ମୁମ୍ବାଇ: ବ୍ୟବସାୟୀଙ୍କୁ ଟ୍ରେନ ଆଗକୁ ଠେଲି ହତ୍ୟା କଲେ ଦମ୍ପତି

ମୁମ୍ବାଇ: ମୁମ୍ବାଇର  ମୁଲନ୍ଦ ଷ୍ଟେସନରେ ଜଣେ ୫୬ ବର୍ଷୀୟ ବ୍ୟବସାୟୀଙ୍କୁ   ଜଣେ ଯୁବକ ଓ ତାଙ୍କ ସହିତ ଥିବା ଜଣେ ଯୁବତୀ  ଟ୍ରେନ୍‌ ଆଗକୁ ଠେଲି ହତ୍ୟା କରିଛନ୍ତି। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ଭାବି ତଦନ୍ତ କରୁଥିବା ପୁଲିସ   ସିସିଟିଭି ଫୁଟେଜ ଦେଖିବା ପରେ ଏକ ନରହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦମ୍ପତିଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ଶନିବାର ଦିନ ଦୀପକ ପଟଓ୍ଵା ନାମକ ଏହି ବ୍ୟବସାୟୀ ଜଣକ ମୁଲନ୍ଦ ଷ୍ଟେସନରେ ଟ୍ରେନ୍‌ରେ କଟି ମୃତ୍ୟୁବରଣ କରିଥିବା ନେଇ ଘର ଲୋକ  ସୂଚନା ପାଇଥିଲେ। ପରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ତେବେ   ମୃତ ଦୀପକଙ୍କ ଶଳା  ଅଜିତ ଶାହ କହିଛନ୍ତି ଯେ ଦୀପକଙ୍କର ମୃତ୍ୟୁ କିପରି  ହେଲା ଜାଣିବା ପାଇଁ ସେ ପୁଲିସକୁ ଅନୁରୋଧ କରିବାରୁ ପୁଲିସ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍‌ ଯାଞ୍ଚ ପାଇଁ ରାଜି ହୋଇଥିଲେ। ସିସିଟିଭି ଫୁଟେଜ୍‌ ଚେକ ବେଳେ ଯେଉଁ ତଥ୍ୟ ପଦାକୁ ଆସିଥିଲା ତାହା  ବେଶ ଚିନ୍ତାଜନକ ଥିଲା। କୌଣସି ଦୁର୍ଘଟଣାରେ ନୁହେଁ ବରଂ ଜାଣିଶୁଣି ଦୀପକଙ୍କୁ ଷ୍ଟେସନ୍‌କୁ ଆସୁଥିବା ଏକ ଟ୍ରେନ୍‌୍‍ ଆଗକୁ ଠେଲି ହତ୍ୟା କରାଯାଇଥିଲା। ଏ ନେଇ ଷ୍ଟେସନ୍‌ରେ ଲାଗିଥିବା ବିଭିନ୍ନ ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରି ତଜର୍ମା କରିବାରୁ  ଜଣାଯାଇଥିଲା କି ଷ୍ଟେସନର ୩ ନମ୍ବର ପ୍ଲାଟ୍‌ ଫର୍ମର ଦକ୍ଷିଣ ଭାଗରେ ଦୀପକ ଠିଆ ହୋଇଛନ୍ତ। ଏହି ସମୟରେ କଳା ପ୍ୟାଣ୍ଟ ଓ ଧଳା ସାର୍ଟ ପିନ୍ଧିଥିବା ୫.୭ ଇଞ୍ଚ ଉଚତାର ଜଣେ ୩୭/୩୮ ବର୍ଷୀୟ ଯୁବକ ଓ ୩୧/୩୨ ବର୍ଷୀୟ ୫ ଫୁଟ ଉଚ୍ଚତାର ଜଣେ ମହିଳାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହେଉଛି । କିଛି ସମୟ ପରେ  ଏହି ଦମ୍ପତ୍ତି ଜାଣିଶୁଣି ଦୀପକଙ୍କୁ  ଷ୍ଟେସନ ଭିତରକୁ ପଶୁଥିବା ଏକ ଟେନ୍‌ ଆଗକୁ ଠେଲି ଦେଉଛନ୍ତି। ଏହି ଫୁଟେଜ  ଦେଖିବା ପରେ  ହତ୍ୟା ଉଦ୍ଦେଶ୍ୟରେ ଦୀପକଙ୍କୁ ଜାଣିଶୁଣି ଟ୍ରେନ୍‌ ଆଗକୁ ଠେଲି ଦିଆଯାଇଥିିବା ପୁଲିସ କହିଛି। ଏ ନେଇ ପୁଲିସ ଏକ ହତ୍ୟାମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର