ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର: ବିଜେପି

ସମବାୟ ବ୍ୟାଙ୍କ ଏମ୍‌ଡିଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅବୈଧ ପ୍ରସଙ୍ଗ

ଭୁବନେଶ୍ୱର : ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କୁ ଅବସର ପରେ ପୁନଃନିଯୁକ୍ତି ଦିଆଯିବାକୁ ହାଇକୋର୍ଟ ଅବୈଧ ‌କଲା ପରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା‌ କରିଛି ବିଜେପି। ଦଳ ପକ୍ଷରୁ କୁହାଯାଇଛି ଯେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ସମୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମା ଅତିକ୍ରମ କରିସାରିଛି। ସରକାରୀ ବିଧି ବ୍ୟବସ୍ଥାକୁ ନ ମାନି ଦଳୀୟ ସ୍ୱାର୍ଥ ପାଇଁ ବାରମ୍ବାର ଅନେକ ଜନବିରୋଧୀ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର। ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀ ଶତପଥୀଙ୍କ ନିଯୁକ୍ତି ତାହାର ଏକ ବଡ଼ ଉଦାହରଣ।

ସମବାୟ ଦୁର୍ନୀତିର ଅଭିଯୁକ୍ତଙ୍କୁ ଅନୈତିକ ଭାବେ ନିଯୁକ୍ତି ଦେବା ପଛରେ ମନ୍ଦ ଆଭିମୁଖ୍ୟ ସ୍ପଷ୍ଟ

ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାଶ କହିଛନ୍ତି ଯେ ଶ୍ରୀ ଶତପଥୀ ସରକାରୀ ଚାକିରିରୁ ଅବସର ନେବା ପରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିନା ଅନୁମତିରେ ଗତ ବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ପୁନଃନିଯୁକ୍ତି କରିଥିଲେ, ଯାହାକି ରାଜ୍ୟ ସମବାୟ ଆଇନ ସମ୍ମତ ନୁହେଁ। ଆହୁରି ମଧ୍ୟ ସୁନ୍ଦରଗଡ଼ ସମବା‌ୟ ବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସମବାୟ ଦୁର୍ନୀତିରେ ସଂପୃକ୍ତିର ଅଭିଯୋଗ ଶ୍ରୀ ଶତପଥୀଙ୍କ ନାମରେ ରହିଛି। ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ହେଉଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ନିଜ ଶାସନ କାଳରେ ହୋଇଥିବା ବିଭିନ୍ନ ସମବାୟ ବ୍ୟାଙ୍କ ଦୁର୍ନୀତିକୁ ଲୁଚାଇବା ପାଇଁ ସେହି ଦୁର୍ନୀତିରେ ଅଭିଯୁକ୍ତଙ୍କୁ ଦାୟିତ୍ୱ ଦେବାର ଚକ୍ରାନ୍ତ କରୁଥିଲେ ରାଜ୍ୟ ସରକାର। ‘ଆଇନ୍ ତା ବାଟରେ ଯିବ’ ବୋଲି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ କେବଳ ଏକ ଧୂଆଁବାଣ। ‘ଚୋର ହାତରେ ଚାବି’ ଭଳି ଜଣେ ଅଭିଯୁକ୍ତଙ୍କ ହାତରେ ଭଣ୍ଡାର ଘରର ଚାବି ଦେଇ ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିଜେଡି ସରକାରର ଅସଲି ମୁଖା ମୁଖ୍ୟମନ୍ତ୍ରୀ ନିଜେ ଖୋଲି ଦେଇଛନ୍ତି ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର