ନିର୍ବାଚନ ପୂର୍ବରୁ ବଦଳିଲେ ଅଧିକାରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ପିଡି

ଦାୟିତ୍ବ ହସ୍ତାନ୍ତର କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏସ୍‌ପି, ପିକେଡିଏ ସଚିବ ହେଲେ ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ

ପୁରୀ: ଆଉ କେଇ ମାସ ପରେ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ନିର୍ବାଚନରେ ନିରପେକ୍ଷତା ପାଇଁ ନିର୍ବାଚନ ଆୟୁକ୍ତଙ୍କ ଆଦେଶକ୍ରମେ ସାରା ରାଜ୍ୟରେ ଅଧିକାରୀଙ୍କ ବଦଳି ଆରମ୍ଭ ହୋଇଛି। ପୁରୀ ଜିଲ୍ଲାରେ ବି ଏ ନେଇ ଅଧିକାରୀସ୍ତରରେ ବଡ଼ଧରଣର ବଦଳି ହୋଇଛି। ଶ୍ରୀମନ୍ଦିରର ପ୍ରଥମ ସ୍ଥାୟୀ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଓ ଏସ୍‌ପି ଆଜି ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ବଦଳି ହୋଇଛି। ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ସ୍ଥାୟୀ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଚଳିତବର୍ଷ ମେ ୨ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ବହୁ ଆଇଏଏସ୍‌ଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତି ମିଳିଥିଲେ ବି ସମସ୍ତେ ଅତିରିକ୍ତ ଦାୟିତ୍ବରେ ରହୁଥିଲେ। ଶ୍ରୀ ଦାସ ନିଜ କାର୍ଯ୍ୟକାଳ ଭିତରେ ଅନେକ ଉଦାହରଣମୂଳକ ପଦକ୍ଷେପ ନେଇଛନ୍ତି। ଅଶାଳୀନ ପୋଷାକ ପରିଧାନ କରି ଶ୍ରୀମନ୍ଦିରରେ ପ୍ରବେଶ କଟକଣା ହେଉ କି ପାନ, ଗୁଟ୍‌ଖା ଖାଇ ଶ୍ରୀମନ୍ଦିରକୁ ଯିବା କଟକଣା, ସବୁଥିରେ ସେ ଚର୍ଚ୍ଚାରେ ରହିଥିଲେ। ଶ୍ରୀ ଦାସଙ୍କ ବଦଳି ପରେ ଏହି ପଦବି ପୁଣିଥରେ ଖାଲି ପଡ଼ିଛି। ଆଜି ସନ୍ଧ୍ୟାରେ ଶ୍ରୀ ଦାସ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ବଦଳି ଆଦେଶ ଅନୁଯାୟୀ, ସେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ କାର୍ଯ୍ୟ କରିବେ। ଅନ୍ୟପଟେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ପୁରୀ ଏସ୍‌ପି ଡା. କେ. ବିଶାଳ ସିଂହଙ୍କୁ ଡିଆଇଜି ଭାବେ ଦୁଇ ମାସ ତଳୁ ପଦୋନ୍ନତି ମିଳିଲାଣି। କିନ୍ତୁ ନୂଆବର୍ଷ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଳି ଅନେକ ଦାୟିତ୍ବ ଥିବାରୁ ତାଙ୍କର ବଦଳି ହୋଇନଥିଲା। ନିକଟରେ କଟକ ଡିସିପି ଭାବେ ତାଙ୍କ ବଦଳି ହୋଇଛି। ଏଣୁ ସେ ଆଜି ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଆଜି ସନ୍ଧ୍ୟାରେ ଡା. ସିଂହଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀ, ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ତାଙ୍କୁ ଭେଟି ବିଦାୟ ଜଣାଇଛନ୍ତି। ଡ. ସିଂହଙ୍କ ମେଳାପୀ ବ୍ୟକ୍ତିତ୍ବ ଓ ଲୋକଙ୍କ ସହ କାମ କରିବା ଶୈଳୀଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଡା. ସିଂହଙ୍କ ବଦଳରେ କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି। ଶ୍ରୀ ମିଶ୍ର ଖୁବ୍‌ଶୀଘ୍ର ଏସ୍‌ପି ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି।

ଅନ୍ୟପଟେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସହକାରୀ ମୁଖ୍ୟ ପ୍ରଶାସକ ପ୍ରଶାସକ ଭାବେ ବଦଳି କରାଯାଇଛି। ଆଦେଶରେ ମୁଖ୍ୟ ପ୍ରଶାସକ ଓ ସହକାରୀ ମୁଖ୍ୟ ପ୍ରଶାସକ ଗୋଟିଏ ରୢାଙ୍କର ବୋଲି ଉଲ୍ଲେଖ କରାଯାଇଛି। ଏଣୁ ଶ୍ରୀ ବର୍ମା ଖାଲି ପଡ଼ିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବ ମୁଣ୍ଡାଇ ପାରନ୍ତି। ସେ ମଙ୍ଗଳବାର ସହକାରୀ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ସେ ନୂଆ ଜିଲ୍ଲାପାଳଙ୍କୁ ଦାୟିତ୍ବ ହନ୍ତାନ୍ତର କରିଛନ୍ତି। ସେହିଭଳି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଯୁଗ୍ମ ପ୍ରଶାସକ ଭାବେ କାର୍ଯ୍ୟ କରିବେ। ସେହିଭଳି ଉପଜିଲ୍ଲାପାଳ ଭବତାରଣ ସାହୁଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଉପପ୍ରଶାସକ ଭାବେ ବଦଳି ହୋଇଛି। ତାଙ୍କ ଜାଗାରେ ପୁରୀ ଉପଜିଲ୍ଲାପାଳ ଭାବେ ଯାଜପୁର ଉପଜିଲ୍ଲାପାଳ ଗୋପୀନାଥ କୁଅଁର କାର୍ଯ୍ୟରେ ଯୋଗଦେବେ। ଅପରପକ୍ଷେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହାପାତ୍ର ଓ ଉପଜିଲ୍ଲାପାଳ ଶ୍ରୀ ସାହୁ ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନିଜ ନିଜ ପଦରେ ଯୋଗଦେବେ। ସେପଟେ ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ପ୍ରମୋଦ କୁମାର ପୃଷ୍ଟିଙ୍କୁ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର