ଅଲିଭ୍‌ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଂଗ: କେନ୍ଦ୍ରୀୟ ଯୋଜନା ଅଧୀନରେ ଡଙ୍ଗାରେ ବସିବ ଟ୍ରାନ୍ସପୋଣ୍ଡର

କଟକ : ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ଓଡ଼ିଶା ଓ ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକର ପ୍ରାୟ ୧ ଲକ୍ଷ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା, ଯନ୍ତ୍ରଚାଳିତ ବୋଟ୍, ଟ୍ରଲର୍‌ଗୁଡିକରେ ଟ୍ରାନ୍ସପୋଣ୍ଡର୍‌ ବସାଯିବ। ଶତପ୍ରତିଶତ ସରକାରୀ ପାଣ୍ଠିରେ ଟ୍ରାନ୍ସପୋଣ୍ଡର ଯୋଗାଇ ଦିଆଯିବ। ଏଥିପାଇଁ କେନ୍ଦ୍ର ୬୦ ପ୍ରତିଶତ ଓ ସଂପୃକ୍ତ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବହନ କରିବେ। କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଓ ଡାଏରି ମନ୍ତ୍ରାଳୟ ପକ୍ଷରୁ ଅଲିଭ୍ ରିଡଲେ କଇଁଛ ସୁରକ୍ଷା ମାମଲାରେ ଦାଖଲ ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। କେନ୍ଦ୍ରୀୟ ପିଏସୟୁ ନିଉ ସ୍ପେସ ଇଣ୍ଡିଆ ଲିମିଟେଡକୁ ଏହି ଯୋଜନା କାର୍ଯ୍ୟକାରୀ ପାଇଁ ଦାୟିତ୍ବ ଦିଆଯାଇଛି।

ଓଡ଼ିଶା ସରକାରଙ୍କ ଅନୁରୋଧ ତଥା ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ ସହିତ ପରାମର୍ଶ ପରେ ନ୍ୟାସନାଲ ରୋଲଆଉଟ ଅଫ୍ ଭେସେଲ କମ୍ୟୁନିକେସନ ଆଣ୍ଡ ସପୋର୍ଟ ସିଷ୍ଟମ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଥିଲେ। ଏହି ପ୍ରକଳ୍ପ ଅଧୀନରେ ମାଛ ମାରୁଥିବା ବୋଟ୍‌ଗୁଡ଼ିକରେ ଟ୍ରାନ୍ସପୋଣ୍ଡର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ବସାଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥିସହିତ ରାଜ୍ୟ ସରକାରଙ୍କ ତରଫରୁ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଏସ୍‌ପି ବିଭିନ୍ନ ମେରାଇନ ଥାନାରେ ଖାଲି ପଡିଥିବା ପଦବି ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହିସବୁ ସତ୍ୟପାଠ ଅନୁଧ୍ୟାନ କରି ପକ୍ଷ ରଖିବାକୁ ଆମିକସ୍ କ୍ୟୁରୀ ମୋହିତ ଅଗ୍ରୱାଲଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଲିଭ୍‌ରିଡଲେ କଇଁଛଙ୍କ ସୁରକ୍ଷା ପ୍ରସଂଗ ନେଇ ୨୦୨୧ରେ ହାଇକୋର୍ଟ ନିଜ ଆଡୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର