ଶୁଖିଲା ପଡ଼ିଛି ରେଙ୍ଗାଳି ଜଳଭଣ୍ଡାର: ବିଦ୍ୟୁତ୍‌ ଉତ୍ପାଦନ ପ୍ରଭାବିତ ଆଶଙ୍କା

ଅନୁଗୁଳ : ଆଷାଢ଼ ସରିବାକୁ ବସିଲାଣି। କିନ୍ତୁ ବିଳମ୍ବିତ ମୌସୁମୀ ପାଇଁ ଭଲ ବର୍ଷା ହୋଇନି। ସେଥିପାଇଁ ବ୍ରାହ୍ମଣୀ ନଦୀରେ ଥିବା ରେଙ୍ଗାଳି ଜଳଭଣ୍ଡାର ଖାଲି ପଡ଼ିଛି। ଜୁନ୍‌ ଶେଷ ସୁଦ୍ଧା ଏହି ଜଳଭଣ୍ଡାରର ଜଳସ୍ତର ୧୧୦.୬୨ ମିଟର ରହିଛି। ବିଜୁଳି ଉତ୍ପାଦନ ପାଇଁ ଜଳଭଣ୍ଡାରର ଜଳସ୍ତର ଅତି କମ୍‌ରେ ୧୦୯.୭୨ ମିଟର ରହିବା ଆବଶ୍ୟକ ଥିଲାବେଳେ ଜଳସ୍ତର ଏବେ ଏହାଠାରୁ ମାତ୍ର ୯୦ ସେମି ଅଧିକ ରହିଛି। ଏପଟେ ବିଜୁଳି ଉତ୍ପାଦନ ପାଇଁ ଏବେ ୩୪୫.୧୭ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି। ତେଣୁ କିଛି ଦିନ ଭିତ​ରେ ​ନଦୀର ଉପରମୁଣ୍ଡରେ ବଡ଼ ବର୍ଷା ନ ହେଲେ ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ ହେଲେ ତଳମୁଣ୍ଡରେ ପାନୀୟ ଜଳ ସଙ୍କଟ ସହ ବହୁ ଶିଳ୍ପ ସଂସ୍ଥାକୁ ଜଳ ଯୋଗାଣରେ ସମସ୍ୟା ହେବ। ପୁଣି ବ୍ରାହ୍ମଣୀର ତଳମୁଣ୍ଡରେ ଥିବା ଲକ୍ଷ ଲକ୍ଷ ଲୋକ ମଧ୍ୟ ପ୍ରଭାବିତ ହେବେ।

ଓଡ଼ିଶାର ଦ୍ବିତୀୟ ବୃହତମ ନଦୀ ବ୍ରାହ୍ମଣୀ ଉପରେ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ନିକଟରେ ନଦୀବନ୍ଧ ଯୋଜନା ହୋଇଛି। ବନ୍ୟା ନିୟନ୍ତ୍ରଣ ସହ ବିଦ୍ୟୁତ୍‌ ଉତ୍ପାଦନ, ପାନୀୟ ଜଳ, ଶିଳ୍ପ ସଂସ୍ଥାକୁ ଜଳଯୋଗାଣ ଓ ଜଳସେଚନରେ ଏହି ଜଳଭଣ୍ଡାର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି। ଜଳଭଣ୍ଡାର ତଳମୁଣ୍ଡରେ ଥିବା ସମଲ ବ୍ୟାରେଜ୍‌ରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲାବେଳେ ବିଭିନ୍ନ ଶିଳ୍ପ ସଂସ୍ଥା ମଧ୍ୟ ଏଠାରୁ ପାଣି ନେଉଛନ୍ତି। ସେହିପରି ବ୍ୟାରେଜ୍‌ର ତଳମୁଣ୍ଡରେ ଥିବା ନଦୀର ଜଳ ଉପରେ ଢେଙ୍କାନାଳର ଶିଳ୍ପ ସଂସ୍ଥାମାନେ ନିର୍ଭରଶୀଳ। କିନ୍ତୁ ଏଥର ଜଳଭଣ୍ଡାରରେ ଜଳାଭାବ ଏହି ସବୁ ବ୍ୟବସ୍ଥାକୁ ସଙ୍କଟ ଭିତରକୁ ଟାଣି ନେଇଛି।

ରେଙ୍ଗାଳି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫ ମିଟର ରହିଛି। ଜଳଭଣ୍ଡାର ଜଳ ବ୍ୟବହାର କରିବା ପାଇଁ ସର୍ବନିମ୍ନ ଜଳସ୍ତର ହେଉଛି ୧୦୯.୭୨ ମିଟର। ଜୁଲାଇ ଆରମ୍ଭ ବେଳକୁ ଏଠାରେ ପାଖାପାଖି ୧୧୪ ମିଟର ପାଣି ରହିଥାଏ। କିନ୍ତୁ ଆଜି ସକାଳ ସୁଦ୍ଧା ଏଠାରେ ଜଳସ୍ତର ୧୧୦.୬୨ ମିଟର ରହିଛି। ଆଗକୁ ବଡ଼ ବର୍ଷା ନ ହେଲେ ସ୍ଥିତି ଶୋଚନୀୟ ହୋଇପଡ଼ିବ। ଏଥିନେଇ ଓଡ଼ିଶା ଜଳବିଦ୍ୟୁତ୍ ନିଗମର ବରିଷ୍ଠ ସାଧାରଣ ପରିଚାଳକ ରୁଦ୍ରମୋହନ ରାୟ କହିଛନ୍ତି ଯେ, ଜଳଭଣ୍ଡାର ଜଳସ୍ତର କମ୍ ଥିବାରୁ ଏହା ଉପରେ ସତର୍କ ନଜର ରଖାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଜୁଳି ଉତ୍ପାଦନ କରାଯାଉଛି। ଆଗକୁ ବଡ଼ ବର୍ଷା ନ ହେଲେ ସମସ୍ୟା ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର