ଉତ୍ତର ଘୁମୁସର ବନଖଣ୍ଡରେ ଅସୁସ୍ଥ ଦନ୍ତା ମୃତ, ତିନି ମାସରେ ମଲେଣି ତିନି ଦନ୍ତା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାର ମୃତ୍ୟୁ ଘଟିଛି। ତାରସିଂ ବନାଞ୍ଚଳ ଅଧୀନ ଗାୟାଗଣ୍ଡା ସେକ୍ସନ୍‌ର ରାମ୍ପୁ ଗ୍ରାମଠୁ ୮ କିଲୋମିଟର ଦୂର ନୟାଗଡ଼-ଗଞ୍ଜାମ ସୀମାନ୍ତ ଚିଟିକାପାଦୁ ଜଙ୍ଗଲ ଇଲାକାରେ ଆଜି ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ହେଲା ହାତୀଟି ଅସୁସ୍ଥ ଥିଲା। ବନ ବିଭାଗ କର୍ମଚାରୀ ପ୍ରତିଦିନ ତାର ଗତିବିଧି ଉପରେ ନଜର ରଖିଥିଲେ। ଶନିବାର ସକାଳେ ହଠାତ୍ ହାତୀଟି ଏକ କାଦୁଅ ଦଲଦଲରେ ଫସି ଆଉ ଉଠି ପାରି ନଥିଲା। କର୍ମଚାରୀମାନେ ତାରସିଂ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସାଙ୍ଗରେ ନେଇ ହାତୀକୁ ସାଲାଇନ୍ ଲଗାଇ ଚିକିତ୍ସା କରିଥିଲେ। କିଛି ସମୟ ପରେ ହାତୀଟିର ମୃତ୍ୟୁ ହୋଇଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି। ସନ୍ଧ୍ୟା ହୋଇଯାଇଥିବାରୁ ରବିବାର ଦିନ ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ମୃତ ହାତୀଟିର ବୟସର ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ତାରସିଂ ବନାଞ୍ଚଳରେ ୩୧ଟି ହାତୀ ରହିଥିବା ବେଳେ ଗତ କିଛି ଦିନ ହେଲା ୧୩ଟିକିଆ ହାତୀପଲ ଗାୟାଗଣ୍ଡା ଇଲାକ‌ାରେ ଘୂରି ବୁଲୁଛନ୍ତି। ମୃତ ଦନ୍ତାହାତୀଟି ନୟାଗଡ଼ ବନାଞ୍ଚଳରୁ ଆସି ଘୋଗଡ଼ରୁ ବାଇଛାଇ ଜଙ୍ଗଲ ଇଲାକା ମଧ୍ୟରେ ଗତିବିଧି ଜାରି ରଖିଥିଲା। ତେବେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ଗତ ସପ୍ତାହରେ ଅସୁସ୍ଥ ହାତୀକୁ ଖୋଜିବାକୁ ଯାଇ କର୍ମଚାରୀମାନେ ହାତୀପଲ ହାବୁଡ଼ରେ ପଡ଼ିଥିଲେ। ଜଣେ କର୍ମଚାରୀ ବୁଟ୍ ଫୋପାଡ଼ି ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ।

ମଳ ପରୀକ୍ଷା ବେଳେ ତାର କୃମି ହୋଇଥିବା ଜଣାପଡ଼ିଥିବା ତାରସିଂ ପ୍ରାଣୀ ଚିକିତ୍ସକ ଡ.ବିଜୟିନୀ ପଣ୍ଡା ପ୍ରକାଶ କରିଛନ୍ତି। କିନ୍ତୁ ଶରୀରର କୌଣସି ସ୍ଥାନରେ ଆଘାତ ଓ କ୍ଷତ ଚିହ୍ନ ନାହିଁ। ଅନ୍ୟପକ୍ଷରେ ବନଖଣ୍ଡ ଅଧିକାରୀ ଶ୍ରୀ ବେହେରାଙ୍କ ସମେତ ଏସିଏଫ୍‌ ବିକ୍ରମ ଦେବ ପଟ୍ଟନାୟକ ଓ ରେଞ୍ଜର ତାରକାନ୍ତ ଉଦ୍‌ଗାତା ପ୍ରମୁଖ ତଦନ୍ତ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସୂଚନା ମିଳିଛି। ସେହିପରି ହାତୀଟି ବହୁଦିନ ‌ହେଲା ଅସୁସ୍ଥ ଥିବା ନେଇ ବନ ବିଭାଗ ପାଖରେ ସୂଚନା ଥିଲା। ତଥାପି ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌କୁ ଡାକି କାହିଁକି ଉନ୍ନତମାନର ଚିକିତ୍ସା କରାଗଲାନି, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉକି, ଏହାକୁ ମିଶାଇ ଉତ୍ତର ଘୁମୁସର ବନଖଣ୍ଡରେ ତିନିମାସରେ ତିନିଟି ଦନ୍ତାହାତୀର ମୃତ୍ୟୁ ହୋଇଛି। ଗତ ଜୁଲାଇ ମାସରେ ମୁଜାଗଡ଼ ଓ ଜଗନ୍ନାଥପ୍ରସାଦ ରେଞ୍ଜ୍‌ରେ ଦୁଇଟି ଦନ୍ତାହାତୀକୁ ଦୁର୍ବୃତ୍ତମାନେ ହତ୍ୟା କରି ଦାନ୍ତ କାଟି ନେଇଥିଲେ। ଆଜି ପୁଣି ଏକ ଦନ୍ତାର ମୃତ୍ୟୁ ହାତୀ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର