ଗୋଷ୍ଠୀ ସଂଘର୍ଷ ମାମଲା: କିଣ୍ଡୋ ସମାଜର ପ୍ରତିବାଦ, ସବଡେଗା ବନ୍ଦ

ଶାନ୍ତି କମିଟି ବୈଠକରେ ଶାନ୍ତି ସହମତି

ସୁନ୍ଦରଗଡ଼/ସବଡେଗା: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସବଡେଗାରେ ଗତ ୨୬ ତାରିଖରେ ସଂଘଟିତ ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ ଦୁଇ ପକ୍ଷରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହା ଛଡ଼ା ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ତନାଘନା ଚଲାଇଛି। ଏସ୍ଥିତିରେ ସବଡେଗା କିଣ୍ଡୋ ସମାଜ ଘଟଣାର ପ୍ରତିବାଦ କରି ଭିନ୍ନ ସମ୍ପ୍ରଦାୟର ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଦାବି କରିଛି। ଏହି ଅବସରରେ ସମାଜ ପକ୍ଷରୁ ଶନିବାର ସବଡେଗା ବନ୍ଦ ଡାକରା ଦେଇ ମୁଖ୍ୟ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇ ରାସ୍ତାରୋକରୁ ନିବୃତ୍ତ କରାଇଥିଲେ। କିନ୍ତୁ ସବଡେଗା ବ୍ଲକ୍ ମହକୁମାରର ସମସ୍ତ ଦୋକାନବଜାର ବନ୍ଦ ରହିଥିଲା।

ଏହି ପରିପ୍ରେକ୍ଷିରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ନେଇ ବ୍ଲକ୍ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଶାନ୍ତି କମିଟି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ଉଭୟ ପକ୍ଷ ପୂର୍ବ ଭଳି ଶାନ୍ତି ସହବସ୍ଥାନ ପାଇଁ ସମ୍ମତି ପ୍ରକାଶ କରିଥିଲେ। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ଉଠିବାରୁ ଆକ୍ରମଣସ୍ଥଳକୁ ଲାଗି ରହିଥିବା ଶିଶୁ ମନ୍ଦିର ସିସିଟିଭି କ୍ୟାମେରାରୁ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ, କାହାକୁ ଛଡ଼ାଯିବ ନାରହିଁ ବୋଲି ପୁଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସୁନ୍ଦରଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ହିମାଂଶୁ ବେହେରା, ସବଡେଗା ତହସିଲଦାର ସୁମନ ମିଞ୍ଜ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଉପ ଆରକ୍ଷୀ ଅଧିକ୍ଷକା ଗୁରୁବାରୀ ହେମ୍ରମ ଓ ଦ୍ରୌପଦୀ ଦାସ, ତଳସରା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ସବଡେଗା ପଞ୍ଚାୟତସମିତି ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ପୂର୍ବତନ ପଞ୍ଚାୟତସମିତି ଅଧ୍ୟକ୍ଷ ଗୁଲସନ କୁମାର ବାରୁଆ ରାଶିପତ୍ରାର ମହମ୍ମଦ ନସିର, ମହମ୍ମଦ ନସିରୁଦ୍ଦିନ, ମନୋଜ କୁମାର ପୂର୍ତ୍ତି, ଅମନୁଲ୍ଲା, ମହମ୍ମଦ ଆବାରଖାଁ, ଇମାମଉଦ୍ଦିନ ହୁସେନ, ଗୌତମ ସାହୁ, ମହମ୍ମଦ ଇଜାଜ, ଧରମକାଲ ସାହୁ, ଗୋକୁଳଚନ୍ଦ୍ର ମହାଲିଙ୍ଗ, ନଗେନ୍ଦ୍ର ନାଏକ, ପ୍ରଦ୍ୟୁମ୍ନ ନାଏକ, ଅଜୟ କୁମାର ପଟେଲ, ରବୀନ୍ଦ୍ର ପଟେଲ, ଗଣେଶ ପ୍ରଧାନ, ରବିଚନ୍ଦ୍ର ପଟେଲ, ମନୋଜ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଅଭିଯୋଗ ହୋଇଥିଲା, ଗତ ୨୦ ତାରିଖରେ ରଥଯାତ୍ରା ଦିନ ବର୍ଷା ହେଉଥିବା ବେଳେ ଅଜିତଙ୍କ ସାନ ଭାଇ ସଂଜୟ ସବଡେଗାଠାରେ ଫଇଜାଦେ ରାଜାଙ୍କ ଖେଳଣା ଦୋକାନରେ ଛିଡ଼ା ହୋଇଥିବାରୁ ତାକୁ ଫଇଜାଦେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା। ଅଜିତ ଏହାର ପ୍ରତିବାଦ କରିବାରୁ ସେ ମାଡ଼ପିଟ୍ କରିଥିଲା। ଏହା ପରେ କିଛି ଭଦ୍ର ଲୋକଙ୍କ ହସ୍ତକ୍ଷେପ ପରେ କଥାଟି ସେଇଠି ଥଣ୍ଡା ପଡ଼ି ଯାଇଥିଲା। ୨୮ ତାରିଖ ବାହୁଡ଼ା ଦିନ ଫଇଜାଦେକୁ ଅଜିତ କାହିଁକି ମାଡ଼ପିଟ କଲୁ ବୋଲି ପଚାରିବାରୁ ସେ ଗଣ୍ଡଗୋକଳ ଓ ମାଡ଼ପିଟ କରିଥିଲା। ପୁଲିସ ଆସି ବୁଝାମଣା କରି ଦେଇଥିଲେ। କିନ୍ତୁ କିଛି ସମୟ ପରେ ଫଇଜାଦେ ସହ ରାଶିପତ୍ରାର ସଦାମ ଖାନ, ସାହାଜାହାନ, ମେହେଫୁଜ, ଫିଜନ ସମେତ ୨୫ରୁ ଅଧିକ ଯୁବକ ଆସି ଅଜିତ ଓ ତାଙ୍କ ସାଙ୍ଗ ବିମଳ ମୁଣ୍ଡା, ସୁମିତ ପ୍ରଧାନ, ରିଙ୍କୁ ଦେହୁରୀ, ସଂଜୟ ମାଝୀ, ଅଶ୍ବିନୀ କାହାଲି, ଦୀପୁ ବାଗଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରି, ଭୁଜାଲିରେ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ଅନ୍ୟପଟେ ଫଇଜାଦେ ମଧ୍ୟ ତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଏତଲା ଦେଇଥିଲେ। ବାହୁଡ଼ା ଦିନ ତାଙ୍କ ଖେଳଣା ଦୋକାନକୁ ଅଜିତ ଓ ଧିରେନ ଆସି ଖେଳଣା ମାଗିଥିଲେ। ଫଇଜାଦେ ଟଙ୍କା ମାଗିବାରୁ ଜୟ ଶ୍ରୀରାମ କହିଲେ ଟଙ୍କା ଦେବୁ କହି ଝଗଡ଼ା କରିଥିଲେ। ପରେ ଫଇଜାଦେ ଦୋକାନ ବନ୍ଦ କରି ଯାଉଥିବା ବେଳେ ସବଡେଗା ମେଡିକାଲ ଛକରେ ଅଜିତ, ଧିରେନ ସହ କିଛି ଯୁବକ ତାଙ୍କୁ ଅଟକାଇ ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ। କିନ୍ତୁ ଫଇଜାଦେ ନକହିବାରୁ ଅଜିତ ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କ ଠାରୁ ମୋବାଇଲ୍ ଓ ୮ ହଜାର ଟଙ୍କା ଲୁଟି ନେଇ ଜୀବନରେ ମାରିଦେବାର ଧମକ ଦେଇଥିବା ଫଇଜାଦେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର