ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳିବିନିମୟ: ମାଓ ସାମଗ୍ରୀ ଜବତ, କ୍ରସ ଫାଇରିଂରେ ଜଣେ ସ୍ଥାନୀୟ ମହିଳା ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ବୋଡଗା ଜଂଗଲରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ମହିଳା ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ଘଟଣା ଅନୁଯାୟୀ ଭେରମଗଡ ମାଓ ସଂଗଠନର ସଦସ୍ୟମାନେ ବୋଡଗା ଜଂଗଲରେ କ୍ୟାମ୍ପ କରି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଡିଆରଜି ଯବାନ ଏବଂ ଏସଟିଏଫ ଯବାନ ମିଳିତ ଭାବେ ବୋଡଗା, ତାକିଲୋଡ ଏବଂ ଉସପାରୀ ଜଂଗଲରେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ଦୀର୍ଘ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୁଳିବିନିମୟ ହୋଇଥିଲା।

ତେବେ ଯବାନଙ୍କ ଗୁଳିର ସାମ୍ନା ନକ୍ସଲ କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଯବାନ ଏବଂ ନକ୍ସଲଙ୍କର କ୍ରସ ଫାଇରିଂରେ ସ୍ଥାନୀୟ ଜଣେ ମହିଳା ଜଂଗଲରେ କୌଣସି କାମରେ ଯାଇଥିବା ବେଳେ ତାଂକୁ ଗୁଳି ବାଜିଥିଲା। ସେ ଗୁରୁତର ହେବାରୁ ଯବାନ ତାଂକୁ ଭେରମଗଡ ସ୍ବାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଜଗଦଲପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତ ମହିଳା ଜଣକ ହେଲେ ରାଜେ ଓୟମା(୪୪)।ମହିଳାଙ୍କୁ ତୁରନ୍ତ ରକ୍ତ ଦରକାର ପଡିବାରୁ ଯବାନମାନେ ମହିଳାଙ୍କୁ ରକ୍ତ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ସେହି ଅଂଚଳକୁ ଯବାନ ସିଲ କରିବା ସହ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

ସମ୍ବନ୍ଧିତ ଖବର