ଗଠନ ହେଲା ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌: ସିଂହଦ୍ବାର ପୁଲିସ ଅଧୀନରେ ଥିବା ୧୩୯ ପଦବିର ଉଚ୍ଛେଦ

ପୁରୀ ଏସ୍‌ପିଙ୍କ ଅଧୀନରେ କାର୍ଯ୍ୟ କରିବେ

ଭୁବନେଶ୍ବର: ଶ୍ରୀମନ୍ଦିରର ସୁରକ୍ଷା ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌କୁ ଅନୁମୋଦନ କରିଥିଲେ। ଏହି ଭିତ୍ତି‌ରେ ରାଜ୍ୟ ସରକାର ବାଟାଲିଅନ୍ ପାଇଁ ଆବଶ୍ୟକ ବିଭିନ୍ନ ପଦବି ସୃଷ୍ଟି କରିଛନ୍ତି। ବାଟାଲିଅନ୍‌ ଅଧୀନରେ ସମୁଦାୟ ୧୦୮୩ଜଣ କର୍ମଚାରୀ ରହିବେ। ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡି.କେ ସିଂହ ଆଜି ଏ ସଂକ୍ରାନ୍ତରେ ଏଜିଙ୍କୁ ପତ୍ର ଲେଖିଛନ୍ତି। ବାଟାଲିଅନ୍‌ରେ ଜଣେ କମାଣ୍ଡାଣ୍ଟ୍‌ ରହିବେ। ଏହାସହ ୨ ଉପ-କମାଣ୍ଡାଣ୍ଟ, ୧୦ ସହକାରୀ କମାଣ୍ଡାଣ୍ଟ, ୮ଜଣ ଇନ୍‌ସପେକ୍ଟର(ଆର୍ମଡ୍‌), ୩୧ଜଣ ସବ୍ ଇନ୍‌ସପେକ୍ଟର(ଆର୍ମଡ୍‌), ଜଣେ ଲେଖାଏ ସବ୍ ଇନ୍‌ସପେକ୍ଟର ଏମ୍‌ଟି, ସବ୍‌ ଇନ୍‌ସପେକ୍ଟର ଆର୍ମରର, ସବ୍ ଇନ୍‌ସପେକ୍ଟର(ଜେନେରାଲ)-ଆଇନ ଶୃଙ୍ଖଳା ଓ ସବ୍‌ ଇନ୍‌ସପେକ୍ଟର(କମ୍ୟୁନିକେସନ) ରହିବେ। ସେହିପରି ୨୪ଜଣ ଏଏସ୍‌ଆଇ(ଆର୍ମଡ୍‌), ୨ଜଣ ଏଏସ୍‌ଆଇ(ଜେନେରାଲ), ୪ଜଣ ଏଏସ୍‌ଆଇ (କମ୍ୟୁନିକେସନ), ୨୪୦ଜଣ ହାବିଲଦାର (ଜେନେରାଲ), ୭୨୦ ସିପାହୀ (ଜେନେରାଲ), ୯ଜଣ ଡ୍ରାଇଭର ହାବିଲଦାର, ୧୮ଜଣ ଡ୍ରାଇଭର, ଜଣେ ହାବିଲଦାର(ଆର୍ମରର) ଓ ଜଣେ ଆସିଷ୍ଟାଣ୍ଟ ଆର୍ମରରଙ୍କୁ ନିଯୁକ୍ତି ଦିଆଯିବ।ଏହାସହ ଜଣେ ହେଡ୍‌ କ୍ଲର୍କ, ୫ଜଣ ସିନିଅର କ୍ଲର୍କ ଓ ଜଣେ ସିନିଅର ଷ୍ଟେନୋଗ୍ରାଫରଙ୍କୁ ମିଶାଇ ୧୦୮୩ଜଣ ଏହି ବାଟାଲିଅନ୍‌ରେ ନିଯୁକ୍ତି ପାଇବେ।

ଆଉଟ୍‌ସୋସିଂ ଜରିଆରେ ଗ୍ରୁପ୍ ଡି କର୍ମଚାରୀଙ୍କୁ ନିଯୁକ୍ତି

ଅପରପକ୍ଷରେ ରାଜ୍ୟ ସରକାର ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ ଗଠନ କରିବା ପରେ ସିଂହଦ୍ବାରା ଥାନା ଅଧୀନରେ ଥିବା ୧୩୯ଟି ଏପିଆର ଫୋର୍ସ ପଦବିର ଉଚ୍ଛେଦ କରାଯାଇଛି। ସ୍ବତନ୍ତ୍ର ବାଟାଲିଅନ୍‌ ପୁରୀ ଏସ୍‌ପିଙ୍କ ଅଧୀନରେ ଓ ନିୟନ୍ତ୍ରଣରେ ରହିବେ। ଏହାସହ ଗ୍ରୁପ୍ ଡି ପଦବି ଗୁଡ଼ିକ ଆଉଟସୋର୍ସିଂ ଜରିଆରେ ପୂରଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦିନକୁ ଦିନ ପୁରୀରେ ଭିଡ଼ ବଢ଼ିବାରେ ଲାଗିଛି। ଭିଡ଼ ନିୟନ୍ତ୍ରଣ ଏବେ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଶ୍ରୀମନ୍ଦିରର ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ୍‌ ଗଠନ ଲାଗି ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଘୋଷଣା କରିଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ରଭାବେ ସେମାନଙ୍କୁ ତାଲିମ୍ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର