‘ମହିଆଭାଇ’ଙ୍କ ମହାପ୍ରସ୍ଥାନ

ପୁରୀ: କୋଳାହଳ ଭିତରେ ବି ଆଜି ଶ୍ରୀକ୍ଷେତ୍ରରେ ଛାଇଯାଇଥିଲା ଶୂନ୍ୟତା। ଏ ଶୂନ୍ୟତା ଥିଲା ପୁରୀ ରାଜନୀତିର ମୁକୁଟବିହୀନ ସମ୍ରାଟ ମହେଶ୍ବରଙ୍କ ପାଇଁ। ମହେଶ୍ବରଙ୍କ ବିୟୋଗରେ ଯେମିତି ମୁରବୀଶୂନ୍ୟ ହୋଇଯାଇଥିଲା ସହର। ଶବାଧାର ଯିବା ବେଳେ ଶୁଭୁଥିଲା କେବଳ ଗୋଟିଏ ନାରା ‘ମହିଆ ଭାଇ ଅମର ରହେ’। କିଏ କହୁଥିଲା, ପୁରୀର ବିଶ୍ବକର୍ମା ଚାଲିଗଲେ ତ କେହିକେହି କହୁଥିଲେ, ପୁରୀ ଜଣେ ବାଘକୁ ହରାଇଲା। ରାଜନୀତି ମୈଦାନରେ ଅନେକଙ୍କୁ ଚିତ୍‌ପଟାଙ୍ଗ କରିଦେଇଥିବା ପୁରୀର ଅଦ୍ବିତୀୟ ଜନନେତା ମହେଶ୍ବର ମହାନ୍ତି ଶେଷରେ ଜୀବନଯୁଦ୍ଧରେ ହାରିଗଲେ। ମସ୍ତିଷ୍କାଘାତ କାରଣରୁ ଭୁବନେଶ୍ବର କେୟାର୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପାହାନ୍ତିଆ ପୂର୍ବରୁ ରାତି ୩ଟା ୨୫ ମିନିଟରେ ମୃତ୍ୟୁ ହୋଇଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

ଗତ ଅକ୍ଟୋବର ୩୧ ତାରିଖରେ ସେ ପୁରୀ ସହରରେ ୩ଟି ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ୧ ତାରିଖ ଦିନ ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କେୟାର୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୬ ଦିନ କାଳ ଜୀବନ ମରଣ ସହ ସଂଘର୍ଷ କରିଥିଲେ। ୧୯୫୬ ଫେବ୍ରୁଆରି ୨୬ ତାରିଖରେ ନିମାପଡ଼ା ବ୍ଲକ୍‌ ରେଞ୍ଚ ପଞ୍ଚାୟତସ୍ଥିତ ହରିଶପୁର ଗ୍ରାମରେ ଜନ୍ମିତ ମହେଶ୍ବରଙ୍କ ବାପା ନାରାୟଣ ମହାନ୍ତି ପୁରୀ କୋର୍ଟ ପରିସରରେ ଜଣେ ମୋହରିର ଭାବେ କାର୍ଯ୍ୟରତ ଥିଲେ। ତେଣୁ ମହେଶ୍ବରଙ୍କ ଶୈଶବ ପୁରୀ ସହରରେ ବିତିଥିଲା। ବିଶ୍ବମ୍ଭର ବିଦ୍ୟାପୀଠରେ ହାଇସ୍କୁଲ ଶିକ୍ଷା ଏବଂ ପରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପଢ଼ିଥିଲେ। ଏସ୍‌ସିଏସ୍‌ କଲେଜରେ ସାଧାରଣ ସମ୍ପାଦକ ଭାବେ ସେ ନିର୍ବାଚିତ ହୋଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟରୁ ଏଲ୍‌ଏଲ୍‌ବି ପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଅଧ୍ୟୟନ ସହ ସେଠାରେ ମଧ୍ୟ ନିଜର ବଳିଷ୍ଠ ନେତୃତ୍ବ ପାଇଁ ଓଡ଼ିଆ ସୋସାଇଟିର ସାଧାରଣ ସମ୍ପାଦକ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ପୁରୀ ପୌରପାଳିକାର କାଉନସିଲର୍‌ ନିର୍ବାଚନ ଜିତି ଜନତାଙ୍କ ସେବାରେ ବ୍ରତୀ ହୋଇଥିଲେ। ଦୁଇଥର ପୌରପାଳିକାର ନଗରପାଳ ପଦବି ମଣ୍ଡନ କରିଥିଲେ। ୧୯୯୫ରେ ଜନତା ଦଳରେ ନିର୍ବାଚନ ଲଢ଼ି ବିଧାୟକ ହେଲେ। ପରବର୍ତ୍ତୀ ସମୟରେ ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଟିକଟରେ ବିଧାୟକ ହୋଇ ପୁରୀର ନେତୃତ୍ବ ନେଇଥିଲେ। ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ପଞ୍ଚାୟତିରାଜ, ସଂସ୍କୃତି, ପର୍ଯ୍ୟଟନ, ଆଇନ, ରାଜସ୍ବ ମନ୍ତ୍ରୀ ଭାବେ ବିଭାଗୀୟ ଦାୟିତ୍ବ ତୁଲାଇଥିଲେ। ୨୦୦୪ରୁ ୨୦୦୮ ମସିହା ପର୍ଯ୍ୟନ୍ତ ବାଚସ୍ପତି ପଦ ମଣ୍ଡନ କରି ବିଧାନସଭାରେ ଅନେକ ସଂସ୍କାର ଆଣିଥିଲେ। ୨୦୧୯ ମସିହାରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କଠାରୁ ପରାସ୍ତ ହୋଇଥିଲେ ହେଁ ପ୍ରତ୍ୟକ୍ଷ ରାଜନୀତିରେ ତାଙ୍କର ଦବ୍‌ଦବା କମିନଥିଲା। ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଯାଇ ସଭାସମିତି, ଉତ୍ସବରେ ସାମିଲ୍‌ ହେଉଥିଲେ। ଅସୁସ୍ଥତା ତାଙ୍କୁ କେବେ କୌଣସି ସମାବେଶରେ ଯୋଗଦେବାରେ ପ୍ରତିବନ୍ଧକ ସୃଷ୍ଟି କରିପାରିନଥିଲା। ପୁରୀକୁ କଂଗ୍ରେସ ମୁକ୍ତ କରିବାରେ ମହେଶ୍ବରଙ୍କ ମୁଖ୍ୟ ଭୂମିକା ଥିଲା।

ମୃତ୍ୟୁ ପରେ ତାଙ୍କୁ ହସ୍ପିଟାଲରୁ ଶଙ୍ଖଭବନ ଓ ବିଧାନସଭାକୁ ନିଆଯାଇଥିଲା। ସେଠାରୁ ମରଶରୀର ପୁରୀ କୁମୁଟିସାହିସ୍ଥିତ ୬୧-ଏଚ୍‌ ୧୬ ନମ୍ବର ବାସଭବନକୁ ଆସିଥିଲା। ମରଶରୀର କୋକେଇରେ ସାହି ପରିକ୍ରମା କରିବା ପରେ ପୁରୀ ବିଜେଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ଦଳମତ ନିର୍ବିଶେଷରେ ବହୁ ବରିଷ୍ଠ ମନ୍ତ୍ରୀ, ବିଧାୟକ, ନେତା, ପ୍ରଶାସକ, ଜନତା ତାଙ୍କ କୁମୁଟିପାଟଣାସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ମରଶରୀର ନିକଟରେ ତାଙ୍କ ଭାଇ, ପତ୍ନୀ ବିଷ୍ଣୁପ୍ରିୟା ମହାନ୍ତି, ପୁଅ ସୁନୀଲ ମହାନ୍ତି, ଅନିଲ ମହାନ୍ତିଙ୍କ ସମେତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ। ପୁରୀ ବିଜେଡି କାର୍ଯ୍ୟାଳୟରୁ ମରଶରୀରକୁ ସ୍ବର୍ଗଦ୍ବାର ନିଆଯାଇଥିଲା। ସ୍ବର୍ଗଦ୍ବାରରେ ମଧ୍ୟ ବହୁ ବରିଷ୍ଠ ନେତୃବୃନ୍ଦ ପହଞ୍ଚି ତାଙ୍କର ଶେଷଦର୍ଶନ କରିଥିଲେ। ତୋପ ସଲାମୀ ଦିଆଯିବା ପରେ ଶେଷକୃତ୍ୟ କରାଯାଇଥିଲା। ବଡ଼ପୁଅ ସୁନୀଲ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର