ମାଲକାନଗିରିରେ ଜଳୁଛି ଜଂଗଲ: ବଢୁଛି ତାତି, ବନ ବିଭାଗ ଓ ଜନଜୀବନ ଅସ୍ତବ୍ୟସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଜଂଗଲ ଜଳୁଛି। ଜିଲ୍ଲାର ୫୦ ପ୍ରତିଶତରୁ ଅଧିକ। ଅଂଚଳରେ ଏବେ ଜଂଗଲ ଜଳୁଛି। ବନ ବିଭାଗର ସଚେତନତା ସତ୍ବେ ଲୋକେ ଜଂଗଲରେ ନିଆଁ ଲଗାଇ ଦେଉଛନ୍ତି। ଜଂଗଲରେ ନିଆଁ ଲଗାଇବାର ମୁଖ୍ୟ କାରଣ ମଧ୍ୟରୁ ପୋଡୁ ଚାଷ ଏବଂ ମହୁଲ ଗୋଟାଇବା ଅନ୍ୟତମ। ଜଂଗଲର ଗଛଲତା ଏବେ ଶୁଖିଯାଇଥିବା ବେଳେ ଲୋକେ ଜଂଗଲକୁ ବିଭିନ୍ନ ସମୟରେ ଯାଉଥିବା ବେଳେ ଆସିଲା ବେଳକୁ ଜଂଗଲରେ ନିଆଁ ଲଗାଇ ଫେରନ୍ତି। ତେବେ ଏନେଇ ବନ ବିଭାଗ ଗାଁ ଗାଁରେ ଲୋକଙ୍କୁ ଜଂଗଲରେ ନିଆଁ ନଲଗାଇବାକୁ ବାରଣ କରିବା ସହ ଏହା ହେଲେ କି କି ଅସୁବିଧା ହେବ ସେନେଇ ଅବଗତ କରାଇଥିଲେ ମଧ୍ୟ ଲୋକେ ତାହା ଭୁଲି ପୁଣି ଜଂଗଲରେ ନିଆଁ ଲଗାଉଛନ୍ତି।

ଜଂଗଲରେ ନିଆଁ ଲିଭଇବା ପାଇଁ ଏବେ ମାଲାକନଗିରି ବନ ବର୍ମଚାରୀ ନାକେଦମ ହେଲେଣି। ରାତି ତମାମ ଜଂଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ କେଉଁ ସ୍ଥାନକୁ ଯାଇ ନିଆଁ ଲିଭାଇବେ ତାହା ସମସ୍ୟା ସୃଷ୍ଟି କରୁଛି। କର୍ମଚାରୀ ଅଭାବ ଯୋଗୁଁ ବନ ବିଭାଗ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଜିଲ୍ଲାର ସମସ୍ତ ବନାଞ୍ଚଳରେ ଏବେ ଜଂଗଲ ଜଳୁଛି।ଏହାଦ୍ବାରା ମଧ୍ୟ ଜିଲ୍ଲାରେ ତାତି ବଢୁଛି। ଜିଲ୍ଲାରେ ଏବେ ପାରଦ ୪୩ ଡିଗ୍ରି ଟପିଲାଣି। ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ଲୋକେ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡିଛି। ରାତିରେ ଜଂଗଲରେ ନିଆଁ ଜଳୁଥିବା ବେଳେ ଦିନରେ ସହରରେ ଗ୍ରୀଷ୍ମର ପ୍ରବାହରେ ନିଆଁ ବାହାରୁଛି। ଜିନ ୧୦ଟା ପରେ ଆଉ ଘରୁ ଲୋକେ ବାହାରକୁ ବାହାରୁ ନାହାନ୍ତି। ଦୋକାନ ବଜାର ମଧ୍ୟ ଏକ ପ୍ରକାର ବନ୍ଦ ହୋଇଯାଉଛି।ଦିନରେ ଗରମ ସମ୍ଭାଳି ହେଉନଥିବା ବେଳେ ରାତିରେ ମଧ୍ୟ ନିସ୍ତାର ନାହିଁ।

ଏତେ ଗରମ ବଢିବାର ଅନ୍ୟ କାରଣ ମଧ୍ୟରୁ ଜଂଗଲରେ ନିଆଁ ଲାଗିବା ଅନ୍ୟ ଏକ କାରଣ।ବନ କର୍ମଚାରୀ ଦିନରାତି ଏକ କରି ଜଂଗଲରେ ଜଗିବା ପରେ ମଧ୍ୟ ଲୋକେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ନିଆଁକୁ ଆୟତ୍ତ କରିବାରେ ମୁସକିଲ ହେଉଥିବା ବନ କର୍ମଚାରୀ କହନ୍ତି। ବହୁ ମୂଲ୍ୟବାନ ଗଛ ନିଆଁରେ ପୋଡି ପାଉଁଶ ହୋଇଥିବା ବନ ବିଭାଗ କହୁଛି। ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ ଜଂଗଲରେ ନିଆଁ ଲଗାଇବା ବନ୍ଦ ହୋଇପାରେ ବୋଲି କୁହାଯାଇଛି। ଏବେ ରାତିରେ ବନ କର୍ମଚାରୀ ହଇରାଣ ହେଉଥିବା ବେଳେ ଦିନରେ ଜନସାଧାରମ ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି।ଜଂଗଲର ନିଆଁ ଲିଭାଇବାରେ ବନ ବିଭାଗ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର