ସାରା ଓଡ଼ିଶାରେ ବର୍ଷା: ଦକ୍ଷିଣ ଓଡ଼ିଶାରେ ଅଧିକ

କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍‌ଆର୍‌ସି

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶର ବାପାଟଲା ନିକଟରେ ସ୍ଥଳଭାଗ ଛୁଇଁଥିବା ଭୀଷଣ ବାତ୍ୟା ‘ମିଗଜୋମ୍‌’ ଦୁର୍ବଳ ହୋଇଛି। ମାତ୍ର ଲ୍ୟାଣ୍ଡଫଲ୍‌ ପରର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଓଡ଼ିଶାରେ ଘଣ୍ଟା ପ୍ରତି ୨୫ରୁ ୩୦ କିମି ବେଗରେ ପବନ ସାଙ୍ଗକୁ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ପ୍ରଭାବ ପକାଇଛି। କୋରାପୁଟ ଜିଲ୍ଲା କୋଟିଆରେ ଭୂସ୍ଖଳନ ସହ ପାହାଡ଼ ଉପରୁ ପଥର ଧସିଥିବା ବେଳେ କାଲୁଆ ପବନ ସହ ଝିପି ଝିପି ବର୍ଷା ଯୋଗୁଁ ଅଧିକାଂଶ ଜିଲ୍ଲାରେ ଅମଳ ଧାନ କ୍ଷେତରେ ବତୁରି ଯାଇଛି। ନବରଙ୍ଗପୁର, ବରଗଡ଼, ନୂଆପଡ଼ା ପଭୃତି ଅଞ୍ଚଳରେ ଖୋଲା ଆକାଶ ତଳେ ଥିବା ଅମଳ ଧାନ ଭିଜି ନଷ୍ଟ ହୋଇଛି। ଚାଷୀମାନେ ସେହି ଧାନକୁ ଘରକୁ ନେଇପାରୁ ନାହାନ୍ତି କି ଜମିରେ ଛାଡ଼ିପାରୁ ନାହାନ୍ତି। କେବଳ ଚାଷୀ ନୁହନ୍ତି, ବର୍ଷା ପ୍ରଭାବରେ ସହର ମଧ୍ୟ ପ୍ରଭାବିତ ହୋଇଛି। ଲଗାଣ ବର୍ଷା ଯୋଗୁଁ ବ୍ରହ୍ମପୁର ସହରରେ ପାଣି ଜମି ରହିଥିବ‌ା ବେଳେ ଭୁବନେଶ୍ବରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗତକାଲି ସକାଳ ୮ଟା ୩୦ରୁ ଆଜି ସନ୍ଧ୍ୟା ୫ଟା ୩୦ ଅର୍ଥାତ୍‌ ୩୩ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୭୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ଏହାବ୍ୟତୀତ ଗୋପାଳପୁରରେ ୫୩.୧, ଭୁବନେଶ୍ବରରେ ୨୧.୫, ନୂଆପଡ଼ାରେ ୩୮.୮, ନବରଙ୍ଗପୁରରେ ୨୭, ଖୋର୍ଦ୍ଧାରେ ୨୩, ମାଲକାନଗିରିରେ ୩୦, ସୋନପୁରରେ ୮.୬, ଦାରିଙ୍ଗବାଡ଼ିରେ ୧୭, ନୟାଗଡ଼ରେ ୧୩, ବୌଦ୍ଧରେ ୧୩, ଛତ୍ରପୁରରେ ୪୭.୫, ପାରଳାଖେମୁଣ୍ଡିରେ ୧୫.୬, ରାୟଗଡ଼ାରେ ୧୪.୬, କେନ୍ଦୁଝରରେ ୧୦.୨, ସମ୍ବଲପୁରରେ ୧୦.୩, ସୁନ୍ଦରଗଡ଼ରେ ୯, ହୀରାକୁଦରେ ୭.୧, ବଲାଙ୍ଗୀରରେ ୧୧.୭, ଫୁଲବାଣୀରେ ୧୦.୬, ଟିଟିଲାଗଡ଼ରେ ୧୩, ପୁରୀରେ ୪.୮, ବାରିପଦାରେ ୪.୬, ଝାରସୁଗୁଡ଼ାରେ ୯ ମିମି ବର୍ଷା ହୋଇଛି। ତେବେ ଗତକାଲି ସକାଳ ୮ଟା ୩୦ରୁ ଆଜି ସକାଳ ୮ଟା ୩୦ ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗିରେ ସର୍ବାଧିକ ୧୦୬ ମିମି ବର୍ଷା ହୋଇଛି। ସିମିଳିଗୁଡ଼ାରେ ୮୬, କୋରାପୁଟରେ ୬୭.୨, ନନ୍ଦପୁରରେ ୪୮ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରି ଚିତ୍ରକୋଣ୍ଡାରେ ୫୬.୮, ପଡ଼ିଆରେ ୫୩.୨ ମିମି ବର୍ଷା ହୋଇଥିଲା।

ରାତିରେ ମଧ୍ୟ ଦକ୍ଷିଣ ଅଭ୍ୟନ୍ତରୀଣ, ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ହଲୁକା ବର୍ଷା ଲାଗିରହିଛି। ଗୁରୁବାର ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି। କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟ ସମସ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ଉପରେ ରହିଥିଲା।

ଭୁବନେଶ୍ବର: ବାତ୍ୟା ମିଗ୍‌ଜୋମ୍ ପ୍ରଭାବରେ ରାଜ୍ୟରେ ହୋଇଥିବା ବର୍ଷା ଯୋଗୁ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ବିଲରେ ପାଚିଲା ଧାନ ଶୋଇପଡ଼ିଥିବାବେଳେ ବିରି, ମୁଗ ଆଦି ଫସଲ ନଷ୍ଟ ହୋଇଯାଇଛି। ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ରାଜ୍ୟ ସରକାର ତୁରନ୍ତ କ୍ଷତିପୂରଣ ଦେବାକୁ ପଦକ୍ଷେପ ନେଇଛନ୍ତି। ବର୍ଷା ଯୋଗୁ କେଉଁ ଜିଲ୍ଲାରେ କେତେ କ୍ଷୟକ୍ଷତି ହୋଇଛି, ତା’ର ରିପୋର୍ଟ ଆସନ୍ତା ୧୨ତାରିଖ ସୁଦ୍ଧା ଦେବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ଆର୍‌ସି ଶ୍ରୀ ସାହୁ କହିଛନ୍ତି ଯେ, ବାତ୍ୟା ପ୍ରଭାବରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହୋଇଥିବାରୁ ଠିଆ ହୋଇଥିବା ଖରିଫ ଫସଲ ଓ ଉଦ୍ୟାନ କୃଷି ଫସଲ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ତେଣୁ ଜିଲ୍ଲାପାଳମାନେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଅଧିକାରୀମାନଙ୍କ ଦ୍ବାରା କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତିରେ ଆକଳନ କରିବେ। ଯେଉଁଠି ୩୩%ରୁ ଅଧିକ ଫସଲ କ୍ଷତି ହୋଇଥିବା ଦେଖିବେ ସେଗୁଡ଼ିକୁ ପୌରାଞ୍ଚଳ/ବ୍ଲକ/ଗ୍ରାମପଞ୍ଚାୟତ/ଗାଁ ଅନୁଯାୟୀ ଡି‌େସମ୍ବର ୧୨ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଏହାସହ କୁହାଯାଇଛି ଯେ କ୍ଷେତ୍ର ପରିଦର୍ଶନ କରି ଯେଉଁ ଅଧିକାରୀମାନେ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରକାଶ କରିବେ ସେମାନେ କ୍ଷତିଗ୍ରସ୍ତ ଚାଷୀଙ୍କ ଜମି ସୂଚୀ/ଆର୍‌ଓଆର୍‌ ଆଦିକୁ ଭୂଲେଖରେ ଯାଞ୍ଚ କରିବେ।

କ୍ଷୟକ୍ଷତି ଆକଳନ ସମୟରେ କ୍ଷତିଗ୍ରସ୍ତ ଫସଲ ଅଞ୍ଚଳର ଜିଓ ଟ୍ୟାଗ୍ ଓ ଟାଇମ୍ ଷ୍ଟାମ୍ପ ହୋଇଥିବା ଫଟୋ ଉଠାଇ କେସ୍ ରେକର୍ଡରେ ସଂରକ୍ଷିତ ରଖିବାକୁ ଏସ୍‌ଆର୍‌ସି ଜିଲ୍ଲାପାଳମାନଙ୍କୁ କହିଛନ୍ତି। ଏହାସହ ତଦାରଖ ଅଧିକାରୀ ଯଥା ଉପଜିଲ୍ଲାପାଳ/ତହସିଲଦାର/ଅତିରିକ୍ତ ତହସିଲଦାର/ଡିଏଓ/ବିଏଓଙ୍କ ଆକଳନ ରିପୋର୍ଟ ଠିକ୍ ହୋଇଛି କି ନାହିଁ ତାହା ଯାଞ୍ଚ କରି ଜିଲ୍ଲାପାଳଙ୍କ ନିକଟରେ ଅନୁମୋଦନ ପାଇଁ ରିପୋର୍ଟ ଦାଖଲ କରିବେ। ସେହିପରି ଚଳିତ ବର୍ଷ ପୂର୍ବରୁ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଫସଲ ହାନି ହୋଇଥିବା ଫସଲ କ୍ଷୟକ୍ଷତିକୁ ବର୍ତ୍ତମାନର ଆକଳନରେ ଅନ୍ତର୍ଭୁକ୍ତ କରାଯିବ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର