ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ଅଞ୍ଚଳରେ ୨ ଦିନ ହେଲା ଶହ ଶହ ସମର୍ଥକ ଓ କର୍ମୀଙ୍କ ସହ ପ୍ରଚାରକୁ ଜୋର୍ କରିଛନ୍ତି ବିଜେଡିର ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ। ମଙ୍ଗଳବାର କନିକା ଅଞ୍ଚଳରେ ଘର ଘର ବୁଲି ଓ ସଭାସମିତି କରି ଭୋଟ ମାଗିଥିବା ଯୋଗେଶ ବୁଧବାର ଡୁଡୁକା, ଗର୍ଜନବାହାଲ ଅଞ୍ଚଳରେ ପ୍ରଚାର କରିଛନ୍ତି। ଅନେକସ୍ଥାନରେ ଘରକୁ ଘର ଯାଇ ଭୋଟରଙ୍କ ସମର୍ଥନ ଲୋଡ଼ିବା ସମୟରେ ବୟସ୍କମାନେ ଯୋଗେଶଙ୍କ ମୁଣ୍ଡରେ ହାତ ଥୋଇ ଆଶୀର୍ବାଦ ଦେଉଥିବା ବେଳେ ମହିଳା ଓ ଯୁବକମାନେ ଉତ୍ସାହର ସହ ଗାଁ ଭିତରକୁ ପାଛୋଟି ନେଉଥିବା ଦେଖିବାକୁ ମିଳିଛି। ବରିଷ୍ଠ ଗୁରୁଜନଙ୍କ ଆଶୀର୍ବାଦ ଓ ଯୁବକ, ମହିଳାଙ୍କ ଉତ୍ସାହ ହିଁ ଏଥର ବିଜୟ ଟିକା ପିନ୍ଧାଇବ ବୋଲି କହିଛନ୍ତି ଯୋଗେଶ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ଯୋଗେଶ ବିଜେପିର ଜୁମୁଲା ବନାମ ନବୀନଙ୍କ ବିକାଶର ଲଢ଼େଇ ସମ୍ପର୍କରେ ଲୋକଙ୍କୁ ବୁଝାଇଛନ୍ତି। ବିଜେପିର ୧୫ ଲକ୍ଷ ଟଙ୍କା, ୨ ଲକ୍ଷ ନିଯୁକ୍ତିର ଦେଖାଦର୍ଶନ ମିଳୁ ନଥିବାବେଳେ ଏବେ ପୁଣି ସେହିପରି ମିଛ ପ୍ରତିଶ୍ରୁତି ଦେଇ ବିଜେପି ଲୋକଙ୍କୁ ଭଣ୍ଡିବାକୁ ଚାଲି ଆସଛନ୍ତି। ଅନ୍ୟପଟେ ବିକାଶ ପୁରୁଷ ନବୀନ ନୂଆ ଓଡ଼ିଶା ତଥା ସୁନ୍ଦରଗଡ଼କୁ ସମୃଦ୍ଧ, ସୁନ୍ଦର କରି ଗଢ଼ିବାରେ ଲାଗି ପଡ଼ିଛନ୍ତି। ନବୀନଙ୍କ ବିକାଶମୂଳକ ପ୍ରକଳ୍ପକୁ ବିଧାୟିକା କୁସୁମ ଟେଟେ ନିଜ ୫ ବର୍ଷର ରିପୋର୍ଟ କାର୍ଡରେ ଉଲ୍ଲେଖ କରି ମିଛ ବାହାବା ନେବାକୁ ଚେଷ୍ଟା କରିଛନ୍ତି ବୋଲି ଯୋଗେଶ ଅଭିଯୋଗ କରିଛନ୍ତି। ଆଗକୁ ଲୋକଙ୍କ ଆଶୀର୍ବାଦରେ ଜିତିଲେ ପ୍ରତି ଗାଁରେ ଆଦର୍ଶ ପୋଖରୀ, ପାଇପ ଯୋଗେ ପ୍ରତି ଘରକୁ ବିଶୁଦ୍ଧ ପାନୀୟଜଳ ଓ ଗାଁରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବାକୁ ସେ ଏକ ନକ୍ସା ପ୍ରସ୍ତୁତ କରି ସାରିଛନ୍ତି ବୋଲି କହିଥିଲେ।
ପ୍ରାର୍ଥୀ ଶ୍ରୀ ସିଂ ହେମଗିର ବ୍ଲକ ସଭାପତି ସୁକାନ୍ତ ପତି, ପୂର୍ବତନ ଜିଲ୍ଲା ପରିଷଦ ଉପ ସଭାପତି କାଶୀନାଥ ରାଉତ, ହେମଗିର ଜମିଦାର ସମରେନ୍ଦ୍ର ସିଂହଦେଓ, ନେତ୍ରୀ ମୈଥିଲୀ ବେହେରା, ପ୍ରକାଶ ବହିଦାର ସମେତ ଅନ୍ୟ କର୍ମକର୍ତ୍ତା ଓ କର୍ମୀଙ୍କ ସହ ହେମଗିର ବ୍ଲକ ଅନ୍ତର୍ଗତ ଡୁଡୁକା, କନକତୁରା , ବଲିଙ୍ଗା ପଞ୍ଚାୟତର ବାଲିଚୁଆଁ, କୁଣ୍ଡରା, ବରପାଲି, କୁଇସିରା, ଗର୍ଜନବାହାଲ, ବାଙ୍ଗୁରକେଲା, ସାହାସପୁର, କିରିପଶିରା, ସାହାସପୁର, କଳାମେଘା କଲୋନୀ, ବିହାଜୋର, ରତା ଖଣ୍ଡି, ମଝାପଡ଼ାଠାରେ ପ୍ରଚାର କରି ଆସନ୍ତା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ଡ. ଦିଲୀପ ତିର୍କି ଓ ସୁନ୍ଦରଗଡ଼ ବିଧାନସଭା ଆସନରେ ତାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଅନୁରୋଧ କରିଥିଲେ।