ଦିଲ୍ଲୀ, ଲକ୍ଷ୍ନୌରୁ ନକଲି ଔଷଧ ଆମଦାନି; ଜେଲ୍‌ଗଲା ଅଭିଯୁକ୍ତ ବିଜୟ ଅଗ୍ରଵାଲ୍

ଷ୍ଟ୍ରିପ୍‌ରେ ୫୦ ପ୍ରତିଶତ ଲାଭ, କ୍ରିଷ୍ଣା ମେଡିକୋ, ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲର କାଗଜପତ୍ର ଯାଞ୍ଚ

କଟକ : ନକଲି ‘ଓ-୨ ଔଷଧ କାରବାରରେ ସଂପୃକ୍ତ ଅଭିଯୋଗରେ ଚୌଧୁରୀବଜାରର ଶ୍ରୀ ଡିଷ୍ଟ୍ରିବ୍ୟୁଟର ମାଲିକ ବିଜୟ ଅଗ୍ରଵାଲକୁ ଗିରଫ କରି ଆଜି ପୁରୀଘାଟ ଥାନା ପୁଲିସ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ‘ଓ-୨ର ପ୍ରସ୍ତୁତକର୍ତ୍ତା ପ୍ରତିଷ୍ଠିତ ଔଷଧ କମ୍ପାନି ମେଡଲି କମ୍ପାନିର ଡିଷ୍ଟ୍ରିବ୍ୟୁଟର ସଂସ୍ଥା ଶିଖରପୁର କାଳିଆବୋଦା ନିକଟରେ ରହିଛି। ଏହା ଓଡ଼ିଶା ପାଇଁ ଏକମାତ୍ର ଔଷଧ ଯୋଗାଣ ପାଇଁ ପଞ୍ଜୀକୃତ ଡିଷ୍ଟ୍ରିବ୍ୟୁଟର। କିନ୍ତୁ ବିଜୟ ଅଗ୍ରଵାଲ୍ ‘ଓ-ଟୁର ଦୁଇଟି କମ୍ପୋଜିସନ୍ (ଓଫ୍ଲୋକ୍ସାସିନ ଏବଂ ଓରିଣ୍ଡାଜୋଲ) ଔଷଧ ଏଠାରୁ ଆଣୁ ନଥିଲେ। ଷ୍ଟ୍ରିପ୍ ପିଛା ୫୦ ପ୍ରତିଶତ ଅତିରିକ୍ତ ଲାଭ ଆଶାରେ ବିଜୟ ଦିଲ୍ଲୀ ଓ ଲକ୍ଷ୍ନୌରେ ଥିବା ଦୁଇଟି ଜାଲି ସଂସ୍ଥାରୁ ଏହି ଔଷଧ ଆଣୁଥିଲା।

ସୂଚନା ଅନୁଯାୟୀ, ସ୍ପେଶାଲ୍ ଟାସ୍କଫୋର୍ସ ସୋମବାର ଶ୍ରୀ ଡିଷ୍ଟ୍ରିବ୍ୟୁଟରରେ ଚଢ଼ଉ କରି ୧୪ଶହ ୪୦ ଷ୍ଟ୍ରିପର ‘ଓ-ଟୁ’ ଜବତ କରିଥିଲା। ଜବତ ଔଷଧର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ତେବେ ପୁରୀଘାଟ ଥାନା ପୁଲିସ ଏହି ଘଟଣାର ତଦନ୍ତ କରିବାପରେ ୨୦୧୯ରୁ ଔଷଧ ବ୍ୟବସାୟ କରିଆସୁଥିବା ବିଜୟ ୨୦୨୨ ଜୁଲାଇରେ ଏଭଳି ନକଲି ଔଷଧ କାରବାର ଆରମ୍ଭ କରିଥିବା ଜାଣିବାକୁ ପାଇଛି। ପୁରୀଘାଟରୁ କାଳିଆବୋଦା ମାତ୍ର ୬ କିମି ଦୂରତାରେ ‘ଓ-ଟୁ’ ଔଷଧର ଡିପୋ ଥିବା ବେଳେ ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ଔଷଧ ଆମଦାନୀ ପଛରେ ବଡ଼ ଧରଣର କେଳେଙ୍କାରୀ ଥିବା ପୁଲିସ ସନ୍ଦେହ କରୁଛି। ରାଜ୍ୟ ବାହାରେ ଥିବା ଏହି ଦୁଇ ସଂସ୍ଥାର ଲାଇସେନ୍ସ ଯାଞ୍ଚ ପାଇଁ ସେଠାକାର ଡ୍ରଗ୍ସ କମିସନରଙ୍କୁ ପୁରୀଘାଟ ଥାନା ପୁଲିସ ପକ୍ଷରୁ ଚିଠି ଲେଖାଯାଇଛି। ପୁଲିସ ଟିମ୍ ରାଜ୍ୟ ବାହାରକୁ ଯିବାକୁ ଯୋଜନା କରୁଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଏହି ନକଲି ଔଷଧ ସେ ପଠାଇଥିବା ଜେରା ବେଳେ ପୁଲିସ ସାମନାରେ ସ୍ବୀକାର କରିଛି।
ପୁରୀଘାଟ ଥାନା ପୁଲିସ ଗ୍ଲେନମାର୍କ କମ୍ପାନିର ଟେଲମା ଓ ଟେଲମା-୪୦ ଔଷଧ କାରବାର ମାମଲାରେ ପୁଲିସ ୮ ଜଣଙ୍କୁ ଗିରଫ କରି ସାରିଲାଣି। ଏହି ମାମଲାରେ ହିମାଚଳପ୍ରଦେଶ ଲିଙ୍କ୍ ସାମନାକୁ ଆସିଥିଲା। ଗଲା ୧୩ ତାରିଖରେ ପୁଲିସ ନୟାସଡ଼କ ମେସର୍ସ ଶ୍ରୀ ଏମଏଚ୍ ଫାର୍ମାସ୍ୟୁଟିକାଲର ମାଲିକ ଦାମୋଦର ଚୌଧୁରୀକୁ ଗିରଫ କରିଥିଲା। ପୁଲିସ ତା ନିକଟରୁ ୩୭ ଲକ୍ଷ ଟଙ୍କାର ନକଲି ଟେଲମା ଓ ଟେଲମା-୪୦ ଔଷଧ ଜବତ କରିଥିଲା। ଭିଆର୍ ଏଜେନ୍ସି ମାଲିକ ରାହୁଲ୍ କିଆଲ୍ ସହିତ ଦାମୋଦର ସମ୍ପର୍କ ରଖିଥିବା ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର