ମୋବାଇଲ ଦୋକାନରୁ ନେଇଗଲେ ୧୦ ଲକ୍ଷର ସାମଗ୍ରୀ

ରାଉରକେଲା : ଗୁରୁବାର ରାତିରେ ଦୁର୍ବୃତ୍ତମାନେ ଏକ ମୋବାଇଲ୍‌ ଦୋକାନରୁ କଳାକନା ବୁଲାଇ ଦେଇଛନ୍ତି। ଦୋକାନରେ ଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସହ ନଗଦ ୮୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଏନେଇ ରଘୁନାଥପାଲ୍ଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପାନପୋଷ ରୋଡରେ ଥିବା ତରଙ୍ଗିନୀ ମାର୍କେଟରେ ବାସନ୍ତୀ କଲୋନି ଅଞ୍ଚଳର ଲଳିତ ପଟେଲଙ୍କ ଏକ ମୋବାଇଲ୍‌ ଦୋକାନ ରହିଛି। ପ୍ରତିଦିନ ଭଳି ଗତ ଗଗୁରୁବାର ରାତି ସାଢ଼େ ୧୦ଟାରେ ଲଳିତ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। ତେବେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସ୍କାଏ ଲାଇଟ୍‌ ଭାଙ୍ଗି ଦୋକାନ ଭିତରକୁ ପଶିଥିଲେ। ଦୋକାନରେ ଥିବା ବିଭିନ୍ନ ନାମୀଦାମୀ କମ୍ପାନି, ଯଥା-ଆପଲ୍‌, ସାମସଙ୍ଗ୍‌, ରିଏଲ୍‌ମି, ରେଡ୍‌ମି ଆଦି କମ୍ପାନିର ୩୫ଟି ସ୍ମାର୍ଟ ଫୋନ୍‌, ମୋବାଇଲ୍‌ ଚାର୍ଜର୍‌ ଓ ଅନ୍ୟାନ୍ୟ ସାମଗ୍ରୀ, ୭ଟି ରିପ୍ୟାରିଂ ମେସିନ୍‌, ୬ଟି ପାଓ୍ବାର ବ୍ୟାଙ୍କ, ୫ଟି ସ୍ମାର୍ଟ ଓ୍ବାଚ୍‌, ୫ଟି ସ୍ପିକର ଏବଂ ନଗଦ ୮୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଚୋରି ସାମଗ୍ରୀର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ।

ଉଲ୍ଲେଖଯୋଗ୍ୟ, ରଘୁନାଥପାଲ୍ଲି ଅଞ୍ଚଳରେ ନିୟମିତ ବ୍ୟବଧାନରେ ଚୋରି, ଛିନ୍‌ତାଇ ଆଦି ଅପରାଧିକ କାର୍ଯ୍ୟକଳାପ ଘଟୁଛି। ପୁଲିସର ଚରମ ଅବହେଳା ହିଁ ଏହାର ପ୍ରମୁଖ କାରଣ ପାଲଟିଛି। ଅଞ୍ଚଳରେ ପାଟ୍ରୋଲିଂ ଏକ ପ୍ରକାର ଶୂନ। ଫଲରେ ଦୁର୍ବୃତ୍ତ ଦିନ ଦ୍ବିପ୍ରହରରେ ମଧ୍ୟ ଚୋରି କରିବାକୁ ପଛାଉନାହାନ୍ତି। ସ୍ଥାନୀୟ ଇଲାକାରେ ବାରମ୍ବାର ଚୋରି, ଡକାୟତି ଯୋଗୁଁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ। ଯଥାଶୀଘ୍ର ପୁଲିସ ଏ ନେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର