ମହାପ୍ରଭୁଙ୍କ ୨୬ ହଜାର ଏକର ଜମି ହଡ଼ପ: ମୋଟ ୬୦ହଜାର ଏକରରୁ ରାଜ୍ୟ ବାହାରେ ୩୯୫ ଏକର

ରାଜ୍ୟର ୨୪ ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥଙ୍କ ବାକି ଜମି, ରେକର୍ଡ ନାହିଁ; ଜମିର ଡିଜିଟାଇଜେସନ୍ କରାଯିବ କେମିତି?

ପୁରୀ: ମହାପ୍ରଭୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ୍‌ ହେବ। ରାଜ୍ୟ ସରକାରଙ୍କ ପ୍ରଯୁକ୍ତି ବିଜ୍ଞାନ ବିଭାଗ ଅଧୀନରେ ଥିବା ଓର୍‌ସାକ୍‌‌ ଏହାର ଡାଟାବେସ୍‌ ପ୍ରସ୍ତୁତ କରିବ। ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟିର ଗତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କିନ୍ତୁ ଯେଉଁ କଥାଟି ଏବେ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଆନ୍ଦୋଳିତ କରୁଛି ତାହା ହେଲା- ଯେଉଁ ଜମିର ଡିଜିଟାଇଜେସନ୍‌ କରିବା କଥା ପରିଚାଳନା କମିଟି ନିଷ୍ପତ୍ତି ନେଇଛି, ତାର ସମ୍ପୂର୍ଣ୍ଣ ତଥ୍ୟ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ରାଜ୍ୟ ଓ ରାଜ୍ୟ ବାହାରେ ମିଶି ମହାପ୍ରଭୁଙ୍କ ନାଁରେ ସମୁଦାୟ ୬୦ହଜାର ଏକର ଜମି ରହିଥିବାବେଳେ ମାତ୍ର ୩୪ହଜାର ଏକର ଜମିର ରେକର୍ଡ ଖୋଜି ବାହାର କରିପାରିଛି ଶ୍ରୀମନ୍ଦିର ପ୍ରଶାସନ। ଅର୍ଥାତ୍‌ ପ୍ରାୟ ୨୬ ହଜାର ଏକର ଜମିର ତଥ୍ୟ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ମହାପ୍ରଭୁଙ୍କ ଏହି ଜମି କାହା ଭୋଗ ଦଖଲରେ ଅଛି, ଏଠାରୁ ବର୍ଷକୁ ବର୍ଷ ଆସୁଥିବା ପ୍ରାପ୍ୟ ସଂପୃକ୍ତ ପ୍ରଜା ଖାଉଛନ୍ତି କି ଆଉ କେଉଁ ବଡ଼ବଡ଼ିଆଙ୍କ ପକେଟ୍‌କୁ ଯାଉଛି, ଏ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି। ସୁତରାଂ, ଡିଜିଟାଇଜେସନ୍‌ ଲକ୍ଷ୍ୟ କିଭଳି ଫଳପ୍ରସୁ ହେବ, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

୨୦୧୮ରେ ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ଜମିଜମା ସମ୍ପର୍କିତ ରିପୋର୍ଟ ମାଗିଥିଲେ। ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନାମରେ ୬୦,୪୨୬.୯୪୩ ଏକର ଜମି ଥିବା ଦର୍ଶାଇଥିଲା। କିନ୍ତୁ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିରୁ ମାତ୍ର ୩୪,୨୦୦.୯୭୬ ଏକର ଜମିର ସ୍ବତ୍ବ (ରେକର୍ଡ ଅଫ୍‌ ରାଇଟ୍‌ସ) ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ପ୍ରଶାସନ ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ। ଏହି ସୂଚନା ପରେ ସୁପ୍ରିମ‌କୋର୍ଟ ବାକି ଜମିର ରେକର୍ଡ ପ୍ରମାଣପତ୍ର ୬ ମାସ ଭିତରେ ଜମା ଦେବାକୁ କହିଥିଲେ। କିନ୍ତୁ ବାକି ଜମିର ସ୍ଥିତାବସ୍ଥା ସମ୍ପର୍କରେ ଅଦ୍ୟାବଧି ସୁପ୍ରିମକୋର୍ଟଙ୍କୁ ସୂଚନା ପ୍ରଦାନ କରାଯାଇନାହିଁ। ସେପଟେ ରାଜସ୍ବ ବିଭାଗ ଓ ଆଇନ ବିଭାଗର ମନ୍ଥରତା ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶର ୪ ବର୍ଷ ପରେ ମାତ୍ର ୬ଶହ ଏକର ଜମିର ରେକର୍ଡ ଖୋଜି ବାହାର କରିପାରିଛି ଶ୍ରୀମନ୍ଦିର ପ୍ରଶାସନ।

ମୋଟ ୬୦ହଜାର ଏକରରୁ ରାଜ୍ୟ ବାହାରେ ୩୯୫ ଏକର
ରାଜ୍ୟର ୨୪ ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥଙ୍କ ବାକି ଜମି
ରେକର୍ଡ ନାହିଁ; ଜମିର ଡିଜିଟାଇଜେସନ୍ କରାଯିବ କେମିତି?
ମହାପ୍ରଭୁଙ୍କ ନାମରେ ରହିଛି ୩୮ଟି ବ୍ୟାଙ୍କ ଆକାଉଣ୍ଟ

ସୂଚନ‌ା ଅଧିକାର ବଳରେ ମିଳିଥିବା ସୂଚନା ମୁତାବକ, ମହାପ୍ରଭୁଙ୍କ ନାଁରେ ବିଭିନ୍ନ କିସମର ୬୦,୪୨୬.୯୪୩ ଜମି ରହିଥିବାବେଳେ ଏଥିରୁ ଓଡ଼ିଶାର ୨୪ଟି ଜିଲ୍ଲାରେ ୬୦,୦୩୧.୯୪୩ ଏକର ଜମି ରହିଛି। ଦେଶର ଅନ୍ୟ ୬ଟି ରାଜ୍ୟରେ ୩୯୫.୨୫୨ ଏକର ଜମି ରହିଛି। ୬ଟି ରାଜ୍ୟରେ ଚିହ୍ନଟ ଜମିରୁ ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨.୯୩୦ ଏକର ଜମି ଚିହ୍ନଟ ହୋଇଛି। ସେହିଭଳି ମହାରାଷ୍ଟରେ ୨୮.୨୧୮ ଏକର, ମଧ୍ୟପ୍ରଦେଶରେ ୨୫.୧୧୦ ଏକର, ଆନ୍ଧ୍ରପ୍ରଦେଶରେ ୧୭.୦୨୦ ଏକର, ଛତିଶଗଡ଼ରେ ୧.୭୦୦ ଏକର ଓ ବିହାରରେ ୦.୨୭୪ ଏକର ଜମି ରହିଛି। ଅନ୍ୟପକ୍ଷରେ ରାଜ୍ୟ ଭିତରେ ଚିହ୍ନଟ ଜମିରୁ ଖୋର୍ଦ୍ଧା ଜିଲ୍ଲାରେ ୫୮୨.୨୫୫ ଏକର ଜମି ରହିଛି। ଯାହା ଓଡ଼ିଶା କାଜୁ ଉନ୍ନୟନ ନିଗମକୁ ଲିଜ୍‌ ଆକାରରେ ପ୍ରଦାନ କରାଯାଇଛି।

ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପରିଚାଳନା କମିଟି ମହାପ୍ରଭୁଙ୍କ ଜମିର ଡିଜିଟାଇଜେସନ୍‌ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭି ଭି ଯାଦବ କହିଛନ୍ତି, ଆମେ ଜମିଜମାର ଡିଜିଟାଇଜେସନ୍‌ ପାଇଁ ଓର୍‌ସାକ୍‌କୁ ପ୍ରସ୍ତାବ ଦେଇଛୁ। ଓର୍‌ସାକ୍‌ ଆମକୁ ଡିପିଆର୍‌ ଦେବା ପରେ ସେହି ଅନୁଯାୟୀ ସ୍ବତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ ହେବ, ଯେଉଁଥିରେ ମହାପ୍ରଭୁଙ୍କ ସମସ୍ତ ଜମିର ରେକର୍ଡ ରହିବ। କିନ୍ତୁ ଯେଉଁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହାପ୍ରଭୁଙ୍କ ଜମିର ସମ୍ପର୍ଣ୍ଣ ରେକର୍ଡ ନାହିଁ, ସେଠି କିଭଳି ଏହି ଯୋଜନା କାର୍ଯ୍ୟକାରୀ କେମିତି ହେବ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ଏଠାରେ ଉଲ୍ଲେଖଥାଉକି, ଶ୍ରୀମନ୍ଦିରର ବିଭିନ୍ନ ବ୍ୟାଙ୍କରେ ୩୮ଟି ଆକାଉଣ୍ଟ ରହିଥିବା ସୂଚନା ଅଧିକାର ବଳରେ ତଥ୍ୟ ମିଳିଛି। ମିଳିଥିବା ସୂଚନା ମୁତାବକ, ୩୮ଟି ବ୍ୟାଙ୍କ ଆକାଉଣ୍ଟରୁ ୩୩ଟି ଆକାଉଣ୍ଟ ପୁରୀର ବିଭିନ୍ନ ବ୍ୟାଙ୍କରେ ଖୋଲାଯାଇଛି। ଗୋଟିଏ ଆକାଉଣ୍ଟ ଭୁବନେଶ୍ବର ଓ ଅନ୍ୟ ଗୋଟିଏ ଆକାଉଣ୍ଟ ଜଟଣୀରେ ରହିଛି। ଯେଉଁଥିରୁ ୨୬ଟି ଆକାଉଣ୍ଟ ଦାନ ଗ୍ରହଣ ପାଇଁ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର