍ବୀକୃତିପ୍ରାପ୍ତ କଳାକାର ଥିଲେ। ‘ଜୟଦେବ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ ଜୀବନ ଆରମ୍ଭ କରିଥିବା ସ୍ବରୂପ ନାୟକ ‘କଳାମାଣିକ’, ‘ଜଗାବଳିଆ’, ‘ଡୋରା’, ‘ହୀରାନୀଳା’, ‘ସପନ ବଣିକ’, ‘କଣ୍ଢେଇ ଆଖିରେ ଲୁହ’, ‘ସତୀ ଅନସୂୟା’, ‘ସୁନା ସଂସାର’ ଓ ‘ଯଶୋଦା’ ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନ‌ୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ। ପ୍ରଶାନ୍ତ ନନ୍ଦଙ୍କ ଡାକରାରେ ତାଙ୍କ ନିର୍ଦ୍ଦେଶିତ ‘ହୀରାନିଳା’ ଚଳଚ୍ଚିତ୍ରରେ ପ୍ରଥମ କରି ସଂଗୀତ ନିର୍ଦ୍ଦେଶନା ଦେଇ ସଂଗୀତ ନିର୍ଦ୍ଦେଶକ ଭାବେ ଅଜସ୍ର ଲୋକପ୍ରିୟତା ସାଉଣ୍ଟିଥିଲେ। ପରେ ସେ ପଛକୁ ପଛ ‘ଲାଲପାନ ବିବି’, ‘ବଗୁଲା ବଗୁଲି’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଯଶୋଦା’, ‘କୃଷ୍ଣା କାବେରୀ’, ‘ଶେଷ ପ୍ରତୀକ୍ଷା’, ‘କି ହେବ ଶୁଆ ପୋଷିଲେ’, ‘ସୁଭଦ୍ରା’, ‘ସକଳ ତୀର୍ଥ ତୋ ଚରଣେ’, ‘ଉଦଣ୍ଡୀ ସୀତା’, ‘ପଞ୍ଜୁରୀ ଭିତରେ ଶାରୀ’, ‘ମୋ କୋଳ ତୋ ଝୁଲଣା’, ‘ଏ ଯୁଗର କୃଷ୍ଣ ସୁଦାମା’, ‘ଆଇ ଲଭ ୟୁ’, ‘ଅର୍ଜୁନ’, ‘ପ୍ରେମୀ ନମ୍ବର ଓ୍ୱାନ’, ‘ଶାଶୂ ଘର ଚାଲିଯିବି’, ‘ପ୍ରେମ ଋତୁ ଆସିଲାରେ’, ‘ପ୍ରଥମ ପ୍ରେମ’, ‘ମୁଁ ତତେ ଲଭ୍‌ କରୁଚି’, ‘ରୋମିଓ ଦି ଲଭର ବୟ’ ଆଦିରେ ସଂଗୀତ ନିର୍ଦ୍ଦେଶନା ଦେଇ ଓଡ଼ିଶାର ଘରେ ଘରେ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକର ପରିଚୟ ସୃ୍ଷ୍ଟି କରିଥିଲେ। ତାଙ୍କର ସ୍ବତନ୍ତ୍ରତା ‌ହେଉଛି ସେ ୨୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଗୀତିକାର ଭାବେ ୮ଟି ଲେଖାଏଁ ଗୀତ ରଚନା କରିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଏହା ସହିତ ଅତ୍ୟନ୍ତ ମନଛୁଆଁ ଆଉ ଲୋକପ୍ରିୟ ଗୀତ ‘‘ଓଡ଼ିଶା ମୋ ଓଡ଼ିଶା, କେଡ଼େ ସୁନ୍ଦର ରାଇଜ ମୋର କେଡେ ମିଠା ମୋ ଭାଷା…’’ ହେଉଛି ସ୍ବରୂପ ନାୟକଙ୍କ ଅବଦାନ। ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ସଂଗୀତ ନିର୍ଦ୍ଦେଶକ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ।

ଶ୍ରୀ ନାୟକଙ୍କ ଅନ୍ୟତମ ପରଚୟ ହେଉଛି ତାଙ୍କର ଅଭିନୟ। ସେ ହାସ୍ୟ ଅଭିନେତା, ଖଳନାୟକ, ଚରିତ୍ର ଅଭିନେତା ଭାବେ ନିଖୁଣ ଅଭିନୟ କରିପାରୁଥିଲେ। ‌ଦୂରଦର୍ଶନରେ ଚକୁଳିଆ ପଣ୍ଡା ଅଭିନୟ କରି ସେ ବିଭିନ୍ନ ସଚେତନତାର ବାର୍ତ୍ତା ଦେଇ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ସେହିପରି ଭଜନ, ଦେଶାତ୍ମବୋଧକ ଗୀତ, ପ୍ରେମଗୀତ, ଆଧୁନିକ ଗୀତ ଆଦି ସବୁ ବିଭାଗରେ ସେ ଗୀତ ସୃ୍‌ଷ୍ଟି କରିଛନ୍ତି। ୫୦ରୁ ଅଧିକ ଚିଳଚ୍ଚିତ୍ର ଏବଂ ୧୦୦ରୁ ଅଧିକ ଆଲ୍‌ବମରେ ସଂଗୀତ ନିର୍ଦ୍ଦେଶନା ସେ ଦେଇଥିଲେ। ସାଂସ୍କୃତିକ ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସେ ତିନିରୁ ଅଧିକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିଲେ। କଣ୍ଠଶିଳ୍ପୀ ଟି. ସୌରୀ, ଇରା ମହାନ୍ତି, ତପୁ ମିଶ୍ର, କୁମାର ବାପି, ପମି ମିଶ୍ର, ସୁଜିତ ଭୋଇ, ଶୈଳଭାମା, ଶ୍ରୀକାନ୍ତ ଦାସ, ଶୁଭାଶିଷ ମହାକୁଳଙ୍କ ଭଳି ପ୍ରତିଭାବାନ କଣ୍ଠଶିଳ୍ପୀଙ୍କୁ ଚଳଚ୍ଚିତ୍ର ଜଗତକୁ ଆଣିବାରେ ସ୍ବର୍ଗତ ନାୟକଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କ ବଡ଼ ଭଉଣୀ ପାର୍ବତୀ ଘୋଷ ଜଣାଶୁଣା ଅଭିନେତ୍ରୀ, ନିର୍ମାତା ଓ ନିର୍ଦ୍ଦେଶିକା ହୋଇଥିବା ବେଳେ ବଡ଼ ଭାଇ ସାରଦା ପ୍ରସନ୍ନ ନାୟକ ଜଣେ ପ୍ରତିଷ୍ଠିତ ଗୀତିକାର। ଉଭୟ ବଡ଼ଭାଇ ଓ ଭଉଣୀ ରାଜ୍ୟ ସରକାରଙ୍କର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ଲାଭ କରିଛନ୍ତି। ଶ୍ରୀ ନାୟକଙ୍କ ବିୟୋଗରେ ତାଙ୍କ ପୈତୃକ ଗ୍ରାମ କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ଧୂଳେଶ୍ବର ଗ୍ରାମରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର