ପୁରୀରୁ କାହାକୁ ମିଳିବ ଟିକେଟ, ନବୀନ ନିବାସରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଲଢେଇ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ବିଜୁ ଜନତା ଦଳ, ଆରମ୍ଭ କରିଛି ଟିକେଟ କସରତ । ଏଥିପାଇଁ ଆଜି ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ପୁରୀ ସଂସଦୀୟ କ୍ଷେତ୍ରର ନେତାମାନଙ୍କୁ ଡକାଇ ମତାମତ ନିଆ ଯାଇଥିଲା । ଏହାପରେ ଚର୍ଚ୍ଚା ବଢିଛି କାହାକୁ ଟିକେଟ୍ ମିଳିବ, ଆଉ କାହାର କଟିବ?ମେଣ୍ଟକୁ ନେଇ ହଟିନି ସସପେନ୍ସ । ଦ୍ୱନ୍ଦରେ ନେତା ଓ କର୍ମୀ । କଣ ହେବ ରାଜନୈତିକ ଚିତ୍ର ? ମେଣ୍ଟ ହେବ ନା ଏକାଲଢିବେ ବିଜେଡି ଓ ବିଜେପି? ଏସବୁ କଳ୍ପନାଜଳ୍ପନା ଭିତରେ ବିଜେଡି ଆରମ୍ଭ କରିଛି ଟିକେଟ ଚୟନ କସରତ ।ନବୀନ ନିବାସରେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କୁ ଡାକି ବିଜେଡି ସୁପ୍ରିମୋ ପ୍ରାର୍ଥୀ ଚୟନ ନେଇ ଆଲୋଚନା କରିଛନ୍ତି । କେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ କେମିତି ରହିଛି କାହାର ସଂଗଠନ, କାହାର ଲୋକ ପ୍ରିୟତା କମିଛି, ସର୍ଭେ ରିପୋର୍ଟ କଣ କହୁଛି? ସେ ବାବଦରେ ବିଶେଷ ଭାବରେ ଆଲୋଚନା କରିଛନ୍ତି ।

ପୁରୀ ସଂସଦୀୟ କ୍ଷେତ୍ରର ବିଧାୟକ, ପର୍ଯ୍ୟବେକ୍ଷକ ଓ ଆଶାୟୀ ନେତାଙ୍କୁ ଡାକି ଆଗାମୀ ନିର୍ବାଚନ ପାଇଁ ସଂଗଠନ ମଜୁବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ । ନବୀନ ନିବାସରେ ଆଗାମୀ ନିର୍ବାଚନ ଓ ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇଛି । କିନ୍ତୁ ବୈଠକରେ ପୁରୀ ସାଂସଦ ପିନାକୀ ମିଶ୍ର ଯୋଗ ଦେଇନଥିବା ଜଣାପଡିଛି । ଅନ୍ୟପଟେ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ, ଅରୁପ ପଟ୍ଟନାୟକଙ୍କ ଭଳି ନେତା ଏହି ବୈଠକରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ତାଙ୍କ ଦଳ ବିଜୟୀ ହେବ ।ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ସଂସଦୀୟ କ୍ଷେତ୍ରର ସାଂଗଠନିକ ସମୀକ୍ଷା ପରେ ଖୁବଶୀଘ୍ର ଟିକେଟ କାର୍ଡ ଖୋଲିବ ବିଜେଡି । ସେହି ପ୍ରକ୍ରିୟା ଭିତରେ ସୋମବାର ପୁରୀରୁ ଅଭିଯାନ ଆରମ୍ଭ କରିଛି ବିଜେଡି । ୨୦୧୯ ନିର୍ବାଚନରେ ପୁରୀର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୭ ନିର୍ବାଚନ ମଣ୍ଡଳୀରୁ ବିଜେପି ହାତକୁ ୨ଟି ଆସନ ଯାଇଥିବା ବେଳେ, ବିଜେଡି ୫ଟି ବିଧାନସଭା ଆସନ କବଜା କରିଥିଲା ।

ସମ୍ବନ୍ଧିତ ଖବର