୨ଟି ଲୁଟ୍ ଘଟଣାରେ ୩ ଅଭିଯୁକ୍ତ ଗିରଫ

ସୋନପୁର: ସୋନପୁର ପୁଲିସ ୨ଟି ଲୁଟ ଘଟଣାର ପର୍ଦ୍ଦାଫାସ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋନପୁର ଥାନାରେ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି। ସୂଚନାଯୋଗ୍ୟ, ଗତ ୫ ତାରିଖ ଦିବାଲୋକରେ ସୋନପୁର ସର୍କିଟ ହାଉସ ପାଖରେ ସୁବଳୟା ଥାନା ପୁରୁଷୋତ୍ତମପାଲି ଗ୍ରାମର ମହେନ୍ଦ୍ର କର୍ଣ୍ଣ ଏବଂ ତାଙ୍କ ବନ୍ଧୁ ସେଖ ରାଜେଶଙ୍କୁ ଭୟଭୀତ କରି କେତେଜଣ ଯୁବକ ଫୋନ୍ ପେ ମାଧ୍ୟମରେ ୫,୩୦୦ ଟଙ୍କା ଲୁଟି ନେଇଥିଲେ। ଏ ସମ୍ପର୍କରେ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

ସେହିଦିନ ରାତି ପ୍ରାୟ ୯ଟାରେ ବଲାଙ୍ଗୀର ଜିଲ୍ଲା ସିନ୍ଦୂରବାହାଲ ଗ୍ରାମର ବିକାଶ ମଟାରୀ ଏବଂ ତାଙ୍କ ବନ୍ଧୁ ଆଜାରୁଲ ଶେଖଙ୍କଠାରୁ କିଛି ଯୁବକ ୨,୭୦୦ ଟଙ୍କା, ଗୋଟିଏ ମୋବାଇଲ ଫୋନ୍‌ ଏବଂ ୨୦ ଖଣ୍ଡ ଲୁହାରଡ୍ ଲୁଟି ନେଇଥିଲେ। ଏ ସମ୍ପର୍କରେ ମଧ୍ୟ ସୋନପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଦୁଇଟି ଘଟଣାରେ ସୋନପୁର ପୁଲିସ ସୋନପୁର ବଡ଼ପଡ଼ାର ସୁମିତ କଂସାରି (୨୦), ବିଶାଲ ଡୁଙ୍ଗରିଆ (୨୪) ଏବଂ ଆଶି‌ଷ ବେହେରା(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ପୁଲିସ ୫,୩୦୦ ଟଙ୍କା, ଗୋଟିଏ ସକଅପ୍ ରଡ୍ ଏବଂ ଏକ ମୋବାଇଲ ଫୋନ୍‌ ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ ସୋନପୁର ଆଇଆଇସି କୃଷ୍ଣଚନ୍ଦ୍ର ମେହେର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର