ଭକ୍ତି ଆଗରେ ହାର ମାନିଛି ହାରାମଣିଙ୍କ ବୟସ: ୧୦୫ବର୍ଷ ବୟସରେ କାର୍ତ୍ତିକ ବ୍ରତ

‘ମରଣ ଶେଯରେ ପଡ଼ିଥିଲେ ବି କାର୍ତ୍ତିକ ବ୍ରତ କରୁଥିବି’

ପୁରୀ : ବୟସ ଶହେ ଟପିଲାଣି। ଅଣ୍ଟା ନଇଁ ପଡ଼ିଲାଣି। ଆଖିକୁ ଦିଶୁନାହିଁ। ତଥାପି କାର୍ତ୍ତିକ ବ୍ରତ କରିବାକୁ ‌ଶ୍ରୀକ୍ଷେତ୍ର ସାନମଠରେ ଡେରା ପକାଇଛନ୍ତି ୧୦୫ ବର୍ଷିୟା ହାରାମଣି ସାହୁ। ଭୋର ହେଲେ ପାକୁଆ ପାଟିରେ ଦରୋଟି କଣ୍ଠରେ ସେ ଚଉରା ମୂଳେ ସ୍ତୁତି ଗାନ କରୁଛନ୍ତି। ଥରେ ଖାଇ ପ୍ରଭୁଙ୍କ ନାମ କୀର୍ତ୍ତନ କରୁଛନ୍ତି। ୬୦ ବର୍ଷ ଧରି ଅନାୟାସରେ ସେ କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି। ଭକ୍ତି ଆଗରେ ଯେମିତି ତାଙ୍କ ବୟସ ହାର୍‌ ମାନିଛି।

ସାକ୍ଷୀଗୋପାଳ ଅଳଗୁମସ୍ଥିତ ପାଟଣାସାହିର ହାରାମଣିଙ୍କୁ ଯେତେବେଳେ ୪୫ ବର୍ଷ ହୋଇଥିଲା, ସେ କାର୍ତ୍ତିକ ବ୍ରତ ଆରମ୍ଭ କରିଥିଲେ। ସେବେଠୁ ନିରନ୍ତର ଭାବେ ଏହି ଧାରା ବଜାୟ ରଖିଛନ୍ତି। ତାଙ୍କଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତୁଟ ବିଶ୍ବାସ ଓ ଭକ୍ତି ଦେଖିଲେ ଆପେଆପେ ମଥା ନଇଁଯାଉଛି। ହାରାମଣି କୁହନ୍ତି, ମହାପ୍ରଭୁ କାଳେ ଭକ୍ତର ଦୁଃଖ ଶୁଣିପାରନ୍ତି। ଏ ଅତୁଟ ବିଶ୍ବାସ ପଛରେ ରହିଛି ତାଙ୍କର ଅତୀତର ଏକ ଅଭୁଲା ଅନୁଭୂତି। ତାଙ୍କ ପୁଅ ବିବାହ ୧୮ ବର୍ଷ ବିତିସାରିଥାଏ। କିନ୍ତୁ ପୁଅ ଝିଅ ହେଉନଥାଏ। ତେଣୁ ସେ ଯେବେ ବି ଶ୍ରୀମନ୍ଦିର ଆସନ୍ତି ମହାପ୍ରଭୁଙ୍କ ପାଖରେ ମଥା ପିଟି ଗୁହାରି କରନ୍ତି। ଶେଷରେ ମହାପ୍ରଭୁ ତାଙ୍କ ଡାକ ଶୁଣିଲେ। ୧୮ ବର୍ଷ ପରେ ପୁଅର ସନ୍ତାନ ଜନ୍ମ ନେଲେ। ଏହା ତାଙ୍କ ମନରେ ଆଜି ବି ଗଣ୍ଠି ହୋଇ ରହିଛି। ଯାହା ହୋଇଛି, କାଳିଆ ସାଆନ୍ତଙ୍କ ପାଇଁ ସବୁକିଛି ସମ୍ଭବ ହୋଇଛି ବୋଲି ସେ ଗଦ୍‌ଗଦ୍‌ ହୋଇ କୁହନ୍ତି।

କାର୍ତ୍ତିକ ଆସିଲେ ଯେମିତି ଘରେ ବାନ୍ଧି ହୋଇ ରହିପାରନ୍ତିନି। କେତେ କିଏ ବାରଣ କରିଛନ୍ତି, ହେଲେ ସେ ନଛୋଡ଼ବନ୍ଧା। ବ୍ରତ କରିବେ ତ ଶ୍ରୀକ୍ଷେତ୍ରରେ। ଯେବେ ବି ଆସନ୍ତି କେବେ କେଉଁ ମଠରେ ଆଶ୍ରୟ ନେଇ ବ୍ରତ ପାଳନ କରନ୍ତି। କିଛି ବର୍ଷ ହେବେ ହବିଷ୍ୟାଳୀଙ୍କ ପାଇଁ ସରକାରଙ୍କ ମାଗଣା ରହଣି ଓ ଖାଦ୍ୟପେୟର ବନ୍ଦୋବସ୍ତ କରାଯାଇଛି। ମାତ୍ର ସେଥିପ୍ରତି ସେ ଆସକ୍ତ ହୋଇନାହାନ୍ତି। ତାଙ୍କ କହିବା କଥା ହେଲା, ଧର୍ମ କରିବାକୁ ଆସିଛି। ମାଗଣାରେ ରହି ସରକାରଙ୍କ ସହ ଧର୍ମ ବାଣ୍ଟ କରିବାକୁ ଆସିନାହିଁ। ଆଗରୁ ସେ ହବିଷ କରିବାକୁ ଆସିଲେ କେଉଁ ମଠରେ ନଚେତ କାହା ଘରେ ମୁଣ୍ଡ ଗୁଞ୍ଜି ରହିଯାଆନ୍ତି। ଆଜି ଭଳି ଏତେ ଚାକଚକ୍ୟ ନିବାସ ନଥିଲା, କି ସରକାରୀ ବ୍ୟବସ୍ଥା ନଥିଲା। ତଥାପି ସେଇଥିରେ ଯେଉଁ ଶାନ୍ତି ମିଳୁଥିଲା, ତାହା ଥିଲା ସ୍ବର୍ଗୀୟ।

ସମ୍ବନ୍ଧିତ ଖବର