ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରରେ ସବୁଠୁ ଅଧିକ ମାନସିକ ରୋଗୀ, ନାହାନ୍ତି ମାନସିକ ରୋଗ ବିଶେଷଜ୍ଞ 

ବ୍ଲକ୍‌ସ୍ତରୀୟ ମାନସିକ ସ୍ଵାସ୍ଥ୍ୟ କର୍ମଶାଳା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ସଭାଗୃହରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମାନସିକ ସ୍ଵାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଛି। ରେଆର୍ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବ୍ଲକ୍‌ ଉପାଧ୍ୟକ୍ଷ ନାରାୟଣ ଲୁହା, ଡା. ଉମେଶ ଚନ୍ଦ୍ର ସ୍ବାଇଁ, ବେସିକ୍ ନିଡସ୍ ରାଜ୍ୟ ସଂଯୋଜକ ରାଜୀବ କର୍ମୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର ପ୍ରମୁଖ ଯୋଗଦେଇଥିଲେ। କ’ଣ କଲେ ମାନସିକ ରୋଗୀଙ୍କ ସଂଖ୍ୟା ହ୍ରାସ ହେବ ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ହେବ ସେ ଉପରେ ଆଲୋଚନା ହୋଇଥିଲା।

ସୁବର୍ଣ୍ଣପୁର ଜିଲ୍ଲର ବୀରମହାରାଜପୁର ବ୍ଲକ୍‌ରେ ଜିଲ୍ଲାର ସର୍ବାଧିକ ମାନସିକ ରୋଗୀ ଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜିଲ୍ଲାର ୬ଟି ବ୍ଲକ୍‌ରେ ଏବେ ମୋଟ ୧୨୩୩ ମାନସିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୀରମହାରାଜପୁର ବ୍ଲକ୍‌ର ୧୧ଟି ପଞ୍ଚାୟତରେ ୭୬୭ ମାନସିକ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ ମାତ୍ର ୮୧ ଜଣ ରୋଗୀ ନିୟମିତ ଔଷଧ ସେବନ କରି ସୁସ୍ଥ ଅଛନ୍ତି। ୫୨୫ ରୋଗୀ ନିୟମିତ ଔଷଧ ସେବନ କରୁଥିବା ବେଳେ ଅନ୍ୟ ୨୨୫ ରୋଗୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନେ ସୁସ୍ଥ ହୋଇ ପାରୁନାହାନ୍ତି। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ସ୍ଥାୟୀ ଭାବେ ମାନସିକ ରୋଗ ବିଶେଷଜ୍ଞ ନାହାନ୍ତି।

ବଲାଙ୍ଗୀରରୁ ଜଣେ ବିଶେଷଜ୍ଞ ସପ୍ତାହକୁ ତିନିଦିନ ଡେପୁଟେସନରେ ଆସୁଛନ୍ତି। ସେ ଗୋଟିଏ ଦିନ ଆଉଟ୍‌ଡୋରରେ ବସୁଛନ୍ତି, ଆଉ ଗୋଟିଏ ଦିନ ଜେଲ୍‌ ପରିଦର୍ଶନ କରୁଥିବା ବେଳେ ଗୋଟିଏ ଦିନ କ୍ଷେତ୍ର ପରିଦର୍ଶନ କରୁଛନ୍ତି। ଫଳରେ ରୋଗୀ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଏଣୁ ଦୁଇଜଣ ମାନସିକ ରୋଗ ବିଶେଷଜ୍ଞ ଜିଲ୍ଲାକୁ ଯୋଗାଇ ନଦେଲେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡା. ପ୍ରଣବ ମହାପାତ୍ର, ଡା. ଗୀତିକା କୁଜୁର, ସାମ୍ବାଦିକ ଯୁଗଳ କିଶୋର ମିଶ୍ର, କିଶୋର ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ରେଆର ସମ୍ପାଦକ ଅନଙ୍ଗ ନେଗୀ ସଭା ସଂଯୋଜନା କରିଥିଲେ। ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱମ୍ବର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ସୁଦାମ ଗାଈଗରିଆ ସହଯୋଗ କରିଥିଲେ। ଏହି ଅବସରରେ ତିନି ଜଣଙ୍କୁ ଜୀବନ ଜୀବିକା ପାଇଁ ଆର୍ଥିକ ସହାୟତା ଦିଆଯାଇଥିଲା। ମନୋଜ ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର