ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି: ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଲାଇନ୍‌ଚ୍ୟୁତ, ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପ୍ରଭାବିତ

କୋରାପୁଟ: ପୁଣି ଟ୍ରାକ୍‌ରୁ ଖସିଲା ମାଲଗାଡ଼ି। ଲୁହାଗୁଣ୍ଡ ବୋଝେଇ ୬ଟି ୱାଗନ ଖସିଛି। କେକେ ରେଳପଥରେ ଆଜି ଏହି ଘଟଣା ଘଟିଛି। କିରଣ୍ଡଲରୁ ବିଶାଖାପାଟଣା ଯାଉଥିଲା ମାଲଗାଡି। ହେଲେ ଆନ୍ଧ୍ରପଦେଶର ଆରକୁ ଠାରୁ ଅଳ୍ପ ଦୂର ଆଗକୁ ବୋଦାଭରା ନିକଟରେ ମାଲଗାଡ଼ି ଟ୍ରାକ୍‌ରୁ ଖସିପଡ଼ିଛି। ମାଲଗାଡ଼ି ଖସିବାରୁ ଆରକୁ ନିକଟ ଚିମିଡ଼ିପାଲିରେ ବିଶାଖାପାଟଣା-କିରଣ୍ଡୁଲ ପାସିଞ୍ଜେର ଟ୍ରେନ୍‌ ଅଟକିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ନେଇ ପୂର୍ବତନ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ୍‌ ଅନୁପ ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହିତ ଶ୍ରୀ ଶତପଥୀ ଘଟଣାସ୍ଥଳ ଅଭିମୁଖେ ବାହାରିଛନ୍ତି।

ମାଲଗାଡ଼ି ଲାଇନ୍‌ଚ୍ୟୁତ ହେବା ପରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଟ୍ରେନ୍‌ ନମ୍ବର ୧୮୫୧୪ ବିଶାଖାପାଟନମ୍‌-କିରଣ୍ଡୁଲ ଏକ୍ସପ୍ରେସ୍‌ ଆଜି ବାତିଲ ହୋଇଛି। ସେହିପରି ଟ୍ରେନ୍‌ ନମ୍ବର ୧୮୫୧୩ କିରଣ୍ଡୁଲ-ବିଶାଖାପାଟନମ ଏକ୍ସପ୍ରେସ କିରଣ୍ଡୁଲରୁ ବାହାରି ଭାୟା କୋରାପୁଟ, ରାୟଗଡ଼ାରୁ ଫେରିବ। ଟ୍ରେନ୍‌ ନମ୍ବର ୧୮୫୧୩ କିରଣ୍ଡୁଲ-ବିଶାଖାପାଟନମ ଏକ୍ସପ୍ରେସ୍‌ କିରଣ୍ଡୁଲରୁ ୨୦୨୩ ଜୁନ ୧୯ରେ ବାତିଲ କରାଯାଇଛି।

ସୂଚନାଯୋଗ୍ୟ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବିଗତ କିଛି ଦିନ ହେଲା ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟୁଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣା ପରେ ଅନେକ ମାଲଗାଡ଼ି ରେଳଧାରଣାରୁ ଖସିପଡ଼ିଛି।

ସମ୍ବନ୍ଧିତ ଖବର