ଜାନକୀଙ୍କ ଗଡ଼ରୁ ଲଢ଼ିବେ ପୁଅ ପୃଥ୍ବୀବଲ୍ଲଭ: ‘ପ୍ରଥମ ଲଢ଼େଇ, ଭଲ କରି ଲଢ଼ିବି’

ଖୋର୍ଦ୍ଧା: ବେଗୁନିଆ ବିଧାନସଭା କ୍ଷେତ୍ର ପାଇଁ ଟିକେଟ୍ ଘୋଷଣା କରିଛି କଂଗ୍ରେସ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗଡ଼ରୁ ଲଢ଼ିବା ପାଇଁ ଦଳ ତାଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଏଥର ସୁଯୋଗ ଦେଇଛି। ଶାସକ ବିଜେଡି ଓ ବିଜେପି ଟିକେଟ ଘୋଷଣାରେ ଟାଳଟୁଳ ନୀତି ଚଳାଇଥିବା ବେଳେ କଂଗ୍ରେସର ପ୍ରାର୍ଥୀ ଘୋଷଣା ବେଗୁନିଆ ରାଜନୀତିକୁ ସରଗରମ କରିଛି। ପୃଥ୍ବୀବଲ୍ଲଭଙ୍କ ପାଇଁ କଂଗ୍ରେସର ଏହା ପ୍ରଥମ ଟିକେଟ ନୁହେଁ। ୨୦୧୯ରେ ମଧ୍ୟ କଂଗ୍ରେସ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଥିଲା। କିନ୍ତୁ, କୌଣସି କାରଣରୁ ସେ ଟିକେଟ ଫେରାଇ ଦେବାରୁ ପ୍ରଦୀପ ସାହୁଙ୍କ ହାତକୁ ତାହା ଯାଇଥିଲା। ପ୍ରଦୀପ କଂଗ୍ରେସ ଟିକେଟରୁ ଲଢ଼ି ଭଲ ପ୍ରଦର୍ଶନ କଲେ। କିନ୍ତୁ କଂଗ୍ରେସରେ ରହି ପାରିଲେ ନାହିଁ। ଗଲା ପଞ୍ଚାୟତ ନିର୍ବାଚନ ବେଳକୁ ସେ କଂଗ୍ରେସର ହାତ ଛାଡ଼ି ବିଜେଡିକୁ ଡିଆଁ ମାରିଲେ। ପ୍ରଦୀପଙ୍କ ଦଳଡିଆଁ ପରେ ବେଗୁନିଆରେ କଂଗ୍ରେସ ନେତୃତ୍ବ ଖୋଜୁଥିବା ବେଳେ ପୃଥ୍ବୀବଲ୍ଲଭ ବେଗୁନିଆର କଂଗ୍ରେସ ସଂଗଠନକୁ ସଜାଡ଼ିଛନ୍ତି।

ଏକଦା ଜାନକୀ ବାବୁ ବେଗୁନିଆ ନିର୍ବାଚନମଣ୍ଡଳୀର ମତଦାତାଙ୍କ ଭୋଟ୍‌ରେ ବିଜୟୀ ହୋଇ ରାଜ୍ୟର ଶାସନ ଭାର ମୁଣ୍ଡାଇଥିଲେ। ବିରୋଧୀ ଦଳର ନେତା ବି ହୋଇଥିଲେ। ଏବେ ଜାନକୀ ବାବୁଙ୍କ ପୁଅ ଟିକେଟ ପାଇଲା ପରେ ବେଗୁନିଆର କଂଗ୍ରେସ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି। ବେଗୁନିଆ ରାଜନୀତିରେ କଂଗ୍ରେସର ଭୋଟ ଆଜି ବି ସଂରକ୍ଷିତ। କିଛି ବର୍ଷ ହେଲା ବ୍ଲକ୍‌ରୁ ବୁଥ୍‌ ଯାଏ ପୃଥ୍ବୀବଲ୍ଲଭ ନିଜର ସଂଗଠନକୁ ସଜାଡ଼ିବା ପରେ ଦଳ ପୂର୍ବ ଅପେକ୍ଷା ଆହୁରି ସଂଗଠିତ ହୋଇଛି। ଟିକେଟ୍‌ ଘୋଷଣା ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗାଁ ଗାଁରେ ଆମେ ସଂଗଠନ କରୁଥିଲୁ। ନେତୃବୃନ୍ଦ ଲଢ଼େଇ କରିବା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ କୃତଜ୍ଞତା ଜଣାଇବା ସହିତ ପ୍ରଥମ ଲଢ଼େଇ ଭଲ କରି ଲଢ଼ିବେ ବୋଲି କହିଛନ୍ତି। ଲୋକ ଯଦି ଆଶୀର୍ବାଦ କରନ୍ତି, ତେବେ ଜାନକୀ ବାବୁଙ୍କ ଅଧୁରା କାମକୁ ପୂରଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର