ରୁଙ୍ଗଟା କମ୍ପାନି ପ୍ରତିଷ୍ଠାକୁ ବିରୋଧ: ୩ ଗ୍ରାମବାସୀଙ୍କ ବିଶାଳ ଶୋଭାଯାତ୍ରା

ଗୁଣ୍ଡୁରିଆ ସହିଦ୍ ସ୍ଥଳ ଓ କାପିବୁରୁ ପାହଡ଼ର ସୁରକ୍ଷା ଦାବି

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ପୁରୁଣାପାଣି ଗ୍ରାମପଂଚାୟତ ଦାଣ୍ଡବୋଷ, ଆନନ୍ଦପୁର ଓ କନ୍ଟାବଣୀ ଗ୍ରାମ ନିକଟରେ ଏମ୍/ଏସ୍ ରୁଙ୍ଗଟା ମେଟାଲ୍ ପ୍ରା.ଲି ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠାତାକୁ ବିରୋଧ ସହିତ ଅନ୍ୟ ଦୁଇ ଦଫା ଦାବି କରି ଆଜି ୩ ଗ୍ରାମର ଗ୍ରାମବାସୀମାନେ ଦାଣ୍ଡବୋଷଠାରୁ ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଜାର ହଜାର ପୁରୁଷ ଓ ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ।

ସୂଚନାଯୋଗ୍ୟ ଯେ ରୁଙ୍ଗଟା କମ୍ପାନି ପ୍ରତିଷ୍ଠାକୁ ବିରୋଧ କରି ୨୦୨୩ ଜୁନ୍ ୨୩ ରେ ପେସା ଆକ୍ଟ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ତେବେ ପେସା ଆକ୍ଟ ପକ୍ଷରୁ ରାଇରଙ୍ଗପୁରରେ ରୁଙ୍ଗଟା ଲୌହ ଇସ୍ପାତ୍ କାରଖାନା ପ୍ରତିଷ୍ଠା ବିରୋଧ ଆଗତ ରିଟ୍ ପିଟିସନ୍‌କୁ ୨୧ ଡିସେମ୍ବର ୨୦୨୩ରେ ଉଚ୍ଚତମ ନ୍ୟାୟଳୟ ଖାରଜ କରିବା ପରେ ରୁଙ୍ଗଟା କାରଖାନା ପ୍ରତିଷ୍ଠା ନେଇ ସବୁଜ ସଂଙ୍କେତ ମିଳିଥିଲା। ପରବର୍ତ୍ତୀ ସମୟରେଏମ୍/ଏସ୍ ରୁଙ୍ଗଟା ମେଟାଲ୍ ପ୍ରା.ଲି ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠାତା ନେଇ ଗତ ୨ ମାର୍ଚ୍ଚ ୨୦୨୪ରେ ଦାଣ୍ଡବୋଷ, ଆନନ୍ଦପୁର ଓ କନ୍ଟାବଣୀ ଗ୍ରାମର ଗ୍ରାମବାସୀ,ରୁଙ୍ଗଟା କମ୍ପାନିର କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନଙ୍କୁ ନେଇ ପୁରୁଣାପାଣୀ ପଂଚାୟତ ନିକଟରେ ଏକ ଗ୍ରାମସଭା ବସିଥିଲା । ତେବେ ଉକ୍ତ ଗ୍ରାମସଭାରେ ବିଶ୍ୃଙ୍ଖଳା ସ୍ୃଷ୍ଟି ହେବାରୁ ସ୍ଥଗିତ ରହିଥିଲା। ଉକ୍ତ ଗ୍ରାମସଭା ପୁଣିଥରେ ହେବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା।

ତେବେ ଆଜି ୩ ଗ୍ରାମର ଗ୍ରାମବାସୀମାନେ ଏମ୍/ଏସ୍ ରୁଙ୍ଗଟା ମେଟାଲ୍ ପ୍ରା.ଲି ଲୌହ ଇସ୍ପାତ କାରଖାନା ପ୍ରତିଷ୍ଠାତାକୁ ବିରୋଧ,ପଂଚମ ଅନିସୂଚୀ ଅଂଚଳରେ ବସବାସ କରୁଥିବା ଆଦିବାସୀ ମାନଙ୍କ ଜମି ଉପରେ କାରଖାନା ପ୍ରତିଷ୍ଠା ବନ୍ଦ, ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ତୀର୍ଥସ୍ଥାନ ଏବଂ ପଣ୍ଡିତ୍ ରଘୁନାଥ ମୁର୍ମୁଙ୍କର ସାଧନା ପ୍ଥଙ୍ଖ ଦାଣ୍ଡବୋଷସ୍ଥ “କାପିବୁରୁ” ପାହାଡର ସୁରକ୍ଷା ଏବଂ ଆଦିବାସୀ ବୀର ପୁରୁଷଙ୍କର “ଗୁଣ୍ଡୁରିଆ” ସହିଦ୍ ସ୍ଥଳକୁ ସୁରକ୍ଷା ନେଇ ଆଜି ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଜରିଆରେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୟୂରଭଞ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଶୋଭାଯାତ୍ରାରେ ତିନି ଗ୍ରାମର ଗ୍ରାମବାସୀ ସାଲୁ କିସ୍କୁ, ପୁରୁଣାପାଣି ସରପଂଚ ବାଲ୍ହିମଣୀ ଟୁଡୁ, ନାଏବ ସରପଂଚ ସାଂଖ ହାଁସଦାଃ, ଦାଣ୍ଡବୋଷ ଗ୍ରାମର ଗ୍ରାମ ଘାସିରାମ୍ ମୁର୍ମୁ, ଆନନ୍ଦପୁର ଗ୍ରାମର ଗ୍ରାମ ମୁଖିଆ ସିଧିଲାଲା୍ ମୁର୍ମୁ, କନ୍ଟାବଣୀ ଗ୍ରାମର ଗ୍ରାମ ମୁଖିଆ ରାମଚନ୍ଦ୍ର ହାଁସଦାଃ, ତାରସ ମୁର୍ମୁ, ତନେୟା ମୁର୍ମୁ, ଦାସମାତ୍ୱ ମୁର୍ମୁ, ପାନ କିସ୍କୁ,ନେପଲ ରଘୁ ମୁର୍ମୁ, ସୁନ୍ଦର ମୋହନ ମାରାଣ୍ଡିଙ୍କ ସମେତ ହଜାର ହଜାର ପୁରୁଷ ଓ ମହିଳା ସାମିଲ୍ ହୋଇ ବିଭିନ୍ନ ନାରା ଦେଇ ଶୋଭାଯାତ୍ରାରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର