ରାଉରକେଲା : ୩ ହଜାର ପ୍ଲଟ ୩୦ ଲକ୍ଷରେ, ୨୮ ହଜାର ପ୍ଲଟ ବିକ୍ରି ହେଉଛି ୭୦ ଲକ୍ଷରେ। ଏମିତି ଆଇନ ବିରୋଧୀ କାମ ଚାଲିଛି ସ୍ମାର୍ଟସିଟି ରାଉରକେଲାରେ। ବଡ ବଡିଆ ପ୍ରଥମେ ନିଜ କ୍ଷମତା ଓ ଅର୍ଥବଳ ପ୍ରୟୋଗକରି ଘର କରିବା ନାଁରେ ଏକାଧିକ ପ୍ଲଟ ହାତଉଛନ୍ତି। ଘର ନ କରି ତା’କୁ ବର୍ଷ ବର୍ଷ ଧରି ପକାଇ ରଖୁଛନ୍ତି। ପରବର୍ତ୍ତୀ ସମୟରେ ୧୦୦ର- ୨୦୦ ଗୁଣ ଅଧିକ ଦାମରେ ବିକ୍ରି କରି ଦେଉଛନ୍ତି। ତାହା ପୁଣି ଆର୍ଡିଏ କର୍ତ୍ତୃପକ୍ଷଙ୍କ ଜାଣତରେ। ସବୁଠୁ ଆଶ୍ଚର୍ଯ୍ୟ କଥା, ଅନୁମୋଦିତ ସମୟଠାରୁ ଅଧିକ ସମୟ ଖାଲି ପଡୁଥିଲେ ମଧ୍ୟ ନୀତି ଅନୁସାରେ ସେହି ପ୍ଲଟ୍ଗୁଡ଼ିକୁ ଆର୍ଡିଏ ନିଜ ଅଧୀନକୁ ନେବା ପରିବର୍ତ୍ତେ ଚଢ଼ା ଦରରେ କିଣୁଥିବା ଲୋକଙ୍କ ନାଁରେ କରି ଦେଉଛନ୍ତି।
ଛେଣ୍ଡ କଲୋନି, କଳିଙ୍ଗ ବିହାର ଓ ସିଭିଲଟାଉନସିପ୍ରେ ବ୍ୟାପକ ଭାବେ ଚାଲିଛି ଏହି ବେଆଇନ କାମ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ସବୁକିଛି ଚାଲିଛି ଭିତିରି ସଲାସୁତୁରାରେ। ନିକଟରେ ୩ଟି ବାଣିଜ୍ୟିକ ପ୍ଲଟକୁ ନିଲାମ ମାଧ୍ୟମରେ ବିକିବାକୁ ଆର୍ଡିଏର ଉଦ୍ୟମ ଫେଲ୍ ମାରିଛି। ହାଇକୋର୍ଟ ତିନିଟି ପ୍ଲଟ ଉପରେ ରହିତାଦେଶ ଜାରି କରିଛନ୍ତି। ଏବେ ପୁଣି ଆର୍ଡିଏ ସିଭିଲଟାଉନସିପ୍ରେ ୪୬ଟି ପ୍ଳଟ ନିଲାମ କରି ବଡ ବଡିଆ ଓ ବିଲ୍ଡରଙ୍କ ହାତକୁ ଟେକି ଦେବାକୁ ଯାଉଛି। ସେଥିପାଇଁ ବିଜ୍ଞାପନ ପ୍ରକାଶିତ ହୋଇ ସାରିଛି। ସିଭିଲଟାଉନସିପ୍ରେ ୩୭୫୦ ବର୍ଗଫୁଟ୍କୁ ୧ କୋଟି ୨୯ ଲକ୍ଷ ଟଙ୍କା ମୂଲ୍ୟ ରଖା ଯାଇଛି। ଯେଉଁମାନେ ନିଲାମ ଜରିଆରେ ଧାର୍ଯ୍ୟମୂଲ୍ୟଠାରୁ ଅଧିକ ଦେଇ ପାରିବେ ପ୍ଲଟ୍କୁ ସେମାନଙ୍କୁ ଟେକି ଦିଆଯିବ। ଅଥଚ ବର୍ଷ ବର୍ଷ ଧରି ସହରରେ ସାଧାରଣ ଲୋକଙ୍କୁ ଘର ଖଣ୍ଡିଏ ନିର୍ମାଣ ପାଇଁ ପ୍ଲଟ ମିଳୁ ନାହିଁ। ଆର୍ଏଡିଏ ସେମାନଙ୍କ ସ୍ବାର୍ଥରକ୍ଷା କରିବା କଥା। ତେଣୁ ରାଜସ୍ବ ଆଳରେ ଆର୍ଡିଏର ଏହି ପ୍ଲଟ ନିଲାମ କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।
ଏଥିରେ ଆଉ ଗୋଟିଏ ବିଚିତ୍ର କଥା ରହିଛି- ଓଜିଏଲ୍ଏସ୍ ନିୟମ ଅନୁଯାୟୀ, ପ୍ଲଟ ସମ୍ପର୍କିତ ବିଜ୍ଞାପନ ପ୍ରକାଶ କରିବା ଆର୍ଡିଏ କର୍ତ୍ତୃପକ୍ଷଙ୍କ କ୍ଷମତା ବାହାରେ। କାରଣ ନିଲାମ ଜରିଆରେ ବିକ୍ରି ହେଉଥିବା ପ୍ଲଟ ଆର୍ଡିଏର ନୁହେଁ। ଏହାର ମାଲିକ ହେଉଛନ୍ତି ଏଲ୍ଏସି ( ଲ୍ୟାଣ୍ଡ ଆଲଟମେଟ୍ କମିଟି)। ଆର୍ଡିଏ ସଚିବ ଏଲ୍ଏସିର ମେମ୍ବର ନୁହନ୍ତି। ତେଣୁ କେଉଁ ନିୟମ ବଳରେ ପ୍ଲଟ୍ ନିଲାମ କରିବାକୁ ସେ ବିଜ୍ଞାପନ କରିଛନ୍ତି, ତାହା ମଧ୍ୟ ଆଉ ଏକ ପ୍ରଶ୍ନବାଚୀ। ଆର୍ଡିଏର ଏପରି ବିଚିତ୍ର ବ୍ୟବସ୍ଥାକୁ ସହରର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଇନଜୀବୀ ପ୍ରଦୀପ ଜେନା, ବିଜୟ କୁମାର ପ୍ରଧାନ, ସିପ୍ରାରାଣୀ ସାମଲ, ଭାଗ୍ୟଶ୍ରୀ ପତିହାରୀ, ରାଜ କୁମାର ଦାସ, ଶିବାନି ତ୍ରିପାଠୀ, ବିନୋଦ ବିହାରୀ ରାଉତ ଓ ଭୋଳା ରଜାକଙ୍କ ସମେତ ଅନେକ ବୁଦ୍ଧିଜୀବୀ ନିଲାମକୁ ବାତିଲ କରି ଉପରୋକ୍ତ ପ୍ଲଟରେ ବହୁତଳ ବିଶିଷ୍ଟ ଘର ନିର୍ମାଣ କରିବାକୁ ଦାବି କରିଛନ୍ତି। ଘର ନିର୍ମାଣ ହେଲେ ସାଧାରଣ ଲୋକ ସୁଲଭ ମୂଲ୍ୟରେ ଘର ପାଇବେ ଓ ଆର୍ଡିଏ ନିଲାମ ଠାରୁ ଅଧିକ ରାଜସ୍ବ ମଧ୍ୟ ପାଇବ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ନହେଲେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସେମାନେ ଚେତାବନୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆର୍ଡିଏରୁ ବିଗତ ଦିନରେ ଜଣେ ଜଣେ ବଡ ବଡିଆ ଲୋକ ଏକାଧିକ ପ୍ଲଟ ହାତେଇଛନ୍ତି। ପ୍ଲଟ ପାଇବାର ୫ ବର୍ଷ ମଧ୍ୟରେ ଆର୍ଡିଏରେ ଦଖଲକାରୀ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। କିନ୍ତୁ ଅଧିକାଂଶ ବଡ ବଡିଆ ଆର୍ଡିଏର ସମସ୍ତ ନୀତିନିୟମକୁ ଦଳିମକଚି ଘର ନିର୍ମାଣ କରି ଅନ୍ୟକୁ ୩୦ରୁ ୭୦ ଲକ୍ଷରେ ବେଆଇନ ଭାବେ ବିକି ଦେଉଛନ୍ତି। ଏ୍କଦା ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ ଘର ନିର୍ମାଣ କରି ନ କରି ବର୍ଷ ବର୍ଷ ଧରି ପ୍ଲଟଗୁଡ଼ିକୁ ପକାଇ ରଖିଥିବା ଲୋକଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଘର ନିର୍ମାଣ ନକଲେ ପ୍ଲଟଗୁଡ଼ିକୁ ବାତିଲ କରି ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। କିଛି ପ୍ଲଟଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ନେଇଥିଲେ। ତାଙ୍କ ପରଠାରୁ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସାଧାରଣ ଲୋକଙ୍କୁ ୨୦ ହଜାର ପ୍ଲଟ୍ ଯୋଗାଇ ଦେବାଲାଗି ଆର୍ଡିଏର ପୁରୁଣା ପ୍ରତିଶ୍ରୁତି ପାଣିର ଗାର ହୋଇ ରହି ଯାଇଛି। ସହରର ସାଧାରଣ ଲୋକଙ୍କ ସମସ୍ୟା ନ ବୁଝି ରାଜସ୍ବ ଆଳରେ ବଡ ବଡିଆଙ୍କ ସ୍ବାର୍ଥ ପୂରଣ କରୁଥିବା ଆର୍ଡିଏର କାର୍ଯ୍ୟଶୈଳୀକୁ ନେଇ ସହରବାସୀ ପ୍ରଶ୍ନ ଉଠାଇଛନ୍ତି।