ପଞ୍ଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷଙ୍କ ସହ ସାକ୍ଷାତ୍‌କାର : ‘ରାଜ୍ୟର ଆର୍ଥିକ ସ୍ବାୟତ୍ତତାକୁ ସମର୍ଥନ କରେ’

ଚଳିତମାସ ୮ ତାରିଖରୁ ଏନ. କେ. ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବ। ଆସନ୍ତା ୨୦୨୦ରୁ ୨୦୨୫ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟିକସ ରାଶିର ଆବଣ୍ଟନ ନେଇ ଆୟୋଗ ତାଙ୍କ ସୁପାରିସ ସରକାରଙ୍କୁ ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରଦାନ କରିବେ। ରାଜ୍ୟର ଆର୍ଥିକ ସ୍ଥିତି କ’ଣ ରହିଛି, ଆସନ୍ତା ପାଞ୍ଚ ବର୍ଷରେ ରାଜ୍ୟର କେଉଁ କ୍ଷେତ୍ରକୁ ଗୁରୁତ୍ବ ଦିଆଯିବ ସେସବୁ ବିଷୟରେ ଆୟୋଗ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଓଡ଼ିଶା ଗସ୍ତର ଅବ୍ୟବହିତ ପୂର୍ବରୁ ସମ୍ବାଦର ନୂଆଦିଲ୍ଲୀ ପ୍ରତିନିଧି ନଇମ୍ ଅଖ୍‌ତାରଙ୍କୁ ଶ୍ରୀ ସିଂହ ଦେଇଥିବା ସ୍ବତନ୍ତ୍ର ସାକ୍ଷାତକାର…

ପଞ୍ଚଦର୍ଶ ଅର୍ଥ ଆୟୋଗ ଗଠନ କରାଯିବା ପରେ ବର୍ତ୍ତମାନ ସୁଦ୍ଧା ଆୟୋଗର କାର୍ଯ୍ୟରେ କେତେ ଅଗ୍ରଗତି ହୋଇଛି?
– ପଞ୍ଚଦଶ ଅର୍ଥ ଆୟୋଗ ଗଠନ କରାଯିବା ପରଠାରୁ ଆୟୋଗ ତାହାର କାର୍ଯ୍ୟ ଆରମ୍ଭ କରିଦେଇଛି। ଆୟୋଗ ଦ୍ବାରା ‌ଅନେକ ପଦକ୍ଷେପ ନିଆଯାଇଛି। ଦେଶ ବିଦେଶର ଆର୍ଥିକ ବିଶେଷଜ୍ଞଙ୍କ ସହଯୋଗରେ ଗବେଷଣାପତ୍ର ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଓ ରାଜ୍ୟର ଗବେଷଣା ସଂସ୍ଥାମାନଙ୍କ ସହ ଲଗାତାର ବିଚାରବିମର୍ଶ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଆୟୋଗ ୧୫ଟି ରାଜ୍ୟ ଗସ୍ତ କରିସାରିଛି। ୮ ତାରିଖରୁ ଓଡ଼ିଶା ଗସ୍ତ କରିବ।

ଓଡ଼ିଶା ଗସ୍ତ‌େବେଳେ ଆୟୋଗର କାର୍ଯ୍ୟସୂଚୀ କ’ଣ ରହିବ? ଆୟୋଗ କାହାକୁ କାହାକୁ ଭେଟି ସାକ୍ଷାତ ଆଲୋଚନା କରିବ?
-ପଞ୍ଚଦଶ ଅର୍ଥ ଆୟୋଗର ଚାରିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆୟୋଗ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପଦାଧିକାରୀ, ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ଶିକ୍ଷା, ଶିଳ୍ପ ଏବଂ ବାଣିଜ୍ୟ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ସାକ୍ଷାତ ଆଲୋଚନା ଓ ବିଚାରବିମର୍ଶ କରିବ। ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହିତ ବିସ୍ତୃତ ଆଲୋଚନା ହେବ। ଏତଦବ୍ୟତୀତ ଆୟୋଗ ଦ୍ବାରା କିଛି କ୍ଷେତ୍ର ପରିଦର୍ଶନ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ-ଓଡ଼ିଶା ଜୀବିକା ମିସନର ସ୍ଥିତି ପରଖିବ। ଐତିହାସିକ ସ୍ଥାନ ପରିଦର୍ଶନ କରିବା ସହିତ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ସହିତ ବ୍ୟକ୍ତିଗତ ଭାବେ ବିଚାରବିମର୍ଶ କରାଯିବ।

ରାଜ୍ୟ ସରକାରଙ୍କ ପାଖରୁ ଆପଣ ସ୍ମାରକପତ୍ର ପାଇ ସାରିଛନ୍ତି କି?
-ରାଜ୍ୟ ସରକାରଙ୍କଠାରୁ ମୋତେ ସ୍ମାରକପତ୍ର ମିଳିସାରିଛି। ରାଜ୍ୟ ସରକାରଙ୍କଠାରୁ ସ୍ମାରକପତ୍ର ମିଳିସାରିବା ପରେ ସ୍ମାରକପତ୍ରର ସମୀକ୍ଷା କରାଯାଇଛି। ଏହି ମର୍ମରେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କ ସହିତ କଥାବାର୍ତ୍ତା ହୋଇଛି। ରାଜ୍ୟ ସରକାରଙ୍କଠାରୁ ପ୍ରାପ୍ତ ହୋଇଥିବା ସ୍ମାରକପତ୍ର ଆଧାରରେ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରାଯିବ।

ଅର୍ଥ ଆୟୋଗ ନିକଟରେ ଯେଉଁସବୁ ରାଜ୍ୟ ପରିଦର୍ଶନ କରିଛି ସେଥିମଧ୍ୟରୁ ଆନ୍ଧ୍ର ପ୍ରଦେଶ ଓ ବିହାର ଭଳି ରାଜ୍ୟମାନଙ୍କ ଦ୍ବାରା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଉପସ୍ଥାପନ କରାଯାଇଥିଲା। ଓଡ଼ିଶାରେ ମଧ୍ୟ ଏଭଳି ଦାବି ହୋଇପାରେ। ଏ ନେଇ ଆପଣ କ’ଣ କହିବେ?
– ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ କିଛି ରାଜ୍ୟ ଆୟୋଗଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଅର୍ଥ ଆୟୋଗର ଟର୍ମସ ଅଫ ରେଫରେନ୍ସରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ କେବେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ଅର୍ଥ ଆୟୋଗର ଟର୍ମସ ଅଫ ରେ‌ଫରେନ୍ସରେ ଯେଉଁସବୁ ବିଷୟ ସ୍ଥାନ ପାଇଥାଏ ଆୟୋଗ ସେ ସମ୍ପର୍କରେ ସୁପାରିସ କରିଥାଏ। ହେଲେ ରାଜ୍ୟମାନଙ୍କ ଅନ୍ୟାନ୍ୟ ଦାବି ଉପରେ ଆୟୋଗ ସହାନୁଭୂତିମୂଳକ ମତ ଗ୍ରହଣ କରିପାରିବ। ରାଜ୍ୟର ଆର୍ଥିକ ସ୍ବାୟତ୍ତତାକୁ ମୁଁ ମଧ୍ୟ ସମର୍ଥନ କରେ।

ଅର୍ଥ ଆୟୋଗ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ସମୟରେ ୨୦୧୧ ଜନଗଣନାର ତଥ୍ୟ ବ୍ୟବହାର କରିବ। ଏଥିରେ ପଛୁଆ ରାଜ୍ୟର ଲାଭ ହେବ କି?
-ଆମକୁ ୨୦୧୧ ଜନଗଣନା ଆଧାରରେ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ିବ। ବର୍ତ୍ତମାନର ଆୟୋଗ ଉତ୍ତରେ ଏହା ନିର୍ଭର କରୁଛି ସେ କେଉଁ ଫର୍ମୁଲା ଆପଣାଇବ। ପ୍ରତ୍ୟେକ ରାଜ୍ୟର ଅଲଗା ଅଲଗା ସମସ୍ୟା ରହିଛି। ଏହାବ୍ୟତୀତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି। ଏସବୁର ସମୀକ୍ଷା ଆୟୋଗ କରିବ।

ଜିଏସଟି କ୍ଷତିପୂରଣ ଅବଧି ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ପାଇଁ ପାଣ୍ଠି ବ୍ୟବସ୍ଥା ନିମନ୍ତେ ସୁପାରିସ କରିବେ କି?
– ଜିଏସଟି କ୍ଷତିପୂରଣ ଅବଧି ପ୍ରସଙ୍ଗ ଜିଏସଟି ପରିଷଦର। ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରଙ୍କ ପାଣ୍ଠି ଯୋଗାଣର ବର୍ତ୍ତମାନ ବ୍ୟବସ୍ଥା ଆୟୋଗ ସମୀକ୍ଷା କରିବ। ଆୟୋଗ ଦ୍ବାରା ବିପର୍ଯ୍ୟୟ ପରିଚାଳନା ପାଇଁ ଖର୍ଚ୍ଚକୁ ନେଇ ବିଶେଷଜ୍ଞ କମିଟି ଗଠନ କରିଥିଲୁ। ବିଶେଷଜ୍ଞ କମିଟି ରିପୋର୍ଟ ଦେବାପରେ ଦୁଇଟି କର୍ମଶାଳା ଆୟୋଜନ କରାଯାଇଥିଲା। ରାଜ୍ୟ ସହ ଆଲୋଚନା ବେଳେ ସମସ୍ତ ପ୍ରସଙ୍ଗକୁ ବିବେଚନା କରାଯିବ।

୪ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସକାରାତ୍ମକ ଫଳାଫଳକୁ ନେଇ ଆପଣ କେତେ ଆଶାବାଦୀ?
ଉତ୍ତର: ଓଡ଼ିଶା ଗସ୍ତକୁ ନେଇ ମୁଁ ବିଶେଷ ରୂପେ ଉତ୍ସାହିତ ଅଛି। ବିଚାରବିମର୍ଶ ଓ ଆଲୋଚନା ଫଳପ୍ରଦ ହେବ ବୋଲି ମୁଁ ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର