ଦୁଇ ସବ୍‌ଡିଭିଜନର ୨୫ ଗାଁକୁ ରାସ୍ତା ନାହିଁ; କେବଳ ୯୭୧ ଗାଁକୁ ପାଦଚଲା ରାସ୍ତା

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଛି ୪୭୧ 

ରାଉରକେଲା: ବିଭିନ୍ନ ଗାଁକୁ ରାସ୍ତା ସଂଯୋଗ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌), ଓମ୍‌ବାଡ୍‌ସି, ସ୍ବତନ୍ତ୍ର କ୍ଷେତ୍ର ଗ୍ରାମୀଣ ସଂଯୋଗୀକରଣ ପ୍ରାଧିକରଣ(ଏସ୍‌ଏଆର୍‌ସିଏ) ଓ ଉପାନ୍ତ ଆଦି ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। ତେବେ ରାଉରକେଲା ଗ୍ରାମ୍ୟ ନିର୍ମାଣ(ଆର୍‌ଡବ୍ଲ୍ୟୁ) ବିଭାଜନରେ ରାସ୍ତା ସଂଯୋଗୀକରଣ ବେଗ ଧରିପାରୁନି। ଏବେସୁଦ୍ଧା ଏହି ଡିଭିଜନର ୨୫ଟି ଗାଁ/ପଡ଼ାକୁ ରାସ୍ତା ନିର୍ମାଣ କରାଯାଇପାରିନି। ଫଳରେ ଏହି ୨୫ ଗ୍ରାମର ବାସିନ୍ଦା ଏବେ ବଣପାହାଡ଼ ଘେରି ରହିଥିବା ପାଦଚଲା ରାସ୍ତାରେ ଗମନାଗମନ କରୁଛନ୍ତି।
ରାଉରକେଲା ଡିଭିଜନରେ ୮ଟି ବ୍ଳକ, ଯଥା-କୁଆରମୁଣ୍ଡା, ନୂଆଗାଁ, ବିଶ୍ରା, ଲାଠିକଟା, କୋଇଡ଼ା, ଗୁରୁଣ୍ଡିଆ, ବଣାଇଁ ଓ ଲହୁଣୀପଡ଼ା ବ୍ଲକରେ ମୋଟ୍‌ ୯୯୬ଟି ଗାଁ/ପଡ଼ା ରହିଛି। ଏଥିମଧ୍ୟରୁ ବିଭିନ୍ନ ଯୋଜନାରେ ୯୭୧ଟି ଗାଁ/ପଡ଼ାକୁ ରାସ୍ତା ଥିବାବେଳେ ଅବଶିଷ୍ଟ ୨୫ ଗାଁକୁ ରାସ୍ତା ନିର୍ମାଣ ସମ୍ଭବ ହୋଇନି। ଏଯାଏ ପିଏମ୍‌ଜିଏସ୍‌ୱାଇରେ ମୋଟ୍‌ ୪୪୫ଟି ରାସ୍ତା ନିର୍ମାଣ କରି ୬୩୨ଟି ଗାଁ/ପଡ଼ାକୁ ସଂଯୋଗ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨୬ଟି ରାସ୍ତା ନିର୍ମାଣକରି ୫୭ ଗାଁକୁ ସଂଯୋଗ କରାଯାଇଥିବାବେଳେ ଡିଏମ୍‌ଏଫ୍‌ ପାଣ୍ଠିରୁ ୧୧୯ ରାସ୍ତା ତିଆରି ୨୪୩ ଗାଁ, ଓମ୍‌ବାଡ୍‌ସି ମାଧ୍ୟମରେ ୮ଟି ରାସ୍ତା ନିର୍ମାଣକରି ୨୦ଟି ଗାଁ, ପିଆର୍‌ ରୋଡ୍‌ ୪ଟି ନିର୍ମାଣକରି ୯ ଗାଁକୁ ସଂଯୋଗ, ଉପାନ୍ତ ଯୋଜନାରେ ଗୋଟିଏ ରାସ୍ତା ନିର୍ମାଣକରି ୨ଟି ଗାଁ ଓ ଏସ୍‌ଏଆର୍‌ସିଏ ମାଧ୍ୟମରେ ୩ଟି ରାସ୍ତା ନିର୍ମାଣକରି ୮ ଗାଁ/ପଡ଼ାକୁ ସଂଯୋଗ  ଉଲ୍ଲେଖଯୋଗ୍ୟ, ପିଏମ୍‌ଜିଏସ୍‌ୱାଇ ଓ ଏମ୍‌ଏମ୍‌ଏସ୍‌ୱାଇରେ ସର୍ବାଧିକ ୪୭୧ଟି ରାସ୍ତା ନିର୍ମାଣ କରାଯାଇଛି। ଏ ବାବଦକୁ ୯୩୧.୫୬ କୋଟି ଟଙ୍କା ବ୍ୟୟ କରାଯାଇଛି।
ସମ୍ବନ୍ଧିତ ଖବର