ସିଇଓ କନ୍‌କ୍ଲେଭ୍‌ ୨୦୨୩: ପ୍ରଥମେ ଲକ୍ଷ୍ୟ ଧାର୍ଯ୍ୟ କର, ତା’ପରେ ଆଗକୁ ବଢ଼

ମହିଳାଙ୍କୁ ସଠିକ୍ ଦୃଷ୍ଟିକୋଣରେ ଦେଖିବା ଦରକାର: ପାଢ଼ୀ

ନୂଆଦିଲ୍ଲୀ: ବ୍ୟବସାୟ ଦୁନିଆରେ ସଫଳତା ପାଇବାକୁ ହେଲେ ପ୍ରଥମ ନିଜର ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପଡ଼ିବ। ସେହି ଲକ୍ଷ୍ୟ ହିଁ ଆଗକୁ ବଢ଼ିବାର ମାଗଦର୍ଶନ କରିବ ଯାହା ଜରିଆରେ ସଫଳତା ମିଳିପାରିବ ବୋଲି ସମ୍ବାଦ ସିଇଓ କନ୍‌କ୍ଲେଭ୍ ୨୦୨୩ ଅବସ‌ରରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାର ବକ୍ତାମାନେ କହିଛନ୍ତି। ‘ରଣନୀତି ପ୍ରସ୍ତୁତ କରିବା ଏବଂ ସଂସ୍ଥାର ନେତୃତ୍ବ ନେବାରେ ସିଇଓଙ୍କୁ ନେତୃତ୍ବ ଓ ଦଳଗତ କାର୍ଯ୍ୟ ମାର୍ଗଦର୍ଶନ କରିଥାଏ’ ଶୀର୍ଷକ ଏହି ପ୍ୟାନେଲ୍ ଆଲୋଚନାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ଓ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଓମ୍‌କାର ରାଏ ବକ୍ତା ଭାବେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ‌ତନୟା ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ୟାନେଲ୍ ଆଲୋଚନାରେ ଶ୍ରୀମତୀ ପାଢ଼ୀ ମହିଳା ନେତୃତ୍ବ ଉପରେ ମତ ରଖି କହିଛନ୍ତି ଯେ ପୁରୁଷମାନେ ସାଧାରଣତଃ ମହିଳାମାନଙ୍କୁ ପାରମ୍ପରିକ ଭୂମିକାରେ ଦେଖିଆସିଛନ୍ତି। ଜଣେ ମହିଳା ‌ଅନେକ ତ୍ୟାଗ କରିବା ପରେ ‌କର୍ମକ୍ଷେତ୍ରରେ ଶୀର୍ଷ ସୋପାନରେ ପହଞ୍ଚିଥାନ୍ତି। ତେଣୁ ଯେତେବେଳେ ଜଣେ ମହିଳା କୌଣସି ଟିମ୍‌ର ନେତୃତ୍ବ ନିଅନ୍ତି ସେ ନିଜ କଥାକୁ ଅତି ସ୍ପଷ୍ଟ ଭାବେ ଉପସ୍ଥାପନ କରିଥାନ୍ତି ଯେଉଁଥିପାଇଁ ତାଙ୍କୁ ଜଣେ ବସ୍‌ ଭଳି ବିଚାର କରାଯାଏ। ସଠିକ ଦୃଷ୍ଟିକୋଣ ସହ ମହିଳାଙ୍କୁ ଦେଖିଲେ ସେହି ଭାବନା ମନରୁ ଆପେ ଦୂର ହୋଇଯିବ ବୋଲି ସେ କହିଛନ୍ତି। ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କୁ କେତେ ବେଳେ ସିଇଓ ନିଯୁକ୍ତ କରିବା ଦରକାର ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଷ୍ଟାର୍ଟଅପ୍ ଓଡ଼ିଶାର ଡ. ରାଏ କହିଛନ୍ତି ଯେ ଯେତେବେଳେ ପ୍ରତିଷ୍ଠାତାଙ୍କୁ ଲାଗିବ ଯେ ବ୍ୟବସାୟକୁ ଦ୍ରୁତ ଗତିରେ ସମ୍ପ୍ରସାରଣ କରିବାର ଆବଶ୍ୟକତା ରହିଛି ସେହି ସମୟରେ ସେ ଜଣେ ଦକ୍ଷ ସିଇଓ ସନ୍ଧାନ କରିବା ଦରକାର। ବ୍ୟବସାୟ ବ୍ୟାପକ କରିବାକୁ ହେଲେ ପେସାଦାର ଢଙ୍ଗରେ ତାହା ଆଗକୁ ବଢ଼ିବା ଉଚିତ ଯେଉଁଥିରେ ସିଇଓଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି।

ମହିଳାଙ୍କୁ ସଠିକ୍ ଦୃଷ୍ଟିକୋଣରେ ଦେଖିବା ଦରକାର: ପାଢ଼ୀ
ବିଫଳତାରୁ ଶିକ୍ଷା ମିଳିଥାଏ: ରାଏ
ଗୁଣାତ୍ମକ ସମୟ ବିତାଇଲେ କର୍ମ-ଜୀବନ ମଧ୍ୟରେ ସନ୍ତୁଳନ ପ୍ରଶ୍ନ ରହିବନି: ମିଶ୍ର

ଜୀବନ ଓ କର୍ମ ମଧ୍ୟରେ ସନ୍ତୁଳନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଆଇଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ମିଶ୍ର କହିଛନ୍ତି ଯେ ଘର ପାଇଁ କିଛି ନିର୍ଦ୍ଦିଷ୍ଟ ଘଣ୍ଟା ଓ କାମ ପାଇଁ କିଛି ସମୟ ଦେବାକୁ ଜୀବନ-କର୍ମ ମଧ୍ୟରେ ସନ୍ତୁଳନ କୁହାଯାଇପାରିବ ନାହିଁ। ଆପଣ ଯେଉଁ କାମ ପସନ୍ଦ କରୁଛନ୍ତି ତାହା କଲେ ଅସନ୍ତୁଳନର ପ୍ରଶ୍ନ ହିଁ ଉଠିବନି। ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ଯେଉଁଠାରେ ଉପସ୍ଥିତ ରହୁଛନ୍ତି ସେଠାରେ ଆଖପାଖାରେ ଥିବା ଲୋକଙ୍କ ସହିତ ଗୁଣାତ୍ମକ ସମୟ ବିତାଇଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ବିଫଳତାକୁ କିଭଳି ପରିଚାଳନା କରାଯାଏ ସେ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ରାଏ କହିଛନ୍ତି ଯେ ବିଶ୍ବ ଷ୍ଟାର୍ଟଅପ୍ ଜଗତରେ ମାତ୍ର ୫-୬ ପ୍ରତିଶତ ସଂସ୍ଥା ସଫଳ ହେଉଥିବା ବେଳେ ଅନ୍ୟଗୁଡ଼ିକ ବିଫଳ ହେଉଛି। ତଥାପି ପ୍ରତିଦିନ ବହୁ ସଂଖ୍ୟାରେ ନୂଆ ଷ୍ଟାର୍ଟଅପ୍ ସୃଷ୍ଟି ହେଉଛି। ବିଫଳତାର ସଂଜ୍ଞା ‌ସମସ୍ତଙ୍କ ପାଇଁ ସମାନ ନୁହେଁ। ବହୁ ଉଦ୍ୟୋଗୀ ବିଫଳତାକୁ ପ୍ରକୃତରେ ଶିକ୍ଷା ଭାବେ ଗ୍ରହଣ କରନ୍ତି ଏବଂ ପରବର୍ତ୍ତୀ ସମୟରେ ସେଥିରେ ସୁଧାର ଆଣି ସଫଳତା ପାଇଥାନ୍ତି ବୋଲି ସେ କହିଛନ୍ତି। ସେହିପରି, ଆଇଟି ସଚିବ ଶ୍ରୀ ମିଶ୍ର କହିଛନ୍ତି ଯେ ଯେତେବେଳେ ପରିବର୍ତ୍ତନ ହୁଏ ସେହି ସମୟରେ ସମସ୍ୟା ଦେଖାଦିଏ। ଲୋକମାନେ ତାହାକୁ ପ୍ରତିରୋଧ କରନ୍ତି। ଏଭଳି ସ୍ଥିତିରେ ନେତୃତ୍ବ ନେଉଥିବା ବ୍ୟକ୍ତି ନିଜ ଲକ୍ଷ୍ୟଠାରୁ କେବେବି ବିଚ୍ୟୁତ ହେବା ଅନୁଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର