ଅନୈତିକ ସଂପର୍କ କାଳ ହେଲା; ରାଇରଙ୍ଗପୁର ଯୁବକଙ୍କୁ ଝାଡ଼ଖଣ୍ଡରେ ବୀଭତ୍ସ ହତ୍ୟା

ରାଇରଙ୍ଗପୁର: ଅନୈତିକ ସଂପର୍କ ଜଣେ ଓଡ଼ିଆ ଯୁବକଙ୍କ ପାଇଁ କାଳ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଂଗପୁର ଅଞ୍ଚଳର ଜନୈକ ଯୁବକଙ୍କୁ ଝାଡ଼ଖଣ୍ଡରେ ବୀଭତ୍ସ ହତ୍ୟା କରାଯାଇଛି। ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ଭଳି ଏହି ଘଟଣା ଘଟିଛି। ହତ୍ୟାକାରୀମାନେ ଜନୈକ ଯୁବକଙ୍କୁ ହତ୍ୟା କରିବା ପରେ ଏକ କଟର୍ ମେସିନ ସାହାଯ୍ୟରେ ମୃତଦେହକୁ ଖଣ୍ଡଖଣ୍ଡ କରି ସୁଟକେସ୍‌ରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଛନ୍ତି। ମୃତ ଯୁବକ ହେଲେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୭ ଗଢ଼ର ଡମ୍ବରୁଧର ମହାନ୍ତି ଓରଫ ବିକି (୩୫)। ସେ ନିଖୋଜ ହୋଇଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରି ଶେଷରେ ବିକ୍କିର ମୃତଦେହକୁ ବିଭିନ୍ନ ସ୍ଥାନରୁ ଜବତ କରିଛନ୍ତି। ହତ୍ୟାକାଣ୍ଡ ସହିତ ସଂପୃକ୍ତି ମୁଖ୍ୟ ଅଭିଯୁକ୍ତ ଖୁସବୁ ସାଗର ଓ ତାଙ୍କ ସ୍ବାମୀ କମଳାକାନ୍ତ ସାଗରକୁ ଟାଟା ନଗରର ସୋନାରୀ ଏୟାରପୋର୍ଟ ନିକଟରୁ ପୁଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ କରିବା ସହିତ ଖଣ୍ଡ ଖଣ୍ଡ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ରାଇରଙ୍ଗପୁର ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର ପରେ ଶ୍ମଶାନରେ ଦାହ କରାଯାଇଛି।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ ୭ ଗଢ଼ର ଡମ୍ବରୁଧର ମହାନ୍ତି ଓରଫ ବିକ୍କି ଗତ ମାର୍ଚ୍ଚ ମାସ ୨୦ ତାରିଖରୁ ଅଞ୍ଚଳରୁ ନିଖୋଜ ଥିବା ନେଇ ତାଙ୍କ ସ୍ତ୍ରୀ ଇନୁଶ୍ରୀ ମହାନ୍ତି ଏପ୍ରିଲ  ୧୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଘଟଣାର ଛାନଭିନ ଆରମ୍ଭ କରି ଉକ୍ତ ଯୁବକଙ୍କ ଝାଡ଼ଖଣ୍ଡର କୌଣସି ମହିଳା ସହିତ ଅନୈତିକ ସମ୍ପର୍କ ଥିବା ଜାଣିବାକୁ ପାଇଥିଲା। ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କ ନେତୃତ୍ୱରେ ରାଇରଙ୍ଗପୁର ଆଇଆଇସି ସ୍ୱର୍ଣ୍ଣଲତା ମିଞ୍ଜଙ୍କୁ ନେଇ ଏକ ଆଠ ଜଣିଆ ସ୍ବତନ୍ତ୍ର ଦଳ ଗଠନ କରା ଯାଇଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ ଡମ୍ବରୁଧର ମହାନ୍ତିଙ୍କ ସହ ଜାମସେଦପୁର ସୋନାରି ଏୟାରପୋର୍ଟ ନିକଟରେ ରହୁଥିବା ଖୁସବୁ ସାଗରଙ୍କ ଅନୈତିକ ସମ୍ପର୍କ ରହିଥିଲ। ଏହାପରେ ସ୍ବତନ୍ତ୍ର ଟିମ୍ ଜାମସେଦପୁରର ସୋନାରି ପୁଲିସ ସହାୟତାରେ ଉଭୟ  କମଳାକାନ୍ତ ସାଗର ଓ ତାଙ୍କ ସ୍ତ୍ରୀ ଖୁସବୁ ସାଗରଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପଚରାଉଚରା ପରେ ସେମାନେ ଡମ୍ବରୁଧରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ମାର୍ଚ୍ଚ ୨୧ ତାରିଖ ଦିନ ଖୁସବୁ ସାଗର ତା’ର ବାସଭବନରେ ଡମ୍ବରୁଧରକୁ ମୃଦୁ ପାନୀୟ ଜଳରେ ନିଦ ବଟିକା ଦେଇ ବେହୋସ୍ କରିଥିଲା। ଏହା ପରେ ସେ ସ୍ବାମୀଙ୍କ ସହିତ ମିଶି ଏକ ଛୁରୀ ସାହାଯ୍ୟରେ ଡମ୍ବରୁଧରକୁ ହତ୍ୟା କରିଥିଲା। ପରେ ଏକ କଟର୍ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଚାରୋଟି ସୁଟକେସ୍‌ରେ ଭର୍ତ୍ତି କରି ବିଭିନ୍ନ ସ୍ଥାନରେ ଫୋପାଡି ଦେଇଥିଲା।
ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀ ଝାଡ଼ଖଣ୍ଡର ଥନଥନ ଘାଟି, ଜାମବଣି ଏବଂ କମଲପୁର ବୋଡାମ ପୁଲିସ ଷ୍ଟେସନ ଟାଟା-ରାଞ୍ଚି ରୋଡ ରାସ୍ତାରେ ମୃତଦେହ ଖଣ୍ଡ ଖଣ୍ଡ ଅଂଶକୁ ଫୋପାଡି ଦେଇଥିଲେ। ଅଭିଯୁକ୍ତ ସ୍ବାମୀ ସ୍ତ୍ରୀଙ୍କ ବୟାନକୁ ଆଧାର କରି ରାଇରଙ୍ଗପୁର ପୁଲିସର ଟିମ୍ ସେହି ସ୍ଥାନ ଗୁଡ଼ିକରୁ ସୁଟକେସରେ ଭର୍ତ୍ତି ଥିବା ମୃତଦେହର ଖଣ୍ଡ ଖଣ୍ଡ ଅଂଶଗୁଡ଼ିକୁ ଜବତ କରିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡ଼କାଇଥିଲେ। ପରେ ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ପରେ ଖଣ୍ଡଖଣ୍ଡ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ପଠାଯାଇଥିଲା। ଅନ୍ୟପଟେ ମୃତକଙ୍କ ପରିବାର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତକଙ୍କ ଏକ ୧୪ ବର୍ଷର ପୁଅ ଓ ସ୍ତ୍ରୀ ଥିବାବେଳେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ମା’ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର