ନୟାଗଡ଼ରେ ଖସୁଛି ନଦୀ ଜଳସ୍ତର: ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲା ଜିଲ୍ଲା ପ୍ରଶାସନ

ନଦୀବନ୍ଧ ନ ଥିବାରୁ ପ୍ରତିବର୍ଷ ଗଣିଆବାସୀ ହୀନସ୍ତା

ନୟାଗଡ଼/ ଗଣିଆ/ କଣ୍ଟିଲୋ: ଦୁଇ ଦିନ ଧରି ଲଗାଣ ବର୍ଷ ପାଇଁ ରାଜ୍ୟର ବିଭିନ୍ନ ନଦୀ‌ରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲାର ମହାନଦୀ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ପାଣି ମାଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ବେଳେ, ଆଜି ଧୀରେ ଧୀରେ ପରିସ୍ଥିତି ସୁଧୁରୁଥିବା, ବିଭିନ୍ନ ସ୍ଥାନରେ ଜଳସ୍ତର ଧୀରେ ଧୀରେ ଖସୁଥିବା ଦେଖାଯାଇଛି। ଫଳରେ ଲୋକଙ୍କ ମନରୁ ବନ୍ୟାଭୟ ଦୂର ହୋଇଛି, କିନ୍ତୁ ଯାତାୟାତ ସ୍ବାଭାବିକ ହୋଇପାରିନାହିଁ। ଏଭଳି ସ୍ଥିତିରେ ଦୁଇଦିନର ଲଗାଣ ବର୍ଷା ବନ୍ଦ ହୋଇଯାଇଥିବାରୁ ଜିଲ୍ଲାର ପରିସ୍ଥିତି ସୁଧୁରିଛି। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଜଳସମ୍ପଦ ବିଭାଗର ଅଧିକାରୀ ଗଣିଆ, କଣ୍ଟିଲୋ, ଭାପୁର ଅଞ୍ଚଳ ଆଦି ପରିଦର୍ଶନ କରିଛନ୍ତି। ଗଣିଆର ମଣିଭଦ୍ରା ଗେଜ୍‌ ପଏଣ୍ଟ୍‌ଠାରେ ଗତକାଲି ୬.୭୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ, ଆଜି ୬.୬୦ ମିଟରରେ ଜଳ ପ୍ରବାହିତ ହେଉଛି। ଗଣିଆ-ଛାମୁଣ୍ଡିଆ ରାସ୍ତାରେ ଗତକାଲି ରାତିରେ ପ୍ରାୟ ୮ ଫୁଟ୍‌ ଉଚ୍ଚର ପାଣି ଚାଲୁଥିବା ବେଳେ, ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ର‌ାୟ ୪ରୁ ୫ ଫୁଟ୍‌ ଉଚ୍ଚର ପାଣି ଚାଲୁଛି।

ରାସଙ୍ଗ ଅଞ୍ଚଳକୁ ଲୋକ ବୋଟ୍‌ ଯୋଗେ ଯିବାଆସିବା କରୁଥିବା ବେଳେ, ଆଜି ବୋଟ୍‌ ହଟାଇ ଦିଆଯାଇଛି। ବିଭିନ୍ନ କାରଣରୁ ଏଠାରେ ନଦୀବନ୍ଧ ନିର୍ମାଣ ବନ୍ଦ ହୋଇପଡ଼ିଥିବାରୁ ପ୍ରତିବର୍ଷ ଉକ୍ତ ରାସ୍ତା ମହାନଦୀ ବଢ଼ିରେ ଲୀନ ହେଉଥିବା ଦେଖାଯାଇଛି। ପ୍ରଶାସନ ହେଉ ବା ଜନ ପ୍ରତିନିଧି ‌କେହି ବି ଏଠାକାର ଅଧପନ୍ତରିଆ ନଦୀବନ୍ଧ ପୁନଃ ଆରମ୍ଭ କରିବାକୁ ଗୁରୁତ୍ବ ଦେଉନାହାନ୍ତି। ଫଳରେ ଗଣିଆ ବ୍ଲକ୍‌ର ୪ ପଞ୍ଚାୟତବାସୀ ପ୍ରତିବର୍ଷ ହୀନସ୍ତା ହେଉଛନ୍ତି।
ଗଣିଆ-ଛାମୁଣ୍ଡିଆ ରାସ୍ତାରେ ଏବେବି ସଂପୂର୍ଣ୍ଣ ବଢ଼ି ପାଣି ଛାଡ଼ିନଥିବାରୁ ଛାମୁଣ୍ଡିଆ, ବଡ଼ସିଲିଙ୍ଗା, ରାସଙ୍ଗ, ବେଲପଡ଼ା ପଞ୍ଚାୟତର ପ୍ରାୟ ୫୭ ଗ୍ରାମର ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ ହୋଇପାରିନାହିଁ। ଗଣିଆର କିଶୋରପ୍ରସାଦ, ରାସଙ୍ଗ ଆଦି ଅଞ୍ଚଳ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ପରିଦର୍ଶନ କରିଛନ୍ତି, ତାଙ୍କ ସହିତ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବିଡିଓ ଖଗେଶ୍ବର ପାତ୍ର, ତହସିଲଦାର କିଶୋର କୁମାର ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଝୁନା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି କଣ୍ଟିଲୋ ମହାନଦୀ ଗେଜ୍‌ ପଏଣ୍ଟ୍‌ରେ ଗତକାଲି ୪୫.୭୦ ମିଟରରେ ଜଳ ପ୍ରବାହିତ ହେଉଥିବା ବେଳେ, ଆଜି ୪୫.୫୦ ମିଟର ଜଳ ପ୍ରବାହିତ ହେଉଛି। ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେବାର ଆଶା କରାଯାଉଛି। ଭାପୁରର କରବର, ମାଣିତ୍ରୀ, ମଣିପୁର ଅଞ୍ଚଳ ପାଣିଘେରରେ ଥିବା ବେଳେ ଏହି ଅଞ୍ଚଳ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧିତ ଖବର