କାମ ପାଇଁ ତାଡ଼ିଦେଲେ ରାସ୍ତା: ପାଇପ୍‌ ଫାଟି ଚୁଡ଼ଙ୍ଗସାହିରେ ପାଣି

ପୁରୀ: ପୁରୀ ପୌର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ନିକଟରେ ଥିବା ଚୁଡ଼ଙ୍ଗସାହି ରାସ୍ତାର ଉନ୍ନତୀକରଣ କରାଯାଉଛି। କିନ୍ତୁ ଠିକାଦାରଙ୍କ ଭୁଲ୍‌ ଯୋଗୁ ଆଜି ପିଇବା ପାଣି ପାଇପ ଫାଟି ରାସ୍ତାରେ ପାଣି ଭାସିଛି। ଏଥିରେ ନାଳ ପାଣି ମିଶି ପିଇବା ପାଣିକୁ ବି ବିଷାକ୍ତ କରିଛି। ଏହାଦ୍ବାରା ଅଞ୍ଚଳବାସୀ ଝାଡ଼ାବାନ୍ତିରେ ପଡ଼ିବା ଆଶଙ୍କା ଦେଖାଦେଇଛି। ସେପଟେ ରାସ୍ତା ଖୋଳି ଦିଆଯାଇଥିବା ଓ ପାଇପ ଫାଟି ସେହି୍ଭଳି ପାଣି ଭାସୁଥିବାରୁ ସାହିବାସୀ ଯା’ଆସରେ କଲବଲ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, ଚୁଡ଼ଙ୍ଗସାହି ରାସ୍ତା ଖୋଳି ପେଭର୍‌ ବ୍ଲକ ବିଛାଯିବାକୁ ଯୋଜନା କରାଯାଇଛି। ଏଥିପାଇଁ ଠିକାଦାର କଂକ୍ରିଟ୍‌ ରାସ୍ତାକୁ ତାଡ଼ି ବାଲି ବିଛାଇବା ପରେ ପେଭର ବ୍ଲକ୍‌ ପକାଇବେ। କିନ୍ତୁ ରାସ୍ତାର ସଠିକ୍‌ ଅନୁଧ୍ୟାନ ନ କରି ଆଜି ଠିକାଦାର କଂକ୍ରିଟ୍‌ ରାସ୍ତାକୁ ଜେସିବି ଲଗାଇ ତାଡ଼ି ନେଇଥିଲେ। ଲୋକଙ୍କ ଜରିଆରେ ଏହି କାମ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶନାମା ଥିଲେ ବି ବଡ଼ ବଡ଼ ଜେସିବି ଲଗାଇ ରାସ୍ତା ତଡ଼ା ଯାଇଥିଲା। ଫଳରେ ରାସ୍ତା ତଳେ ସାହିର ବିଭିନ୍ନ ଲୋକଙ୍କ ଘରକୁ ସଂଯୋଗ କରାଯାଇଥିବା ଡ୍ରିଙ୍କ ଫ୍ରମ ଟ୍ୟାପ ପାଣି ପାଇପ ସବୁ କଟି ଯାଇଥିଲା। ଏହା ଫଳରେ ପିଇବା ପାଣି ସବୁ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଭାସିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିଥିବା ଜଣାପଡ଼ିଛି। ସେପଟେ ଠିକାଦାର ସେହିଭଳି ରାସ୍ତାକୁ ଖୋଳି ଛାଡ଼ି ଦେଇଥିବାରୁ ଲୋକେ ଏବେ ବି ଯା’ଆସ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି।

ସମ୍ବନ୍ଧିତ ଖବର