ବର୍ଷାକୁ ଗାଳି କଲ; ପଦ୍ମପୁର ଯିବାକୁ ବାଧ୍ୟ ହେଲି: ନବୀନ

ଭୁବନେଶ୍ବର : କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ନିର୍ବାଚନରେ ଯାଇ ନ ଥିଲେ, ବିଭିନ୍ନ ଉପନିର୍ବ‌ାଚନରେ ବି ଯାଇ ନ ଥିଲେ, ପଦ୍ମପୁର ନିର୍ବାଚନରେ କାହିଁକି ଗଲେ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା। ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ; ଓଡ଼ିଶାର ସବୁ ମହିଳାଙ୍କ ପାଇଁ ଦୁଃଖର କଥା। ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନ ଲଢ଼ିବା ଅଲଗା କଥା। କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବାପାଙ୍କୁ ହରାଇଥିବା ବର୍ଷାଙ୍କ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି।

ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ପରେ ପ୍ରତିକ୍ରିୟା ଦେବା ଅବସରରେ ବିଜେପିକୁ ଏମିତି ଭର୍ତ୍ସନା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହୁରି କହିଛନ୍ତି ଯେ ମୁଁ ବିରୋଧୀ ଦଳକୁ ବିଶେଷ କରି ରାଜ୍ୟର ବିଜେପି ନେତୃମଣ୍ଡଳୀଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି, ରାଜନୀତି କରିବା ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ। ଆଜି ନୁହେଁ, ସଦା ବେଳେ।

ପୁଣି କେନ୍ଦ୍ର ମନ୍ତ୍ରୀମାନଙ୍କ ମନ୍ତବ୍ୟକୁ ସମାଲୋଚନା କରି ନବୀନ କହିଛନ୍ତି, ଆଉ ଗୋଟେ ଗୁରୁତ୍ବପର୍ଣ୍ଣ କଥା ହେଲା କେନ୍ଦ୍ର ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀ ଓଡ଼ିଶାବାସୀଙ୍କୁ ବିଶେଷ କରି ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କଲେ। ସେ ଆବାସ ଯୋଜନା ହେଉ କି କେନ୍ଦୁପତ୍ରର ଜିଏସ୍‌ଟି ହେଉ, ବା ଫସଲ ବୀମାରେ ବିଳମ୍ବ ହେଉ, ଏମ୍‌ଏସ୍‌ପି ପ୍ରସଙ୍ଗ ହେଉ, ବା ରେଳ ସଂଯୋଗ ହେଉ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଠିକ୍‌ ନୁହେଁ । ଆପଣ କେନ୍ଦ୍ରରେ ଅଛନ୍ତି, ଆମେ ରାଜ୍ୟରେ ଅଛୁ । ମିଶିକରି ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଓଡ଼ିଶାର ଉନ୍ନତି ପାଇଁ କାମ କରିବା।

ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବିଜୟ ପଦ୍ମପୁରବାସୀଙ୍କ ବିଜୟ। ବହୁତ ଶୀଘ୍ର ପଦ୍ମପୁର ଯାଇ ଲୋକଙ୍କ ଆଶୀର୍ବାଦ ନେବି। ଏହା ସହ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରାଯିବ।

ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ ବ୍ୟବସ୍ଥିତ ଓ ନିଷ୍ଠାର ସହ କାମ କରିଛନ୍ତି। ସରକାରଙ୍କ ଭଲ ଭଲ ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି।

ସମ୍ବନ୍ଧିତ ଖବର