ଫୋନ୍‌-ଇନ୍‌-ପ୍ଲିଜ୍‌: ଅନ୍ଧ ବିଶ୍ବାସରୁ ସ୍କୁଲ କୋଠା ଭାଙ୍ଗି ନୂଆ କୋଠା କରୁଛନ୍ତି ସରକାର

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସେହି ସ୍କୁଲ ଘର ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଦୃଢ଼ ବ‌ିରୋଧ କରାଯାଇଛି। ଏହା କରିବା ଦ୍ବାରା ସରକାର ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା‌ କହି ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ ପ୍ରସଙ୍ଗ ‘ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ’ରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା ଜିଲ୍ଲା (ଜୟପୁର ସଂସ୍କରଣ)ର ପାଠକ ଏଭଳି ମତ ଦେଇଛନ୍ତି।

ଶତାଧିକ ଖଣ୍ଡ ବିଖଣ୍ଡିତ ମୃତଦେହକୁ ବାହାନଗା ସ୍କୁଲରେ ରଖାଯାଇଥିଲା। ସେହି ଦୃଶ୍ୟକୁ ଭୁଲିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ଆଦୌ ସହଜ ହେବ ନାହିଁ। ବିଦ୍ୟାଳୟର ସେହି କଠୋରି ଆଡକୁ ନଜର ଗଲେ ବାରମ୍ବାର ସେହି ଭୟଙ୍କର ଦୃଶ୍ୟ ମନକୁ ଆସିବ। ତେଣୁ ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ସ୍କୁଲକୁ ଭାଙ୍ଗି ପୁନଃନିର୍ମାଣ କରିବା ନିଷ୍ପତ୍ତିକୁ ଆଦୌ ଅନ୍ଧବିଶ୍ବାସ ସହ ତୁଳନା କରିପାରିବା ନାହିଁ।
ଦେବେନ୍ଦ୍ର ବେଶ୍ରା, ଚନ୍ଦାହାଣ୍ଡି

ବାହାନଗା ହାଇସ୍କୁଲ ଭାଙ୍ଗିବା ଅର୍ଥ ଆଦିମ ଯୁଗର ମାନସିକତାକୁ ପୁନଃସ୍ଥାପନ କରିବା ସଦୃଶ। ବାହାନଗା ହାଇସ୍କୁଲରେ ପ୍ରେତାତ୍ମା ଥିବା କହିବା ଏବଂ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭାଙ୍ଗିବା ସମ୍ପୂର୍ଣ୍ଣ ଭୁଲ। ନିଜ ଘରେ କେହି ମୃତ୍ୟୁବରଣ କଲେ ଆମେ କଣ ନିଜ ଘରକୁ ଭାଙ୍ଗି ଦେଉଛୁ। ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ବଦଳରେ ଅଜ୍ଞତାର ଅନ୍ଧକାରରୁ ଠେଲି ଦେବାକୁ ଚେଷ୍ଟା କରାଯାଉଛି।
ପୀତାମ୍ବର ସୋରୀ, ହେତୁବାଦୀ

ବିଦ୍ୟାଳୟ ହେଉଛି ଜ୍ଞାନର ଅନୁଷ୍ଠାନ। ସରକାର ଅନ୍ଧବିଶ୍ବାସକୁ ସମର୍ଥନ କରିବା ଉଚିତ ନୁହେଁ। ଯେଉଁ ବିଦ୍ୟାଳୟରେ ଭଙ୍ଗା କୋଠରି ରହିଛି, ସେଠାରେ ନୂତନ କୋଠା କରାଯାଉ। ଭଲ ଥିବା କୋଠାକୁ ଭଙ୍ଗି ସେହି ସ୍ଥାନରେ ନୂଆ କୋଠା ନିର୍ମାଣ ଅର୍ଥ ସରକାର ଅନ୍ଧବିଶ୍ବାସକୁ ସମର୍ଥନ କରୁଛନ୍ତି, ତାହା ହେବା ଉଚିତ ନୁହେଁ। ଦେଶ ସବୁବେଳେ ବିଜ୍ଞାନ ଓ ସଂସ୍କାରକୁ ପସନ୍ଦ କରିବ। କୁସଂସ୍କାରକୁ କେହି ପସନ୍ଦ କରିବେ ନାହିଁ।
ବଙ୍କିମ ଚନ୍ଦ୍ର ମଣ୍ଡଳ, ଶିକ୍ଷକ, ଉମରକୋଟ

ବାହାନାଗା ହାଇସ୍କୁଲ ଭାଙ୍ଗିବା, ଅନ୍ଧବିଶ୍ବାସ ଛଡା ‌କିଛି ନାହିଁ। ଆଜିର ପ୍ରସଙ୍ଗ ସହିତ ମୁଁ ଏକମତ। ସରକାର ଅନ୍ଧବିଶ୍ବାସ ଯୋଗୁ ବିନା କାରଣରେ ଭଲ କୋଠାକୁ ଭାଙ୍ଗିବା ଉଚିତ ନୁହେଁ। ଯଦି ନିଜ ଘରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ‌ହେଲେ ତାହାକୁ ଭଙ୍ଗାଯାଉଛି କି?
ଗୋପାଳ ନାଗେଶ, ଚନ୍ଦାହାଣ୍ଡି

ବାହାନଗା ହାଇସ୍କୁଲକୁ ଭାଙ୍ଗିବା ନିଷ୍ପତ୍ତିକୁ ଗ୍ରହଣ କରିହେଉନି। ତଥାପି ଶତାଧିକ ମୃତଦେହ ବହୁଦିନ ଧରି ବିଦ୍ୟାଳୟରେ ରଖାଯାଇଥିଲା। ସେଠାରେ ଆଗକୁ ଛାତ୍ରଛାତ୍ରୀ ନିର୍ଭୟରେ ବସି ପାଠପଢ଼ିବା ସମ୍ଭବ ହେବନାହିଁ। କାରଣ ପିଲାମାନେ ଭୟଭୀତ ହୋଇପାରନ୍ତି। ତେଣୁ ନୂତନ ଭାବେ ସ୍କୁଲ ଘର ନିର୍ମାଣ କରି ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଗଲେ ପିଲାମାନେ ଉପକୃତ ହେବେ।
ପି. ରବିକାନ୍ତ ରଘୁରାମ, ନବରଙ୍ଗପୁର

ଏମିତି କୌଣସି ଜାଗା ନାହିଁ, ଯେଉଁଠାରେ ଶବ ରହିନଥିବ। ଏମିତି କୌଣସି ଘର ନାହିଁ, ଯେଉଁଠାରେ କେହି ମୃତ୍ୟୁବରଣ କରିନଥିବେ। ଡାକ୍ତରଖାନାରେ ବହୁ ଜଣ ମୃତ୍ୟୁବରଣ କରୁଛନ୍ତି, ଶବ ମଧ୍ୟ ଡାକ୍ତରଖାନାରେ ବହୁ ଦିନ ଧରି ରହୁଛି। ତାହା ବୋଲି କଣ ଆମେ ଡାକ୍ତରଖାନା ବ୍ୟବହାର କରିବା ବନ୍ଦ କରିଦେଇଛୁ କି? ହଁ, ଛୋଟ ପିଲାଙ୍କୁ ବୁଝାଇବାର ଆବଶ୍ୟକତା ରହିଛି। ସେମାନଙ୍କ ମନରୁ ଭୟ ଦୂର କରିବାର ଆବଶ୍ୟକତା ରହିଛି। ବାହାନଗା ହାଇସ୍କୁଲ ଭାଙ୍ଗିବା ନିଷ୍ପତ୍ତିର ଭିନ୍ନ ପ୍ରଭାବ ଆଗାମୀ ପିଢ଼ିର ପିଲାଙ୍କ ଉପରେ ପଡିବ।
ମାମାଲି ଦାସ, ଜୟପୁର

ବାହାନଗା ଉଚ୍ଚବିଦ୍ୟାଳୟ ଭାଙ୍ଗିବା କେବଳ ଅନ୍ଧବିଶ୍ବାସ ନୁହେଁ ବରଂ ରାଜ୍ୟ ସରକାର କିପରି ରାଜସ୍ବକୁ ଆଖି ବନ୍ଦ କରି ନଷ୍ଟ କରିପାରନ୍ତି ତାହାର ଉଦାହରଣ। ଯଦି ପିଲାଙ୍କ ମନରୁ ଭୟ ଦୂର କରିବାକୁ ପ୍ରଶାସନ ପ୍ରୟାସ କରିଥିଲା। ତେବେ ନୂତନ ବିଦ୍ୟାଳୟ ଅନ୍ୟ କେଉଁଠି ନିର୍ମାଣ କରି ସେହି ପୁରୁଣା ବିଦ୍ୟାଳୟକୁ ଅନ୍ୟ କୌଣସି ସରକାରୀ କାର୍ଯ୍ୟାଳୟ ଭାବେ ବ୍ୟବହାର କରାଯାଇପାରନ୍ତା।
ଏନ୍‌ ରାଜେଶ କୁମାର, ବୋରିଗୁମ୍ମା

ନିଶ୍ଚତ ଭାବେ ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା କିଛି ନୁହେଁ। କିନ୍ତୁ ପରିତାପର ବିଷୟ ହେଉଛି ଗ୍ରାମବାସୀଙ୍କ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଚେଷ୍ଟା ନକରି ବିଦ୍ୟାଳୟ ଭାଙ୍ଗିବାକୁ ପ୍ରାଥମିକତା ଦେଇଛି। ନିଜ ଘରେ ମଧ୍ୟ ନିଜ ଲୋକଙ୍କ ଶବ କିଛି ସମୟ ପାଇଁ ରହୁଛି। ସେହି ପରିସ୍ଥିତିରେ ନିଜ ଘରକୁ ଭାଙ୍ଗିବାର ଉଦାହରଣ ଅଛି କି?
ଅନିରୁଦ୍ଧ ପଲେଇ, ରାୟଗଡ଼ା

ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ସରକାର ଅନ୍ଧବିଶ୍ବାସ ଦୂର କରିବାକୁ ସଚେତନତା ଶିବିର ଆୟୋଜନ କରୁଥିଲେ। ପ୍ରଥମ ଥର ପାଇଁ ଦେଖିଲୁ ଯେ, ସରକାର ଗ୍ରାମବାସୀଙ୍କ ଅନ୍ଧବିଶ୍ବାସକୁ ସମର୍ଥନ କରିଛି। ଛାତ୍ରଛାତ୍ରୀଙ୍କୁ ଭଲ ରୂପେ କାଉନସିଲିଂ କରିଥିଲେ ସରକାରୀ କୋଠାକୁ ଭାଙ୍ଗି ସରକାରୀ ପାଣ୍ଠିରୁ ଏତେ ଟଙ୍କା ପାଣିରେ ଭସାଇବାକୁ ପଡ଼ିନଥାନ୍ତା।
ପପୁଲି ଭୂୟାଁ, ଉମରକୋଟ, ନବରଙ୍ଗପୁର

ଏଭଳି ଏକ ଅନ୍ଧବିଶ୍ବାସକୁ ସରକାର ସମର୍ଥନ କରିବା ଉଚିତ ହେଲା ନାହିଁ। ଆଉ ଗୋଟେ କଥା ମୁଁ ବୁଝିପାରୁନି, ବର୍ତ୍ତମାନ ତ ଖରାଛୁଟି ଚାଲିଛି। ତେଣୁ ଛାତ୍ରଛାତ୍ରୀ ମଧ୍ୟ ବିଦ୍ୟାଳୟ ଯାଉନଥିବେ। ତେଣୁ ବିଦ୍ୟାଳୟ ଯିବାକୁ ଛାତ୍ରଛାତ୍ରୀ ଅମଙ୍ଗ ହେଲେ ନା କିଛି ଲୋକଙ୍କ ନକରାତ୍ମକ ପ୍ରଚାର ଜଙ୍ଗଲ ନିଆଁ ଭଳି ବ୍ୟାପିଲା। ‌ଗୁଜବକୁ ସରକାର ମଧ୍ୟ ଅଧିକ ଗୁରୁତ୍ବ ପ୍ରଦାନ କରିବା ଭଳି ଅନୁଭବ ହେଉଛି।
ମଞ୍ଜୁତାଞ୍ଜଳି ସ୍ବାଇଁ, କୋରାପୁଟ

ଅନ୍ଧବିଶ୍ବାସ ନୁ‌ହେଁ ଯେ ଆଉ କଣ? ବିଦ୍ୟାଳୟ କୋଠା ଭାଙ୍ଗି ଦେଲେ ସେଠାରେ ଥିବା ଭୂତପ୍ରେତ ସବୁ ଚାଲିଯିବେ ଏହା କିପରି ମାନସିକତା। ଏକବିଂଶ ଶତାବ୍ଦୀରେ ସରକାରଙ୍କ ତରଫରୁ ଅନ୍ଧବିଶ୍ବାସକୁ ସମର୍ଥନ କରିବା ଏକ ଭୁଲ ପଦକ୍ଷେପ।
ଅଳକା ସାହୁ, ରାୟଗଡ଼ା

ଭାରତ ଭଳି ଦେଶରେ ବହୁ ଲୋକ ଘର ଖଣ୍ଡିଏ ପାଇଁ ସାରା ଜୀବନ ଅପେକ୍ଷା କରି ରହିବା ପରେ ମଧ୍ୟ ସ୍ବପ୍ନ ପୂରଣ ହୋଇପାରେନି। ଏଭଳି ସ୍ଥିତିରେ ବାହାନଗା ବିଦ୍ୟାଳୟର କଠୋରି ଭାଙ୍ଗିବା ଅପେକ୍ଷା ସେହି ଗ୍ରାମର ଗରିବ ଲୋକଙ୍କୁ ରହିବାକୁ ଦେଇଥିଲେ ସେମାନେ ଖୁସିରେ ବସବାସ କରିପାରନ୍ତେ। ଅନ୍ୟପକ୍ଷରେ ନୂଆ ବିଦ୍ୟାଳୟ ନିର୍ମାଣ କରାଯାଇପାରନ୍ତା।
ରୁତିରା ପାଢ଼ୀ, କୋରାପୁଟ

ବିଦ୍ୟାଳୟରେ ଶବ ରଖାଯାଇଥିବାରୁ ଯଦି ଛାତ୍ରଛାତ୍ରୀ ସେଠାକୁ ଯିବାକୁ ରାଜି ହେଉନଥିଲେ ତେବେ ସେମାନଙ୍କୁ ବୁଝାସୁଝା କରିବାର ଥିଲା। ସେମାନଙ୍କୁ ବୁଝାଇ ଅନ୍ଧବିଶ୍ବାସ ଦୂର କରିଥିଲେ ସୁନ୍ଦର ଉଦାହରଣ ସମାଜ ପାଇଁ ହୋଇଥାନ୍ତା।
ଦେବାଶିଷ ମୁଦୁଲି, ମାଲକାନଗିରି

ବାହାନଗା ସ୍କୁଲ ଭାଙ୍ଗିବା ଉଚିତ ନୁହେଁ। ଏହା ଅନ୍ଧବିଶ୍ବାସ। ଆମେ ଆଗାମୀ ପିଢ଼ିକୁ କଣ ସୂଚନା ଦେବାକୁ ଚେଷ୍ଟା କରୁଛେ। ଆମେ ହିଁ ଆମ ପିଲାଙ୍କ ମନରେ ଭୟ ଭର୍ତ୍ତି କରୁଛୁ। ଯଦି ପ୍ରେତାତ୍ମା ରହିଛି ତେବେ ଡାକ୍ତରଖାନା ଗୁଡିକରେ ରୋଗୀ ମରୁଛନ୍ତି ବୋଲି କଣ ଆମେ ଭାଙ୍ଗିଦେବା।
ସୁରେଶ ମଲ୍ଲିକ, କୁନ୍ଦୁରା

ସମ୍ବନ୍ଧିତ ଖବର