ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ର ନାମ ‘କିଚକେଶ୍ବରୀ ଏକ୍ସପ୍ରେସ୍‌’ ରଖିବା ପାଇଁ ଦାବି କଲେ ସାଂସଦ

ରାଇରଙ୍ଗପୁର: ଗତ ୨୧ ନଭେମ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ରାଜ୍ୟପାଳ ରଘୁବର ଦାସ ତଥା କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପସ୍ଥିତରେ ଏକାଥରକେ ୩ ଟି ଟ୍ରେନ୍‌କୁ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ଷ୍ଟେସନରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ଟ୍ରେନ ମଧ୍ୟରେ ଶାଲିମାର-ବାଦାମପାହାଡ଼-ଶାଲିମାର (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା-ବାଦାମପାହାଡ଼ (ସାପ୍ତାହିକ), ବାଦାମପାହାଡ଼-ରାଉରକେଲା (ସପ୍ତାହରେ ୬ଦିନ) ରବିବାର ବ୍ୟତୀତ ଚଳାଚଳ କରୁଅଛି। ତେବେ ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ର ନାମ ‘କିଚକେଶ୍ବରୀ ଏକ୍ସପ୍ରେସ୍‌’ ରଖିବା ପାଇଁ ସାଂସଦ ମମତା ମହାନ୍ତ ଦାବି କରିଛନ୍ତି। ପଡ଼ୋଶୀ ଝାରଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିଠାରେ ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ସମସ୍ତ ସାଂସଦମାନଙ୍କ ରେଳର ଉନ୍ନତି ସମ୍ୱନ୍ଧୟୀ ବାର୍ଷିକ ଆଲଚନାଚକ୍ରରେ  ଅଂଶଗ୍ରହଣ କରି ଶ୍ରୀମତୀ ମହାନ୍ତ ଏହି ଦାବି କରିଛନ୍ତି।
କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ରେଳପଥର ଜିଏମ ଅନିଲ କୁମାର ମିଶ୍ର, ବିଭିନ୍ନ ଡିଭିଜନର ଡିଆରଏମ, ରେଳ ବିଭାଗର ବିଭିନ୍ନ ବିଭାଗର ଉଚ୍ଚ ପଦସ୍ଥ ଅଧକାରୀ ତଥା ଦକ୍ଷିଣ ପୂର୍ବରେଳ ପଥ ଅନ୍ତର୍ଗତ ସମସ୍ତ ସାଂସଦ ଉପସ୍ଥିତ ଥିଲେ। ଉକ୍ତ ଆଲଚନା ଚକ୍ରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାରେ ନୂତନ ଟ୍ରେନ ଚଳାଚଳକୁ ସ୍ୱାଗତ କରିବା ସହିତ ମହାନଗରୀ କୋଲକାତାକୁ ଯାଉଥିବା ଶାଲିମାର-ବାଦାମପାହାଡ଼-ଶାଲିମାର ଟ୍ରେନକୁ ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିକୋଣରୁ ପ୍ରତ୍ୟେକ ଦିନ ଚାଲିବା ସହିତ ଏହାର ନାମକରଣ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା, କିଚକେଶ୍ବରୀଙ୍କ ନାମରେ ମା କିଚକେଶ୍ବରୀ ଏକ୍ସପ୍ରେସ ରଖିବାଲାଗି ଦୃଢ଼ ଦାବି ଉପସ୍ଥାପନା କରିଥିଲେ । ଏଥିନିମନ୍ତେ ବିଭିନ୍ନ ଐତିହାସିକ ତଥ୍ୟ ପ୍ରଦାନ କରିଥିଲେ। ଏଥିସହିତ ସାଂସଦ ଶ୍ରୀମତୀ ମହାନ୍ତ ବାଙ୍ଗରିପୋଷୀଠାରୁ ଗୋରୁମହିଷାଣୀ ଏବଂ ବାଦାମପାହାଡ଼ଠାରୁ କେନ୍ଦୁଝର ନୂତନ ରେଳଲାଇନ ସଂଯୋଗ କେବଳ ସର୍ଭେ ଓ ଫାଇଲ ମଧ୍ୟରେ ସୀମିତ ରହୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଦାବୀ କରିଥିଲେ। ଜିଲ୍ଲାରେ ରେଳର ଉନ୍ନତି ନିମନ୍ତେ ଷ୍ଟେସନ ଗୁଡିକରେ ଆଧୁନିକୀକରଣ ଓ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଭିନ୍ନ ନୂତନ ରେଳ ଷ୍ଟେସନ ପ୍ରତିଷ୍ଠା ଲାଗି ଦାବି କରିଛନ୍ତି। ଶ୍ରୀମତୀ ମହାନ୍ତଙ୍କ ଉକ୍ତ ଦାବି ଗୁଡ଼ିକ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ସମ୍ବନ୍ଧିତ ଖବର