ଇତିହାସରେ ମାଇଲ୍‌ଖୁଣ୍ଟ ହୋଇରହିବ: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ

ସମ୍ମିଳନୀର ପ୍ରସ୍ତାବ ଉପରେ ନୀତିଗତ ନିଷ୍ପତ୍ତି ବିଧାନସଭାରେ ‌ଘୋଷିତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। ଏହି ମର୍ମରେ ଓଡ଼ିଆ ଭାଷାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ରାଜ୍ୟ ସରକାର ଆୟୋଜନ କରିଥିବା ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଗାଁରୁ ସହର ହେଉ କି ରାଜ୍ୟରୁ ‌‌ଦେଶ ଓ ବିଦେଶ ହେଉ, ଭାଷା ପାଇଁ ପ୍ରତିଟି ଓଡ଼ିଆ ଯୋଡ଼ି ହୋଇଛନ୍ତି। ତିନି ଦିନ ଧରି ଶତାଧିକ ଭାଷାବିତ୍‌, ଗବେଷକ ଓ ବିଦ୍ବାନ ଯୋଗଦେଇ ଓଡ଼ିଆ ଭାଷା ସମ୍ପର୍କରେ କରିଛନ୍ତି ସାରଗର୍ଭକ ଆଲୋଚନା। ଆଜି ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋ‌ଗଦେଇ ଓଡ଼ିଆ ଭାଷା ପ୍ରତି ରହିଥିବା ଆନ୍ତରିକତାକୁ ଦର୍ଶାଇଛନ୍ତି। ଏହି ତିନି ଦିନ ଧରି ଆଲୋଚନା ବେଳେ ଓଡ଼ିଆ ଭାଷା ସମ୍ପର୍କରେ ଖୁବ୍‌ ଭଲ ଭଲ ପ୍ରସ୍ତାବ ଆସିଛି। ଯେହେତୁ ବର୍ତ୍ତମାନ ବିଧାନସଭା ଚାଲିଛି, ତେଣୁ ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ମୁଁ ବିଧାନସଭାରେ ଘୋଷଣା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ମିଳନୀର ପ୍ରସ୍ତାବ ଉପରେ
ନୀତିଗତ ନିଷ୍ପତ୍ତି ବିଧାନସଭାରେ ‌ଘୋଷିତ ହେବ: ମୁଖ୍ୟମନ୍ତ୍ରୀ
ପ୍ରତି ୫ ବର୍ଷରେ ଥରେ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ
ସମ୍ମିଳନୀର ପ୍ରଦର୍ଶନୀ ସମୟସୀମା
ଆଉ ୩ ଦିନ ବଢ଼ିଲା
ଟେକ୍‌ନୋଲୋଜି ସହିତ ଭାଷାକୁ ସମନ୍ବିତ କରିବା ଆବଶ୍ୟକ
ଓଡ଼ିଆ ଶବ୍ଦଭଣ୍ଡାରକୁ ସମୃଦ୍ଧ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯୁଗ ଯୁଗ ଧରି ଓଡ଼ିଆ ଜାତିର ପରିଚୟକୁ ଓଡ଼ିଆ ଭାଷା ଆଗକୁ ନେଇଛି। ଆଜିର ମହାର୍ଘ ଅବସରରେ ଓଡ଼ିଆରେ ନୂଆ ନୂଆ ଶବ୍ଦ ମାଧ୍ୟମରେ ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା ଲାଗି ଉଦ୍ୟମ ଜାରି ରହିବା ଆବଶ୍ୟକ। ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ରହିଛି। ତେଣୁ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପ୍ୟୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ଼ ଆହ୍ବାନ। ତେଣୁ ଓଡ଼ିଆ ଭାଷାକୁ ଏହା ସହିତ ସମନ୍ବିତ କରିବାକୁ ପଡ଼ିବ। ଯୁବ ସମାଜକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ଆଶା କରୁଛି ଓଡ଼ିଆ ଭାଷା ଆମ ଯୁବପିଢ଼ିର ଭାଷା ହେବ। ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।’ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓଡ଼ିଆ ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ୍‌ଖୁଣ୍ଟ ହୋଇ ରହିବ। ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡ଼ିଆଙ୍କୁ ସେ ହୃଦୟରୁ ଧନ୍ୟବାଦ ଦେଇ ଘୋଷଣା କରିଥିଲେ ଯେ ଭାଷା ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ। ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଏକାଠି ହେବା। ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେବା ପାଇଁ ମତ ବିନିମୟ କରିବା। ସମ୍ମିଳନୀ ଅବସରରେ ଆୟୋଜିତ ପ୍ରଦର୍ଶନୀ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ସେ ଘୋଷଣା କରିଥିଲେ। ଶେଷରେ ପୁରସ୍କାର ପାଇଥିବା ସବୁ ପ୍ରତିଭା ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ବାରା ପ୍ରକାଶିତ ଶ୍ରୀ ଜଗନ୍ନାଥ: ଲର୍ଡ ଅଫ୍‌ ୟୁନିଭର୍ସ। ଦ୍ବିତୀୟ ପୁସ୍ତକଟି ହେଉଛି ଓଡ଼ିଆ: ଜର୍ଣ୍ଣି ଅଫ୍‌ ଏ ଲାଙ୍ଗୁଏଜ୍‌। ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ବାରା ରଚିତ ହୋଇଛି। ତୃତୀୟରେ ମ୍ୟାଜିକାଲ୍‌ ଟଲସ୍‌ ଫ୍ରମ୍ ଓଡ଼ିଶା ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ। ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି। କାର୍ଯ୍ୟକ୍ରମରେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରେଭେନ୍‌ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ସନ୍ଧ୍ୟାରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ପରିବେଷଣ ହୋଇଥିଲା। ଆଜି ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ, ସାଧାରଣ ଲୋକ ଓ ଗବେଷକ ସମ୍ମିଳନୀ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର