ହୀରାକୁଦ ଶୀର୍ଷ ସ୍ତର ଛୁଇଁବା ନେଇ ଆଶଙ୍କା: ସେ‌ପ୍‌ଟେମ୍ବର ୧ରେ ଜଳସ୍ତର ୬୨୭ ଫୁଟ ରହିବା କଥା, ରହିଛି ୬୨୦.୫୬

ସମ୍ବଲପୁର: ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାର ଏହାର ଶୀର୍ଷସ୍ତର ୬୩୦ ଫୁଟ ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଛି। ରୁଲ୍‌ କର୍ଭ ଅନୁସାରେ ମହାନଦୀର ବନ୍ୟା ନିୟନ୍ତ୍ରଣ ସହ ସେପ୍‌ଟେମ୍ବର ୩୦ / ଅକ୍ଟୋବର ୧ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ପୂର୍ଣ୍ଣ କ୍ଷମତା ୬୩୦ ଫୁଟ୍‌ରେ ପହଞ୍ଚିବା କଥା। ଚଳିତ ବର୍ଷ ୨୮ ଅଗଷ୍ଟ ଅପରାହ୍‌ଣ ୩ଟାରେ ଜଳସ୍ତର ୬୨୧.୬୭ ଫୁଟ୍‌ରେ ପହଂଚି ଥିଲା। ମାତ୍ର, ଜଳପ୍ରବେଶ ହ୍ରାସ ପାଇବା ପରେ ଜଳଭଣ୍ଡାର ଜଳସ୍ତର ବି ଧୀରେ ଧୀରେ ଖସୁଛି।

ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୦.୫୬ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡାରକୁ ମାତ୍ର ୬,୬୨୧ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଜଳଭଣ୍ଡାରରକୁ କିନ୍ତୁ ୨୮,୭୧୬ କ୍ୟୁସେକ୍ ନିଷ୍କାସିତ ହେଉଛି। ସେଥିରୁ ୨୪,୧୪୫ କ୍ୟୁସେକ୍ ପାଣି ପାୱାର ଚାନେଲ ଦେଇ ମହାନଦୀରେ ଛଡ଼ାଯାଇଛି। ଜଳସେଚନ ନିମନ୍ତେ ୪,୨୧୭ କ୍ୟୁସେକ୍, ଶିଳ୍ପ ନିମନ୍ତେ ୨୫୧ କ୍ୟୁସେକ୍ ଓ ମେଗା ଉଠାଜଳସେଚନ ପାଇଁ ୧୦୩ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ରୁଲ୍ କର୍ଭ ଅନୁସାରେ ସେପ୍ଟେମ୍ବର ୧ ତାରିଖରେ ଉପର ଜଳସ୍ତର ୬୨୭ ଫୁଟ ରହିବା କଥା। ମୌସୁମୀ ସମୟରେ ହୀରାକୁଦ ଉପରମୁଣ୍ଡ ଅବବାହିକାରେ ହାରାହାରି ପାଖପାଖି ୧୧୨୦ ମିମି ବର୍ଷା ହେଉଥିବା ବେଳେ ହାରାହାରି ପାଖପାଖି ୨୪ ନିୟୁତ ଏକର ଫୁଟ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିଥାଏ l

୨୦୦୦ରେ ଜଳସ୍ତର ୬୧୭.୦୨ ଫୁଟରେ ସୀମିତ ରହିଥିଲା l ତଥ୍ୟ କହୁଛି, ୧୯୫୯, ୧୯୬୧, ୧୯୮୦, ୧୯୯୨, ୧୯୯୪, ୨୦୦୦୮ ଓ ୨୦୧୧ ଆଦି କେତେକ ବର୍ଷ ବ୍ୟତୀତ ସେପ୍‌ଟେମ୍ବର ମାସର ପ୍ରଥମ ସପ୍ତାହ ପରେ ଆଉ ହୀରାକୁଦର ଉପରମୁଣ୍ଡରେ ପ୍ରାୟତଃ ଭଲ ବର୍ଷା ହୋଇନଥିବା ରେକର୍ଡ କରାଯାଇଛି। ଯଦି ଆଉ ଉପର ମୁଣ୍ଡରେ ଭଲ ବର୍ଷା ନହୁଏ, ତେବେ ଜଟିଳ ପରିସ୍ଥିତି ୨୦୦୦ ମସିହାକୁ ବି ବଳି ଯାଇପାରେ। ଏ ସଂକ୍ରାନ୍ତରେ ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକା ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେ କହିଲେ, ଆସନ୍ତା ୪ ଓ ୧୧ ତାରିଖ ଦିନ ଦୁଇଟି ବଡ଼ ବର୍ଷା ହେବା ପୂର୍ବାନୁମାନ କରାଯାଇଛି। ତେଣୁ, ସେଭଳି କିଛି ଅସୁବିଧା ହେବ ନାହିଁ।

ସମ୍ବନ୍ଧିତ ଖବର