ସେଫ୍‌ସିଟି କ୍ୟାମେରା ସର୍ଭିଲେନ୍ସ ଓ ଟ୍ରାଫିକ୍ ପ୍ରକଳ୍ପ ଉଦ୍‌ଘାଟିତ

ଅପରାଧ ଓ ଟ୍ରାଫିକ ନିୟନ୍ତ୍ରଣ ସହଜ ହେବ

ବଲାଙ୍ଗୀର: ବଲାଙ୍ଗୀର ସହରାଞ୍ଚଳ ପ୍ରଗତିଶୀଳ ସହରାଞ୍ଚଳ। ଧୀରେ ଧୀରେ ଜନସଂଖ୍ୟା ବଢୁଛି। ଏଣୁ ଅପରାଧ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସେଫ୍‌ସିଟି କ୍ୟାମେରା ସର୍ଭିଲେନ୍ସ ଓ ଟ୍ରାଫିକ ପ୍ରକଳ୍ପ ବୁଧବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ଶ୍ରୀ ତ୍ରିପାଠୀ କହିଥିଲେ, ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍‌ପିଙ୍କ ପ୍ରସ୍ତାବ ଅନୁସାରେ ଡବ୍ଲୁଓଡିସି ପକ୍ଷରୁ ୧କୋଟି ୨୫ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ମଂଜୁର କରାଯାଇଥିଲା।

ଏହି ପ୍ରକଳ୍ପ ଦ୍ୱାରା ସହରରେ ଅପରାଧକୁ ନିୟନ୍ତ୍ରଣ କରାଯାଇପାରିବ। ଟ୍ରାଫିକ୍‌ କଣ୍ଟ୍ରାଲ ବି ହେବ। କୌଣସି ଘଟଣା ଘଟିଲେ ଅପରାଧୀମାନଙ୍କୁ ଧରିବା ସହଜ ହୋଇପାରିବ। ଆଧୁନିକ ଜ୍ଞାନକୌଶଳର ସଫ୍‌ଟୱେର ସହ ସହର ସାରା ୧୦୫ଟି କ୍ୟାମେରା ଲଗାଯାଇଛି। ପୂର୍ବରୁ ଥିବା ୨୫ଟି କ୍ୟାମରାକୁ ଅପ୍‌ଗ୍ରେଡ୍‌ କରାଯାଇଛି। ଟ୍ରାଫିକ ଲାଇଟ ସିଷ୍ଟମ ବି ଭଲରେ କାମ କରିପାରିବ ବୋଲି କହିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ଲିକା ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ନିତିନ କୁଶଳକର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର