ଶ୍ରୀମନ୍ଦିର ପରିକ୍ରମା ମାର୍ଗ: ଯାତାୟାତରେ ବାଧକ ସାଜୁଛି ଅଘୋଷିତ ପାର୍କିଂ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସାଜିଛି ଅଘୋଷିତ ପାର୍କିଂ। ଭକ୍ତଙ୍କ ଶ୍ରୀମନ୍ଦିର ପରିକ୍ରମା ଓ ସାହି ବାସିନ୍ଦାଙ୍କ ଯାତାୟାତ ପାଇଁ ମାର୍ଗ ନିର୍ମିତ ହୋଇଛି। କିନ୍ତୁ ଏହି ମାର୍ଗ ଭକ୍ତଙ୍କ ପରିକ୍ରମାରେ ବାଧା ସୃଷ୍ଟି କରୁଛି। ରାସ୍ତାର ଉଭୟ ପାର୍ଶ୍ବରେ ବାଇକ୍‌ ପାର୍କିଂ ହେଉଥିବାରୁ ମାର୍ଗ ସଂକୁଚିତ ହୋଇଯାଉଛି। ଯାତାୟାତ କରୁଥିବା ବାସିନ୍ଦାମାନେ କ୍ଷୋଭ ଝାଡ଼ିଛନ୍ତି। ତୁରନ୍ତ ଏହି ମାର୍ଗରେ ପୁଲିସ ମୁତୟନ କରି ପରିକ୍ରମା ମାର୍ଗକୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। ସନ୍ଧ୍ୟା ହେଲେ ସ୍ଥିତି ଆହୁରି ସଂଗିନ ହେଉଛି। କିଛି ଅସ୍ଥାୟୀ ଦୋକାନୀ ମାର୍ଗକୁ ଲାଗି ଦୋକାନ କରିଛନ୍ତି। ତେଣୁ ଦୋକାନରେ ଖାଇବା ଓ କିଣାକିଣି କରିବାକୁ ଭକ୍ତ ଓ ସ୍ଥାନୀୟ ବାସିନ୍ଦାମାନେ ଭିଡ଼ ଜମାଉଥିବାରୁ ମାର୍ଗରେ ଯାତାୟାତ କରିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ପରିକ୍ରମା ମାର୍ଗ ପାର୍ଶ୍ବରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଦୈନନ୍ଦୀନ ନୀତି ଓ ଶ୍ରୀମନ୍ଦିରରେ ନିଜର କାର୍ଯ୍ୟ ସମ୍ପାଦନ ପାଇଁ ପାର୍କିଂ ନିତାନ୍ତ ଆବଶ୍ୟକ। ମାତ୍ର ଭକ୍ତଙ୍କ ପାର୍କିଂ ପାଇଁ ବ୍ୟବସ୍ଥା କରାନଯିବାରୁ ପରିକ୍ରମା ମାର୍ଗକୁ ବହୁ ଭକ୍ତ ପାର୍କିଂ ଭଳି ବ୍ୟବହାର କରୁଛନ୍ତି। ଏବେ ଭକ୍ତମାନେ କେବଳ ଦୋଳବେଦି କୋଣରେ ବାଇକ୍‌ ପାର୍କିଂ କରି ଯାଉଛନ୍ତି। ଏହା ବି ଅନୁମୋଦିତ ନୁହେଁ। ଏହାବ୍ୟତୀତ ସିଂହଦ୍ବାର ବାହାରେ ବ୍ୟାରିକେଡ୍‌ ପାଖରେ ବାଇକ୍‌ ପାର୍କିଂ ହେଉଛି। ଏହାବ୍ୟତୀତ ବାଇକ୍‌ ପାର୍କିଂ ପାଇଁ ସରକାରୀ ସ୍ତରରେ କିମ୍ବା ଘରୋଇ ସ୍ତରରେ କୌଣସି ସୁବିଧା କରାଯାଇନାହିଁ। ଅଧିକାଂଶ ସ୍ଥାନୀୟ ଭକ୍ତ ବାଇକ୍‌ ନେଇ ଦର୍ଶନ ପାଇଁ ଯାଉଥିବା ବେଳେ ଭକ୍ତମାନେ ଏହିକ୍ତ ମାର୍ଗକୁ ପାର୍କିଂରେ ପରିଣତ କରିଦେଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ଜେଲ୍‌ ରୋଡ୍‌ରେ ଅବଢ଼ା ଯୋଜନାରେ ୬୭.୬୩ କୋଟି ଟଙ୍କାରେ ବହୁତଳ ବିଶିଷ୍ଟ ପାର୍କିଂ ଓ ସୌଧ ନିର୍ମାଣ କରାଯାଇଛି। ହେଲେ ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହୋଇନାହିଁ। ରଥଯାତ୍ରାରେ ଏହା ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲା ଯାଇଥିଲେ ହେଁ କେବଳ ଚାରି ଚକିଆ ପାର୍କିଂ ସୁବିଧା ମିଳିଥିଲା। ଏହି ବହୁତଳ ପାର୍କିଂ ମଧ୍ୟରେ ୫ଶହ ଚାରିଚକିଆ ଓ ୫ଶହ ଦୁଇଚକିଆ ଯାନ ପାର୍କିଂ ସୁବିଧା ରହିଛି। ମାତ୍ର ଏହା କାର୍ଯ୍ୟକାରୀ ହେଉନାହିଁ। ଏଣେ ଏବେ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବାଇକ୍‌ ଛଡ଼ାଯାଉଥିବାରୁ ଭକ୍ତମାନେ ନିଜ ସୁବିଧା ପାଇଁ ମନ୍ଦିର ନିକଟକୁ ଯାଉଛନ୍ତି ସତ, କିନ୍ତୁ ବାଇକ୍‌ ରଖିବା ପାଇଁ ସୁବିଧା ପାଉନାହାନ୍ତି। ତେଣୁ ପରିକ୍ରମା ମାର୍ଗ ମଧ୍ୟରେ ଏଣେତେଣେ ଗାଡ଼ି ରଖି ମନ୍ଦିରକୁ ଯାଉଛନ୍ତି। ଏହି ମାର୍ଗରେ ବ୍ୟାଟେରି ଅଟୋ ସମେତ ସାହି ବାସିନ୍ଦାମାନେ ବାଇକ ନେଇ ସହର ମଧ୍ୟକୁ ଆସୁଥିବା ବେଳେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ତୁରନ୍ତ ବାଇକ୍‌ ପାର୍କିଂ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ସହ ପରିକ୍ରମା ମାର୍ଗକୁ ମୁକ୍ତ ରଖିବା ପାଇଁ ପୁଲିସ ମୁତୟନ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର