ଏଥର ଅଧିକ ଶ୍ରମିକ ଦାଦନମୁହାଁ : ବିଭାଗ ପାଖରେ ଖବର ନାହିଁ, ଆଗୁଆ ହେଲେଣି ସଜବାଜ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର ଅଧିକ ଶ୍ରମିକ ଦାଦନମୁହାଁ ହେବେ ବୋଲି ଅନୁମାନ କରାଯାଉଛି। ପ୍ରାୟତଃ ନୁଆଁଖାଇ ପରେ ପରେ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବାବେଳେ ଏଥର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଶ୍ରମ ବିଭାଗ ପା‌ଖରେ ଦାଦନ ଶ୍ରମିକଙ୍କ ତଥ୍ୟ ନଥିବାବେଳେ ଦାଦନ ରୋକିବା ଦିଗରେ ଆନ୍ତରିକତା ପ୍ରକାଶ ପାଉନଥିବା ଅଭିଯୋଗ ହୋଇଛି। ବିନା ପଞ୍ଜୀକରଣରେ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଉଥିବାରୁ କୈାଣସି ଅଘଟଣ ଘଟିଲେ ସରକାରୀ ସହାୟତା ମିଳିବା ନେଇ ଅନିଶ୍ଚିତତା ଦେଖାଦେଉଛି।

ପ୍ରକାଶ ଯେ, ପ୍ରତିବର୍ଷ ନୂଆଁଖାଇ ପୂର୍ବରୁ ଶ୍ରମିକମାନେ କମ୍ପାନି ମାଲିକଠାରୁ ବଇନା (ଅଗ୍ରିମ ଟଙ୍କା) ଆଣି ରୋଜଗାର ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଗତ କରୋନା ସମୟରେ ଭିଟାମାଟିକୁ ଫେରିଥିବା ଶ୍ରମିକମାନେ ଜିଲ୍ଲାରେ କାମ ଧନ୍ଦା ନପାଇ ପୁଣି ଦାଦନମୁହାଁ ହୋଇଥିଲେ। ଜିଲ୍ଲାରେ ମନ୍‌ରେଗା ଯୋଜନାରେ ବିଳମ୍ବରେ ପ୍ରାପ୍ୟ ପାଉଥିବା ଯୋଗୁଁ ଶ୍ରମିକମାନେ ଏହି କାର୍ଯ୍ୟ ପାଇଁ ମୁହଁ ମୋଡ଼ୁଥିବା ଦେଖିବାକୁ ମିଳୁଛି। ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ଅନେକ ସମୟରେ ନିର୍ଯାତନାର ଶିକାର ହେବା ସହ ଏପରିକି ମୃତ୍ୟୁର ଶିକାର ମଧ୍ୟ ହେଉଛନ୍ତି। ନିର୍ମାଣ ଶ୍ରମିକମାନମାନେ ପଞ୍ଜୀକରଣ ପାଇଁ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଗଲେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି।

ବର୍ଷ ବର୍ଷ ଧରି ଏଭଳି ଚାଲିଥିବାରୁ ଦାଦନ ଚାଲାଣକୁ ରୋକିବାରେ ଜିଲ୍ଲା ପ୍ରଶାସନ ବିଫଳ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ଶ୍ରମିକ ରାସନ କାର୍ଡକୁ ମଧ୍ୟ ବନ୍ଧା ପକାଇ ଦାଦନ ଖଟିବାକୁ ଯାଉଥିବା ଦେଖାଯାଉଛି। ସରକାରୀ ତଥ୍ୟ ଅନୁସାରେ, କଳାହାଣ୍ଡି ଜିଲ୍ଲାରେ ୨୦୨୩-୨୪ ସୁଦ୍ଧା ୪୯୨୮୬୫ଟି ମନରେଗା ଜବକାର୍ଡଧାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦୨୨-୨୩ ମସିହାରେ ୨୧ ହଜାର ୭୪୦୮ଟି କାର୍ଡରେ ଓ ୨୦୨୩-୨୪ମସିହାରେ ୨,୧୯,୨୫୦ ଜବ କାର୍ଡରେ କାମ ହୋଇଛି। ଯୋଜନାରେ ବାଟମାରଣା ‌ଯୋଗୁଁ ଠିକାଦାର ମାଲାମାଲ ହେଉଥିବା ବେଳେ ପ୍ରକୃତ ଶ୍ରମିକ ରାଜ୍ୟ ବାହାରେ ଦାଦନ ଖଟୁଛି। ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କୁ ପଚାରିବାରୁ ‌ସେ କହିଲେ, ଜିଲ୍ଲାରେ ୩୫୦ରୁ ଅଧିକ ଦାଦନ ପଞ୍ଜୀକରଣ ହୋଇ ରାଜ୍ୟ ବାହାରକୁ କାମ କରିବାକୁ ଯାଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୧୨ ଜଣ ଦାଦନ ଶ୍ରିମକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଛି। କିନ୍ତୁ ବହୁ ଶ୍ରମିକ ବିନା ପଞ୍ଜୀକରଣରେ ରାଜ୍ୟ ବାହାରକୁ କାମ ପାଇଁ ଯାଉଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର