ବେଆଇନ ବନ୍ଧୁକ କାରଖାନା ଠାବ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ପୁଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଜଙ୍କିଆ ଥାନା ଅନ୍ତର୍ଗତ ଡମଣଭୂଇଁଠାରେ ଏକ ପରିତ୍ୟକ୍ତ ଘରେ ଚାଲୁଥିବା ବେଆଇନ ବନ୍ଧୁକ କାରଖାନା ଉପରେ ଚଢ଼ଉ କରି ୨ ପେସାଦାର ଅପରାଧୀଙ୍କୁ ଗିରଫ କରିଛି। ଏଥିସହ; ୩ଟି ବନ୍ଧୁକ, ଅଫୁଟାଗୁଳି, ବିସ୍ଫୋରକ ଓ ବନ୍ଧୁକ ନିର୍ମାଣ ସାମଗ୍ରୀ ଆଦି ପୁଲିସ ଜବତ କରିଛି।

ଆଜି ଅପରାହ୍ନରେ ଖୋର୍ଦ୍ଧା ସଦର ଥାନାରେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ପି ଅଲେଖ ପହି। ସେ କହିଛନ୍ତି ଯେ, ୨୬ ତାରିଖ ସଂଧ୍ୟାରେ ଜଙ୍କିଆ ଥାନା ଅନ୍ତର୍ଗତ ଖଜୁରିଆ ମୌଜାରେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ଘରେ ବେଆଇନ ବନ୍ଧୁକ କାରଖାନା ଚାଲୁଥିବା ସୂଚନା ମିଳିଥିଲା। ଏହାପରେ ଏକ ଟିମ୍ ଗଠନ କରାଯାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ବାଣପୁର ନରଣଦେଈପୁରର ଦିଲୀପ କୁମାର ଦାସ ଓରଫ କାର୍ତ୍ତିକ ଦାସ ଓରଫ ବିଦେଶୀ (୨୭) ଓ ଗଞ୍ଜାମ ଜିଲ୍ଲା ଖଲିକୋଟ ଲଙ୍ଗଳେଶ୍ବରର ତ୍ରିଲୋଚନ ବେହେରା ଓରଫ ଟିନା ଓରଫ ଟୁଲୁ (୩୬)କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୩ଟି ହାତ ତିଆରି ଦେଶୀ କାଟା (ବନ୍ଧୁକ), ୧୨ଏମ୍ଏମ୍‌ର ୬ଟି ଅଫୁଟା ଗୁଳି, ୨୦୦ ଗ୍ରାମ ଗନ୍ ପାଉଡର ଓ ବନ୍ଧୁକ ନିର୍ମାଣ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି।

ସମ୍ବନ୍ଧିତ ଖବର