ଜମାକାରୀଙ୍କ ଆବେଦନକୁ ବିଚାର କରୁଛନ୍ତି କମିସନ : ସତ୍ୟପାଠ ଦାଖଲ ସମୟସୀମା ବୃଦ୍ଧି ହେବ!

କଟକ : ଚିିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ସତ୍ୟପାଠ ଦାଖଲର ସମୟ ସୀମା ବୃଦ୍ଧି କରିବାର ସମ୍ଭାବନା ରହିଛି। ଏ ସଂପର୍କିତ ପ୍ରସ୍ତାବ କମିସନଙ୍କ ନିକଟରେ ବିଚାରାଧୀନ ରହିଛି। ଏ ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଗତ ନଭେମ୍ବର ୧୩ରେ ଏକ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ, ଟଙ୍କା ଫେରି ପାଇ ନଥିବା ଜମାକାରୀ ୨୦୧୮, ଡିସେମ୍ବର ୩୧ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ ବୋଲି କୁହାଯାଇଥିଲା। ଇତିମଧ୍ୟରେ, ଧାର୍ଯ୍ୟ ସମୟସୀମା ଶେଷ ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଛନ୍ତି। କିନ୍ତୁ ଡିସେମ୍ବର ୩୧ ଭିତରେ ବହୁ କ୍ଷତିଗ୍ରସ୍ତ ଜମାକରୀ ବିଭିନ୍ନ କାରଣରୁ ସତ୍ୟପାଠ ଦାଖଲ କରି ପାରି ନାହାନ୍ତି। ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁୁ କମିସନଙ୍କୁ ଅନୁରୋଧ କରିଛନ୍ତି। ସତ୍ୟପାଠ ଦାଖଲ କରି ପାରିନଥିବା ଜମାକାରୀଙ୍କୁ ଆଉ ଥରେ ସୁଯୋଗ ଦେବାକୁ କମିସନଙ୍କୁ ସାକ୍ଷାତ କରି ନିବେଦନ କରିଛନ୍ତି। ତେବେ ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି ସଂପର୍କିତ ପ୍ରସ୍ତାବ କମିସନଙ୍କ ନିକଟରେ ବିଚାରାଧୀନ ରହିଛି ଓ ଏ ସଂପର୍କରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି।

ସମ୍ବନ୍ଧିତ ଖବର