ଶ୍ବଶୁରଙ୍କୁ ହତ୍ୟା, ଜ୍ବାଇଁକୁ ଆଜୀବନ ଜେଲ୍

ସୁନ୍ଦରଗଡ଼: ଲେଫ୍ରିପଡ଼ା ଥାନା ଦନାର୍ଦ୍ଦନପୁରରେ ୨୦୨୦ ଏପ୍ରିଲ ୧୦ରେ ସଂଘଟିତ ଏକ ହତ୍ୟା ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ। ଶ୍ବଶୁର ବିଶେଶ୍ବର ନାଗ (୭୨)ଙ୍କ ହତ୍ୟା ଅଭିଯୁକ୍ତ ଜ୍ବାଇଁ ଲଳିତ ଓରାମ (୪୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜେଶ ଦାଶ ଆଜୀବନ ଜେଲ୍ ଓ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ୍ ଦଣ୍ଡକୁ ଅଧିକ ୩ ମାସ ବୃଦ୍ଧି ହେବ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତି। ମାମଲା ଅନୁସାରେ, କୌଣସି କଥାକୁ ନେଇ ୨୦୨୦ ଏପ୍ରିଲ ୧୦ ତାରିଖ ରାତି ୧୧ଟାରେ ଲଳିତ ଓରାମ ନିଜ ଶ୍ବଶୁରଙ୍କୁ ଘରେ ପିଟି ପିଟି ମାରି ଦେଇଥିଲା। ଏ ସମ୍ପର୍କରେ ସୂଚନା ପାଇଁ ଗାଁ ୱାର୍ଡସଭ୍ୟ ବସନ୍ତ କୁଜୁର ଲେଫ୍ରିପଡ଼ା ଥାନାକୁ ଯାଇ ଏତଲା ଦେଇଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଲଳିତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ଚାଲିଥିବା ବେଳେ କୋର୍ଟ ପୁଲିସର ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଓ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଡିସେମ୍ବର ୭ ତାରିଖ ଗୁରୁବାର ଲଳିତକୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ମାମଲାକୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରଶାନ୍ତ କୁମାର ପଟେଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର