ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଶ୍ବସ୍ତି: ୨.୫୯ ଲକ୍ଷ ଆକାଉଣ୍ଟ୍‌କୁ ଫେରିବ ଟଙ୍କା

୯୨ କୋଟି ୫୮ ଲକ୍ଷ ୭୮ ହଜାର ଟଙ୍କା ପୈଠ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀରେ କ୍ଷତିଗ୍ରସ୍ତ ୨ ଲକ୍ଷ ୫୯ ହଜାର ୨୮୦ ଜଣ ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇବେ। ୮ ହଜାର ଟଙ୍କା ବା ତାଠାରୁ କମ ଟଙ୍କା ନିବେଶ କରିଥିବା ଏଡି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ନିବେଶ କରିଥିବା ଏହି ଜମାକାରୀମାନଙ୍କୁ ମୋଟ ୯୨ କୋଟି ୫୮ ଲକ୍ଷ ୭୮ ହଜାର ୨୦୧ ଟଙ୍କା ପୈଠ କରାଯିବ। କଟକ ଏଡିଏମ୍ ତଥା ପ୍ରାଧିକୃତ ଅଧିକାରୀଙ୍କ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୫ରେ ଦାୟର ଆବେଦନକୁ କଟକ ସ୍ବତନ୍ତ୍ର ଅଦାଲତ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡର ସ୍ଥାବର ଓ ଅସ୍ଥାବର ସଂପତ୍ତି ନିଲାମରୁ ମିଳିଥିବା ଅର୍ଥରୁ ଜମାକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଅଦାଲତଙ୍କ ଏହି ନିର୍ଦ୍ଦେଶ ପରେ ପ୍ରାଧିକୃତ ଅଧିକାରୀଙ୍କ ତରଫରୁ ଜମାକାରୀଙ୍କୁ ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରାଧିକୃତ ଅଧିକାରୀଙ୍କ ତରଫରୁ ଚିଠି ଲେଖାଯାଇଛି। ଜମାକାରୀମାନେ ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ଜମା କରିଥିବା ଅର୍ଥ ବାବଦ ପ୍ରମାଣପତ୍ର/ରସିଦ ଓ ଇନଡେମନିଟି ବଣ୍ଡ୍ ଦାଖଲ କରିବା ସହିତ ଅନ୍ୟ ଆଇନଗତ ଔପଚାରିକତା ପୂରଣ କରିବା ପରେ ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ ବୋଲି କଟକ ଏଡିଏମ୍ (ରାଜସ୍ବ) ଉମାକାନ୍ତ ରାଜ ସୂଚନା ଦେଇଛନ୍ତି। ତଥ୍ୟ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲ୍‌ଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ କାର୍ଯ୍ୟାଳୟ ଖୋଲି ବିଭିନ୍ନ ଯୋଜନା ମାଧ୍ୟମରେ ଜମାକାରୀଙ୍କ ନିକଟରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ସଂସ୍ଥା ପ୍ରତିଶ୍ରୁତି ଅନୁସାରେ ଜମାକାରୀଙ୍କୁ ଜମି ବା ଟଙ୍କା ଦେଇ ପାରି ନଥିଲା। ସଂସ୍ଥାର ଠକେଇ ନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ମାମଲା ରୁଜୁ କରିଥିଲା। ଅର୍ଥ ବିଭାଗ ପକ୍ଷରୁ ୨୦୧୪, ଜୁଲାଇ ୧ରେ ଜାରି ମଧୢବର୍ତ୍ତିକାଳୀନ ନିର୍ଦ୍ଦେଶ (ଆଡ୍ ଇ‌‌‌ଣ୍ଟେରିମ୍ ଅର୍ଡର ଅଫ୍ ଆଟାଚମେଣ୍ଟ)ରେ ଜିଏଲ୍‌ପି ଡେଭେଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭେଲପର୍ସ ଲିମିଟେଡର ସଂପତ୍ତିର ପରିଚାଳନା ଭାର ପ୍ରାଧିକୃତ ଅଧିକାରୀ ତଥା କଟକ ଏଡିଏମଙ୍କ ଉପରେ ନ୍ୟସ୍ତ କରାଯାଇଥିଲା। ଏହା ପରେ ପ୍ରାଧିକୃତ ଅଧିକାରୀ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକରୀଙ୍କ ମଧ୍ୟରେ ଏହି ସଂପତ୍ତିରୁ ମିଳିବାକୁ ଥିବା ଅର୍ଥ ବାଣ୍ଟିବା ପାଇଁ ଅନୁମତି ଲୋଡ଼ି ସ୍ବତନ୍ତ୍ର ଅଦାଲତରେ ୨୦୧୪ରେ ଆବେଦନ କରିଥିଲେ।

ସଂସ୍ଥାର ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି କରି ନିଲାମ କରିବା ପାଇଁ ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ କଟକ ସ୍ବତନ୍ତ୍ର ଅଦାଲତ ୨୦୧୫, ଡିସେମ୍ବର ୨୩ରେ ନିର୍ଦ୍ଦେଶ ଦେଇଥିଲେ। ନିଲାମଲବ୍ଧ ଅର୍ଥ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧୢରେ ବଣ୍ଟନ କରାଯିବ ବୋଲି ଅଦାଲତ କହିଥିଲେ। ସଂସ୍ଥାର ସଂପତ୍ତିରୁ ୮୮ କୋଟି ୮୧ ଲକ୍ଷ ୭୯ ହଜାର ୧୦୧ ଟଙ୍କା ୫୦ ପଇସା ମିଳିଥିଲା ଓ ଏହି ଅର୍ଥ ୟୁକୋ ବ୍ୟାଙ୍କ କଲେକ୍ଟୋରେଟ ଶାଖାରେ ଥିବା ପ୍ରାଧିକୃତ ଅଧିକାରୀଙ୍କ ଖାତାରେ ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ସୁଧ ସହିତ ଏହି ଅର୍ଥ ୧୦୨ କୋଟି ୧୭ ଲକ୍ଷ ୭୫ ହଜାର ୬୯୦ ଟଙ୍କାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ରାଜ୍ୟ ଅର୍ଥ ବିଭାଗ ତରଫରୁ ଜିଏଲପି ଡେଭେଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭେଲପର୍ସ ଲିମିଟେଡର କ୍ଷତିଗ୍ରସ୍ତ ଜମାକାରୀଙ୍କ ନିକଟରୁ ଅନ୍ ଲାଇନରେ ଦରଖାସ୍ତ ଆହ୍ବାନ କରାଯାଇଥିଲା।

କ୍ଷତିଗ୍ରସ୍ତ ୪ ଲକ୍ଷ ୭୬ ହଜାର ୧୦୨ ଜଣ ଜମାକାରୀଙ୍କ ମୋଟ ୪୭୯ କୋଟି ୫୫ ଲକ୍ଷ ୪୩ ହଜାର ୨୭୪ ଟଙ୍କାର ଦାବି ସମ୍ବଳିତ ଦରଖାସ୍ତ ମିଳିଥିଲା। ଅର୍ଥ ବିଭାଗ ନିୟମାବଳୀ ଅନୁସାରେ ଜମାକାରୀଙ୍କ ଦାବିର ସତ୍ୟାସତ୍ୟ କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ। ଏହି ପ୍ରକ୍ରିୟାରେ ୨ ଲକ୍ଷ ୫୯ ହଜାର ୨୮୦ ଜଣ ଜମାକାରୀ ଓ ସେମାନଙ୍କ ଦାବି ଯାଞ୍ଚ ପରେ ଠିକ ଥିବା ଜଣା ପଡିଥିଲା। ଏ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା। ଅବଶିଷ୍ଟ ଜମାକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଥିଲା। ତାଲିକାରେ ସ୍ଥାନ ପାଇଥିବା ୨ ଲକ୍ଷ ୫୯ ହଜାର ୨୮୦ଜଣ ଜମାକାରୀଙ୍କୁ ମୋଟ ୯୨ କୋଟି ୫୮ ଲକ୍ଷ ୭୮ ହଜାର ୨୦୧ ଟଙ୍କା ବଣ୍ଟନ ପାଇଁ ଅନୁମତି ଲୋଡ଼ି ପ୍ରାଧିକୃତ ଅଧିକାରୀ ଗତ ସେପ୍ଟେମ୍ବର ୫ରେ ସ୍ବତନ୍ତ୍ର ଅଦାଲତରେ ଆବେଦନ ଦାୟର କରିଥିଲେ। ସରକାରଙ୍କ ତରଫରୁ ଗଠନ କରାଯାଇଥିବା କର୍ପସ ଫଣ୍ଡରୁ ତାଲିକାରେ ଥିବା ଏହି ଜମାକାରୀଙ୍କୁ କୌଣସି ଟଙ୍କା ପ୍ରଦାନ କରାଯାଇ ନାହିଁ ବୋଲି ମାମଲାର ଶୁଣାଣି ସମୟରେ ପ୍ରାଧିକୃତ ଅଧିକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଓ ଏସଏପିପି ବିଶ୍ବଜିତ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର