ପାର୍ସଲ ବୋମା ବିସ୍ଫୋରଣ ମାମଲା:  ଅଧ୍ୟାପକ ପୁଞ୍ଜିଲାଲ ମେହେର ମାଷ୍ଟରମାଇଣ୍ଡ- ପୁଲିସ ଡିଜି

ଭୁବନେଶ୍ୱର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି   ଭଇଁଷା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲଇ ପୁଲିସ ମହାନିର୍ଦ୍ଦେଶକ ଡ. ଆରପି ଶର୍ମା କହିଛନ୍ତି।ତେବେ ଏହି ମାମଲାରେ  ରାୟପୁରରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏ ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ବୋଲି ଡ. ଶର୍ମା କହିଛନ୍ତି।। ଗତକାଲି କ୍ରାଇମବ୍ରାଞ୍ଚର ଏସଆଇଟି ଶ୍ରୀ ମେହେରଙ୍କ  ଘରୁ ବୋମା ଓ ବିସ୍ଫୋରକ ସାମଗ୍ରୀ  ଜବତ କରିଥିିଲା।

ପାଟଣାଗଡର ସୌମ୍ୟଶେଖର ସାହୁଙ୍କ ପୂରା ପରିବାରକୁ ସଫା କରିବାକୁ ଭଇଁଷା ମହାବିଦ୍ୟାଳୟରେ ହିଁ ହତ୍ୟାକାଣ୍ଡର ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିବା ସ୍ପଷ୍ଟ ହୋଇଛି। ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର୍‌ଙ୍କ ପୁଞ୍ଜୀଭୂତ କ୍ରୋଧ ବୋମା ବିସ୍ଫୋରଣ ପଛରେ ମୂଳ କାରଣ ବୋଲି କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ସନ୍ଦେହକରିବା ସହିତ ତାଙ୍କ ମେହେରପଡ଼ାସ୍ଥିତ ଘରେ ଚଢ଼ଉ କରିଥିଲା ।ଚଢ଼ାଉ ବେଳେ କ୍ରାଇମ୍‌ବ୍ରାଞ୍ଚ ବିସ୍ଫୋରକ ସାମଗ୍ରୀ, ବୋମା ଜବତ କରିବା ପରେ ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଶ୍ରୀ ମେହେରଙ୍କୁ ମାରାଥନ ଜେରା କରିଥିଲା।

ଉଲ୍ଲେଖଯୋଗ୍ୟ ଯେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତାଙ୍କ ପୂର୍ବରୁ ପୁଞ୍ଜିଲାଲ ସମ୍ପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । କିନ୍ତୁ ସଂଯୁକ୍ତା ଝାରବନ୍ଧ ମହାବିଦ୍ୟାଳୟରୁ ଉଇଁଷା ମହାବିଦ୍ୟାଳୟକୁ ବଦଳି ହୋଇ ଆସିବା ପରେ ଶତ୍ରୁତାର ମଞ୍ଜି ପୋତା ଯାଇଥିଲା। ଗୋଟେ ପଟେ ପୁଞ୍ଜିଲାଲ ଅଧ୍ୟକ୍ଷ ପଦବି ଛାଡ଼ିବାକୁ ନାରାଜ ଥିଲେ । ଅନ୍ୟପଟେ ବରିଷ୍ଠତା ଦୃଷ୍ଟିରୁ ସଂଯୁକ୍ତା ଅଧ୍ୟକ୍ଷା ପଦବିକୁ ଶେଷରେ ଗ୍ରହଣ କରିଥିଲେ। ମୋଟାମୋଟି ଭାବେ ଭଇଁଷା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦବି ଶେଷରେ ଶତ୍ରୁତାର ଶେଷ ସୀମା ଡେଇଁଯାଇଥିବା ଓ ବୋମା ବିସ୍ଫୋରଣ ଓ ହତ୍ୟା ପାଇଁ ଷଡଯନ୍ତ୍ର କରାଯାଇଥିଲା ବୋଲି  ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଠାରୁ ସୂଚନରା ମିଳିଛି।

ସୂଚନାଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଗତ ଫେବ୍ରୁଆରି ୨୩ ତାରିଖରେ ଏକ ପାର୍ସଲ ଆସିଥିଲା। ପାର୍ସଲ ଖୋଲିବା ପରେ ବିସ୍ଫୋରଣ ଘଟି ରବୀନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ନବବଧୁ ରୀମା ମଧ୍ୟ ଗୁରୁତର ଭାବେ ଆହତ ହୋଇଥଲେ। ତେବେ ଏ ଘଟଣା ନେଇ ପୁଲିସ ଶ୍ରୀ ମେହେରଙ୍କୁ ଅଟକ ରଖି ପଚରାଉଚରା କରୁଥିଲେ  ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ସମସ୍ତ ତଥ୍ୟ ପ୍ରମାଣ ମିଳିବା ପରେ ଗଣମାଧ୍ୟମକୁ  ସୂଚନା ଦିଆଯିବ ବୋଲି ଡ. ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର