ସଫଳତା ପାଇଁ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଆବଶ୍ୟକ: ମନ୍ତ୍ରୀ

ମାଲକାନଗିରିରେ ନୂଆ-ଓ କାର୍ଯ୍ୟକ୍ରମ 

ମାଲକାନଗିରି: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ହେଉଛି ପ୍ରକୃତ ମଞ୍ଚ। ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପରିକଳ୍ପନା ଯେଉଁଥିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇ ପରିପ୍ରକାଶ ହୋଇପାରିବ। ସଂସ୍କୃତି, କ୍ରୀଡା ଓ ସମାଜସେବା ମାଧ୍ୟମରେ ଯୁବଶକ୍ତି ନୂଆ ଓଡ଼ିଶା, ବିକଶିତ ଓଡ଼ିଶା ଓ ସମ୍ପୂର୍ଣ୍ଣ ଓଡ଼ିଶା ଗଠନ ହେବ। ଏହା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଶକ୍ତିର ଆବଶ୍ୟକ ରହିଥିବା ନେଇ ଯୁବ ସେବା ଓ କ୍ରୀଡା, ଆଇଟି ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି। ମାଲକାନଗିରି ଷ୍ଟାଡିୟମ ଠାରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଶ୍ରୀ ବେହେରା ଯୋଗ ଦେଇ କହିଛନ୍ତି ଯେ, ଯୁବଶକ୍ତି ହେଉଛନ୍ତି ନୂଆ ଓଡ଼ିଶାର ବିଶ୍ଵକର୍ମା। ସଫଳତା ପାଇବା ପାଇଁ ବାରମ୍ବାର ଚେଷ୍ଟା କରିବାକୁ ପଡିବ, ମଇଦାନ ଛାଡି କେବେ ଗଲେ ହେବ ନାହିଁ, ହାର ନ ମାନିଲେ ଆଗକୁ ନିଶ୍ଚୟ ସଫଳତା ପାଇବ ବୋଲି ପ୍ରକାଶ କରିଛନ୍ତି।

ଏଥିରେ ସମ୍ମାନିତ ଅତିଥି ଭାବେ ରାଜସ୍ବ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇ କହିଛନ୍ତି ଯେ, ବଡ ହେବା ପାଇଁ ନିଜ ଭିତରେ ଆତ୍ମବିଶ୍ବାସ ରହିବା ଆବଶ୍ୟକ ରହିଛି, ଯଦ୍ବାରା ଦୃଢ଼ ସଙ୍କଳ୍ପ ରଖି ଆଗକୁ କାର୍ଯ୍ୟକରିବାକୁ ପଡିବ ବୋଲି କହିଛନ୍ତି। ମାଲକାନଗିରି ଜିଲ୍ଲାଙ୍କୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ବହୁ ଯୋଜନା ଶୁଭାରମ୍ଭ କରିଛନ୍ତି। ଆଗକୁ ଆକାଶପଥରେ ଯୋଡିବା ପାଇଁ ମାଲକାନଗିରିକୁ ବିମାନସେବା ଆରମ୍ଭ ହେବ ବୋଲି ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ କହିଛନ୍ତି। ଏଥିରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝୀ ଯୋଗ ଦେଇ କହିଛନ୍ତି ଯେ, ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଆପଣଙ୍କ ମଧ୍ୟରୁ ଆଗାମୀ ଦିନରେ କିଏ ରାଜନେତା, ଅଫିସର ଓ ଉଦ୍ୟୋଗୀ ହେବେ, ଆପଣଙ୍କ ଉପରେ ଓଡିଶାର ଦାୟିତ୍ବ ନ୍ୟସ୍ତ ରହିବ। ରାଜ୍ୟ ସରକାର ମାଲକାନକଗିରି ଜିଲ୍ଲାରେ ଗମନାଗମ ଠାରୁ ଆରମ୍ଭ କରି ଜଳସେଚନ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛନ୍ତି। ଭାରତବର୍ଷରେ ଓଡିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଗଣିତ ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି। ଏଥିରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି ଜିଲ୍ଲା ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲାପାଳ ବିଶାଲ ସିଂ ଓ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନି ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ୫ଟି ଓ  ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପଣ୍ଡିଆନଙ୍କ ଭିଡିଓ ବାର୍ତ୍ତାକୁ ପ୍ରଦର୍ଶନ କରଯାଇଥିଲା।

ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୨ ଗୋଟି ମହାବିଦ୍ୟାଳୟରୁ ପ୍ରାୟ ୧୪ ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉତ୍ସବକୁ  ଆକର୍ଷଣୀୟ କରିବା ପାଇଁ ଓଲିଉଡ ଗାୟକ କୁଲଦୀପ ପଟ୍ଟନାୟକ ଓ ରହନ ବିଶ୍ଵାଳ, ହରିହର ଦାସ ଗ୍ରୁପ୍ ଓ କଳ୍କୀ ରାପରଙ୍କ ସଙ୍ଗୀତ ଓ ନୃତ୍ୟରେ ତାଳେତାଳେ ଛାତ୍ରଛାତ୍ରୀମାନେ ଝୁମିଥିଲେ। ଏ.ଆର. ଆରାଧନା ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତ୍ରିନାଥ ମାଝୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ,  ଉପଜିଲ୍ଲାପାଳ ଡ. ଅକ୍ଷୟ କୁମାର ଖେମୁଣ୍ଡୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ ସହଯୋଗ କରିଥିଲେ। ଜିଲ୍ଲାପରିଷଦ ପ୍ରୋଗ୍ରାମ ମାନେଜର ମାନସ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି, ଅଧ୍ୟାପକ ଡ. ରଞ୍ଜନ ସ୍ବାଇଁଙ୍କ ସମେତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ଅଧିକାରୀ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର