ଭିଜିଲାନ୍ସ ଜାଲରେ ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ବ ସହାୟକ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ତଥା ରେକର୍ଡକିପର ହେବଲେଟ ବାର୍ଲା ଏକ ଦାଖଲ ଖାରଜ ମାମଲାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ଟିମ୍‌ ମିଳିତ ଚଢ଼ଉ କରି ଶ୍ରୀ ବାର୍ଲାଙ୍କୁ କାବୁ କରିଛନ୍ତି।

ପ୍ରକାଶ ଯେ, ୨୦୧୯ ମସିହାର ଦାଖଲ ଖାରଜ ମାମଲା ବାବଦରେ ଶ୍ରୀ ବାର୍ଲା ଦେବଙ୍ଗ ନିବାସୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ଭୋଇଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେ ଏହା ନଦେବାରୁ ବହୁ ହଇରାଣ ହରକତ କରୁଥିଲେ। ଏନେଇ ଈଶ୍ୱର ଭୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଶ୍ରୀ ବାର୍ଲାଙ୍କୁ ମିଳିତ ଭିଜିଲାନ୍ସ ଦଳ କାବୁ କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ପାଇଁ ଶ୍ରୀ ବାର୍ଲାଙ୍କୁ ବଲାଙ୍ଗୀର ନେଇଥିବା ଜଣାଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସ ଡିଏସ୍‌ପି ପୌଲସ୍ତି ଛତ୍ରିଆ, ରୀତାଞ୍ଜଳି ପ୍ରଧାନୀ, ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ତେରେସା କେଶୀ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧିତ ଖବର