ନାଲି ପତାକାର ଖେଳ : ମିଳିମିଶି ଲୁଟିବେ କଳାପଥର; ପଦାରେ ପଡ଼ିଲେ ଲୁଟେରା ଦାୟୀ

ଯାଜପୁର, (ପ୍ରଦୀପ କୁମାର ମହାପାତ୍ର): କଳାପଥରର କଳା କାରନାମାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚାରେ ରହିଛି ଯାଜପୁର ଜିଲ୍ଲାର ଧର୍ମଶାଳା। ଗଣମାଧ୍ୟମର ଚାପରେ ପଡ଼ି ପ୍ରଶାସନ ଖାଦାନ ମାପଚୁପ କରି ଲିଜ୍‌ଧାରୀଙ୍କ ଉପରେ ଜରିମାନା କଲେ। ହେଲେ, ଜରିମାନା ଆଦାୟ କରିବାକୁ ଭୁଲିଗଲେ। ବର୍ତ୍ତମାନ ଅଣଲିଜ୍‌ ଖାଦାନରେ ୧୪୪ ଧାରା ଏବଂ ନାଲି ପତାକା ଉଡ଼ାଇବା ଖେଳ ଚାଲିଛି। ନାଲି ପତାକାକୁ ଡରି ମାଫିଆ ବେଆଇନ୍‌ ଖାଦାନକୁ ଯିବେନି ବୋଲି ପ୍ରଶାସନ ଲୋକଙ୍କ ମଧ୍ୟରେ ଧାରଣା ସୃଷ୍ଟି କରିବାକୁ ମସୁଧା କରିଛି। ଏହି ନାଲି ପତାକାର ଛାଇ ତଳେ ହେଉଛି ବଡ଼ଧରଣର ଲୁଟ୍‌ପାଟ। କଳାପଥର ଲୁଟ୍‌ ପଦାରେ ପଡ଼ିଲେ ଏହା ପ୍ରଶାସନର ଢାଲ ଭଳି କାମ କରିବ ଏବଂ କୌଣସି ତହସିଲଦାର କିମ୍ବା ଜିଲ୍ଲାପାଳ କାଠଗଡ଼ାକୁ ଟଣା ହେବେନି। ଏଭଳି କି ଅଣଲିଜ୍‌ ଖାଦାନରୁ କଳାପଥର ଲୁଟ୍‌ ହେଲେ ନିକଟସ୍ଥ ଲିଜ୍‌ଧାରୀ ଦାୟୀ ରହିବେ। ତେଣୁ ଅଣଲିଜ୍‌ ଖାଦାନର ସୁରକ୍ଷା ଦାୟିତ୍ବ ପାର୍ଶ୍ବବର୍ତ୍ତୀ ଲିଜ୍‌ଧାରୀଙ୍କ ବୋଲି କହି ତହସିଲ ପ୍ରଶାସନ ହାତ ଝାଡ଼ି ବସିଛି। ମିଳିମିଶି ଲୁଟିବେ; ପଦାରେ ପଡ଼ିଲେ ଲୁଟେରା ଦାୟୀ। ଡ୍ରାଇଭରଙ୍କୁ ବାନ୍ଧିବେ, ମାଲିକଙ୍କୁ ଖସାଇବେ। ଅଧିକାରୀ ସଫାସୁତରା ହୋଇ ପୁଣି ଲୁଟିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ। ବର୍ତ୍ତମାନ ଏଭଳି ନୀତି ଆପଣାଇ କଳାପଥରର କଳା କାରବାରକୁ ପ୍ରୋତ୍ସାହିତ କରାଯାଉଛି।

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ କଳାପଥର ‌କେଳେଙ୍କାରୀ ନେଇ ୮ ଫେବ୍ରୁଆରି ୨୦୨୧ରେ ଲୋକାୟୁକ୍ତଙ୍କ ନିକଟରେ ପ୍ରଥମେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତ ଏହି ମାମଲାରେ ଜିଲ୍ଲାପାଳ, ତହସିଲଦାରଙ୍କୁ ନୋଟିସ୍ କରିଥିଲେ। ସେମାନଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ରାଜ୍ୟ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଛାଖଣ୍ଡି ପାହାଡ଼ର ଲିଜ୍‌ ଅଞ୍ଚଳରୁ ୨ଶହ କୋଟି ଟଙ୍କାର କଳାପଥର ଲୁଟ୍ ହୋଇଥିବା ଭିଜିଲାନ୍ସ ସ୍ପଷ୍ଟ କରିଥିଲା। ଅବଶ୍ୟ ଏହି ଲୁଟ୍‌ ପରିମାଣ ହଜାରେ କୋଟିରୁ ଅଧିକ ବୋଲି ଅନେକ ଦାବି କରୁଛନ୍ତି। ଲୋକାୟୁକ୍ତ ଏହାର ଶୁଣାଣି କରି ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପୂର୍ବତନ ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରା, ଶୀତଲ ଅଗ୍ରୱାଲ, ସରୋଜ ପଣ୍ଡା, ପୂର୍ବତନ ରାଜସ୍ୱ ନିରୀକ୍ଷକ ବୀରକିଶୋର ମହାରଣା, ସୁଶାନ୍ତ ସ୍ୱାଇଁଙ୍କ ସମେତ ୮ଜଣ ଲିଜ୍‌ଧାରୀଙ୍କୁ ନୋଟିସ କରିଥିଲେ। ଆସନ୍ତା ଜୁନ୍‌ ୨୩ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। କଳାପଥର କେଳେଙ୍କାରୀରେ ଫସିବା ପରେ ପ୍ରଶାସନ ନାଲି ପତାକା ଛାୟା ତଳେ ରହିବାକୁ ଉଚିତ ମଣିଛି। ଏହି କାରଣରୁ ଏବେ ଜିଲ୍ଲାର ବିଭିନ୍ନ ବେଆଇନ୍‌ ଖାଦାନରେ ନାଲି ପତାକା ପୋତାଯିବା ସହ ୧୪୪ ଧାରା ଲାଗୁ କରାଯାଉଛି।

ଯେମିତି କି ଜୁନ୍‌ ୧୨ ତାରିଖରେ ଧର୍ମଶାଳା ତହସିଲ ଅଧୀନ ବାଜବାଟି ପାହାଡ଼ର ୪ଟି ଅଣଲିଜ୍‌ ଖାଦାନରେ ୧୪୪ ଧାରା ଲାଗୁ କରାଯାଇଛି। ଏହାପୂର୍ବରୁ ରାହାଡ଼ପୁର ପାହାଡ଼ର ଲିଜ୍‌ ସୈରାତ୍‌କୁ ଛାଡ଼ି ସଂପୂର୍ଣ୍ଣ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ କରାଯାଇଥିଲା। ସେହିପରି ବିଛାଖଣ୍ଡି, ବରଡ଼ା, କୁସନପୁର, ଅଞ୍ଜିର, ଡାଙ୍କାରୀ, ଲୁଣିବର ମୌଜାର ବିଭିନ୍ନ ବେଆଇନ୍‌ ଖାଦାନ ଅଞ୍ଚଳରେ ନାଲି ପତାକା ପୋତି ୧୪୪ ଧାରା ଲାଗୁ କରାଯାଇଛି। ନାଲି ରଙ୍ଗ ଭୟରେ ପଥର ମାଫିଆ ପାହାଡ଼ ପାଦଦେଶକୁ ଯିବାକୁ ସାହସ କରିବେନି କି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ହେଲେ, ଏହାରି ପଛର ଅସଲ ଉଦ୍ଦେଶ୍ୟ କାହାରିକୁ ଅଛପା ହୋଇ ନାହିଁ।

ନିକଟରେ ଚଢ଼େଇଧରା ଫାଣ୍ଡି ପଛପଟ ବେଆଇନ୍‌ ଖାଦାନରେ ଦୁର୍ଘଟଣା ଘଟି ୨ଜଣଙ୍କ ଜୀବନ ଗଲା। ତହସିଲ ପକ୍ଷରୁ ଏତଲା ହେଲା। ହେଲେ ପୁଲିସ ତଦନ୍ତ ବାହାନାରେ କାର୍ଯ୍ୟାନୁଷ୍ଠାନ ନନେଇ ଚୁପ୍‌ ବସିଲା। ପ୍ରଶାସନ ଏଥିପାଇଁ ପୁଲିସ ଉପରେ ସାମାନ୍ୟ ଚାପ ବି ପକାଇଲାନି। ତହସିଲ ପକ୍ଷରୁ କୁହାଗଲା ଏହି ବେଆଇନ୍‌ ଖାଦାନରେ ୧୪୪ ଧାରା କାର୍ଯ୍ୟକାରୀ ପାଇଁ ପୁଲିସକୁ କୁହାଯାଉଥିଲା। ରାଜସ୍ବ ନିରୀକ୍ଷକ ଆଉପାଦେ ଆଗକୁ ଯାଇ ଏହି ଅଞ୍ଚଳ ଖଣି ବିଭାଗ ଦାୟିତ୍ବରେ ଅଛି ବୋଲି କହିଲେ। ଯାହା ଜଣାପଡୁଥିଲା ସମସ୍ତେ କାଦୁଅରେ ଲଟ୍‌ପଟ୍‌ ହୋଇଛନ୍ତି ଏବଂ ସଫା ସୁତରା ହେବା ପାଇଁ ଲାଗି ପଡ଼ିଛନ୍ତି। କେବଳ ଯେ ଧର୍ମଶାଳା ତହସିଲ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ତାହା ନୁହେଁ। ବଡ଼ଚଣା ବ୍ଲକ୍‌ର ବିଭିନ୍ନ ମାଙ୍କଡ଼ା ପଥର ଖାଦାନରେ ମଧ୍ୟ ଏଭଳି ୧୪୪ ଧାରା ଲାଗୁ କରାଯାଇଛି।

କଳାପଥର ଲୁଟ୍‌ ଧରାପଡ଼ିବା ପରେ ଲିଜ୍‌ଧାରୀଙ୍କ ଉପରେ ତହସିଲ ପକ୍ଷରୁ ଜରିମାନା କରାଯାଉଛି। ହେଲେ ଜରିମାନା ଅର୍ଥ ଆଦାୟ ବେଳକୁ କୁନ୍ଥକୁନ୍ଥ ହେଉଛନ୍ତି। ଧର୍ମଶାଳା ତହସିଲ ପକ୍ଷରୁ ୧୫ଜଣ ଲିଜ୍‌ଧାରୀଙ୍କୁ ଅତ୍ୟଧିକ ଖନନ ପାଇଁ ୩୫୪ କୋଟି ଟଙ୍କା ଜରିମାନା ହୋଇଥିଲା। ହେଲେ, ଏହି ଲିଜ୍‌ଧାରୀମାନେ କେତେ ଜରିମାନା ଦେଲେ ? କାହିଁକି ଜରିମାନା ଆଦାୟ ହେଉନି ? ଏଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? ଏ ସବୁ ପ୍ରଶ୍ନର ଉତ୍ତର ମିଳିବା ବି କଷ୍ଟକର ହେଉଛି। କଳାପଥରର କଳାସାମ୍ରାଜ୍ୟ ବଢ଼ିଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ଥିବା ନୀତି ନିୟମର ଓଲଟା ପ୍ରୟୋଗ ଜିଲ୍ଲାରେ ଆଇନଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେବ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର