ମିସନ ଓଡ଼ିଶା@ ୨୦୩୬: ‘ବିଦ୍ୟୁତ ବିଭ୍ରାଟର କୁପରିଣାମ ଭୋଗିବେ ସରକାର’
ଭୁବନେଶ୍ବର : ରାଜ୍ୟରେ ମନଇଛା ବିଜୁଳି ବିଲ ଆଦାୟ ହେଉଛି। ତାହା ପୁଣି ସାରା ଦେଶର ବିଜୁଳି ଦର ଠାରୁ ମହଙ୍ଗା। ତା ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ। ଏବେ ଆରମ୍ଭ କଲେଣି ଆଗୁଆ ବିଜୁଳି ବିଲ ଆଦାୟ ବ୍ୟବସ୍ଥା। ରାଜ୍ୟର ୯୯ ଲକ୍ଷ ୧୮ ହଜାର ବିଦ୍ୟୁତ ଉପଭୋକ୍ତା ଆଉଟୁ ପାଉଟୁ ହେଲେଣି। ଉପଭୋକ୍ତାଙ୍କୁ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ ରାଜ୍ୟ ବିଦ୍ୟୁତ ବୋର୍ଡକୁ ଭାଙ୍ଗି ବିଦ୍ୟୁତ ବିଭାଗର ସଂସ୍କାର କରାଗଲା। ହେଲେ ଲକ୍ଷ୍ୟ ପୂରଣ ହେଲା ନାହିଁ। ବରଂ ଘରୋଇ ସଂସ୍ଥା ଉପଭୋକ୍ତାଙ୍କୁ ଦହଗଞ୍ଜ କଲା। ଏହାର ପ୍ରତିବାଦରେ ପ୍ରଥମ ପର୍ଯ୍ୟାୟରେ ରାଜଭବନ ଆଗରେ ଚଳିତ ମାସରେ ସତ୍ୟାଗ୍ରହର ଡାକରା ଦେଇଛି ମିସନ ଓଡ଼ିଶା @୨୦୩୬। ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ ଗାଁ ଗାଁକୁ ବ୍ୟାପିବ। ଏହାର କୁପରିଣାମ ସରକାର ଭୋଗିବେ ବୋଲି ଆଜି ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଂଗଠନର ଯୁକ୍ତି ହେଉଛି, ୧୯୯୯ ମସିହାରେ ହୋଇଥିବା ବିଦ୍ୟୁତ ସଂସ୍କାରର ମୂଳ ଲକ୍ଷ ଥିଲା ଭିତ୍ତିଭୂମି ଅର୍ଥାତ ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମରଗୁଡିକ ପରିବର୍ତ୍ତନ କରି ଉନ୍ନତ ମାନର ୨୪ ଘଣ୍ଟିଆ ବିଦ୍ୟୁତ ସେବା ଗ୍ରାହକଙ୍କ ପାଖରେ ପହଞ୍ଚାଇବା। ଘରୋଇ କମ୍ପାନିମାନଙ୍କୁ ଏହି ବ୍ୟବସାୟରେ ପୁଞ୍ଜି ଲଗାଇବାକୁ ଆକୃଷ୍ଟ କରିବା। ସଂସ୍କାରର ୨୩ ବର୍ଷ ପରେ କେତେକ ଅପାରଗ ତଥା ଦୁର୍ନୀତି ଖୋର ଅଫିସରଙ୍କ ପାଇଁ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଅକାମୀ ହୋଇଯାଇଛି। ହଜାର ହଜାର କୋଟି ଟଙ୍କା ପାଣିରେ ପଡ଼ିଛି। ଭଙ୍ଗା ଖୁଣ୍ଟ, ପୁରୁଣା ତାର ଓ ଦଦରା ଟ୍ରାନ୍ସଫର୍ମର ଯୋଗୁ ବିଦ୍ୟୁତ ବିଭ୍ରାଟ ସହିବାର ସୀମା ଲଂଘିଛି। ଏଣୁ ୭ ଦଫା ଦାବି ନେଇ ମିସନ ଓଡ଼ିଶା @ ୨୦୩୬ ସତ୍ୟାଗ୍ରହ କରିବାକୁ ଯାଉଥିବା ପ୍ରକାଶ କରିଛି।
ଦାବିଗୁଡ଼ିକ ହେଉଛି, ୨୩ ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହୋଇଥିବା ଅର୍ଥର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା, ଟାଟା ପାୱାର ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ଯେଉଁ ଅର୍ଥ ଆଦାୟ କରୁଛି ତାହାର ତଦନ୍ତ ହେବା, ଉନ୍ନତମାନର ନିରବଛିନ୍ନ ବିଦ୍ୟୁତ ଯୋଗାଇବାରେ ସରକାର ବିଫଳ ହୋଇଥିବାରୁ ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାଙ୍କୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବା, ସର୍ବଭାରତୀୟ ସ୍ତରରୁ କମ୍ ମୂଲ୍ୟରେ ବିଦ୍ୟୁତ ଦର ନିର୍ଦ୍ଧାରଣ କରିବା, ପ୍ରତ୍ୟେକ ଉପଭୋକ୍ତାଙ୍କୁ ବିନାମୁଲ୍ୟରେ ୨୦୦ ୟୁନିଟ ବିଦ୍ୟୁତ ପ୍ରଦାନ କରିବା, ଓଡ଼ିଶା ଠିକାଦାରମାନଙ୍କୁ କାମ ଦେବା, ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକମାନଙ୍କର ଦରମା ଓ ଅନନ୍ୟା ସୁବିଧା ଟାଟା ପାୱାର କର୍ମଚାରୀମାନଙ୍କ ଦରମା ସହ ସମାନ କରିବା ମୁଖ୍ୟ ରହିଛି।
ସାମ୍ବାଦିକ ସମ୍ମିଳନୀରେ ‘ଆମ ଜନତା ଅଧିକାର’ ଉପଦେଷ୍ଟା ତଥା ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ, ଆବାହକ ମନୋଜ ଜେନା, ସହ ଆବାହକ ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଅଶୋକ ଜେନା, ମମତା ସାମନ୍ତରାୟ, ବିଭୁ ମହାନ୍ତି, ସୌମ୍ୟ ରଞ୍ଜନ ପ୍ରଧାନ, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।