ସରିଲା ଟ୍ରାଏଲ୍‌ ରନ୍‌୨,୪ରୁ ଚାଲିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ରାଉରକେଲା: ନୂଆଁଖାଇରେ ପଶ୍ଚିମାଞ୍ଚଳବାସୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି। ଆସନ୍ତା ୨୪ରୁ ପୁରୀ-ରାଉରକେଲା ମଧ୍ୟରେ ଚାଲିବ ଅତ୍ୟାଧୁନିକ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଆଭାସି ଜରିଆରେ ପୁରୀ-ରାଉରକେଲା ସମେତ ଦେଶର ବିଭିନ୍ନ ରାଜ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଉଦ୍‌ଘାଟନ କରିବେ। ଆଜି ପୁରୀ-ରାଉରକେଲା ମଧ୍ୟରେ ଟ୍ରାଏଲ ରନ୍‌ ସଫଳ ହୋଇଛି। ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ସକାଳ ୫ଟାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀ ଷ୍ଟେସନ ଛାଡ଼ିଥିଲା। ରାଉରକେଲା ଷ୍ଟେସନରେ ନିର୍ଦ୍ଧାରିତ ସମୟର ୧୫ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଅପରାହ୍ନ ସାଢ଼େ ୧୨ଟାରେ ପହଞ୍ଚିଥିଲା। ପ୍ରାୟ ୧ଘଣ୍ଟା ୪୦ ମିନିଟ୍‌ ରହିବା ପରେ ଅପରାହ୍ନ ୨ଟା ୧୦ରେ ରାଉରକେଲା ଷ୍ଟେସନ ଛାଡ଼ିଥିଲା। ରାଉରକେଲା ଷ୍ଟେସନରେ ବିଜେପିର ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟଙ୍କ ସମେତ ବହୁ ନେତା ଓ କର୍ମୀମାନେ ପତାକା ହଲାଇ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ସ୍ବାଗତ କରିଥିଲେ। ବିଭିନ୍ନ ରେଳ ସଙ୍ଗଠନର କର୍ମକର୍ତ୍ତାମାନେ ଟ୍ରେନ୍‌କୁ ସ୍ବାଗତ କରିବା ସହ ଆଗାମୀ ଦିନରେ ରାଉରକେଲାବାସୀ ଶ୍ରୀକ୍ଷେତ୍ର ପୁରୀ ଯିବାରେ ବେଶ୍‌ ଉପକୃତ ହେବ। ଆରାମଦାୟକ ଯାତ୍ରା ଅନୁଭବ କରିବେ। ସେପଟେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିବା ମାତ୍ରେ ଟ୍ରେନ୍‌ ଦେଖିବାକୁ ଯାତ୍ରୀଙ୍କ ଭିଡ଼ ଜମିଥିଲା। ଟ୍ରେନ୍‌ ଭିତରେ ଓ ବାହାରେ ସେଲ୍‌ଫି ନେବାକୁ ସହରବାସୀ ଓ ଯାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଥିବା ଦେଖିବାକୁ ମିଳିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ୍‌ ଅପରାହ୍ନ ୨ଟା ୧୦ ମିନିଟ୍‌ରେ ରାଉରକେଲା‌ ଷ୍ଟେସନ ଛାଡି ରାତି ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା।

ପୁରୀ-ରାଉର‌କେଲା‌ ମଧ୍ୟରେ ମୋଟ ୧୦ଟି ଷ୍ଟେସନ ପୁରୀ, ଖୋର୍ଦ୍ଧାରୋଡ, ଭୁବନେଶ୍ବର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡ଼ା ଓ ଶେଷରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍‌ ସେଥି ପାଇଁ ୭ ଘଣ୍ଟା ୪୫ ମିନିଟ୍‌ ନେବ। ଟ୍ରାଏଲ ରନ୍‌ ବେଳେ ଟ୍ରେନ୍‌ଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ରହିଥିଲା। ପରୀକ୍ଷାମୂଳକ ରନିଂ ପାଇଁ ପ୍ରକାଶିତ ସାରଣୀ ଅନୁଯାୟୀ ୨୦୮୩୬ (ପୁରୀ-ରାଉରକେଲା) ବନ୍ଦେ ଭାରତ ଏକ୍ସପ୍ରେସ୍‌ ସକାଳ ପ୍ରାୟ ୫ଟାରେ ପୁରୀ ଷ୍ଟେସନ ଛାଡ଼ିଥିଲା। ୫ଟା ୪୨ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୬ଟା ୪ ମିନିଟ୍‌ରେ ଭୁବନେଶ୍ବର, ୬ଟା ୩୪ ମିନିଟ୍‌ରେ କଟକ ଷ୍ଟେସନରେ ପହଞ୍ଚିଥିଲା। ସେମିତି ସକାଳ ୭ଟା ୨୪ ମିନିଟ୍‌ରେ ​ଢେଙ୍କାନାଳ, ୮ଟା ୧୪ ମିନିଟ୍‌ରେ ଅନୁଗୁଳ, ୧୦ଟା ୧୮ ମିନିଟ୍‌ରେ ସମ୍ବଲପୁର ସିଟି, ୧୧ଟା ୨୩ ମିନିଟ୍‌ରେ ଝାରସୁଗୁଡ଼ା, ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ପୁଣି ରାଉରକେଲା ଷ୍ଟେସନରୁ ଅପରାହ୍ନ ୨ଟା ୧୦ ମିନିଟ୍‌ରେ ପୁରୀ ଅଭିମୁଖେ ବାହାରିଥିଲା। ଅପରାହ୍ନ ୩ଟା ୨୩ ମିନିଟ୍‌ରେ ଝାରସୁଗୁଡ଼ା, ୪ଟା ୩ ମିନିଟ୍‌ରେ ସମ୍ବଲପୁର ସିଟି, ସଂଧ୍ୟା ୬ଟା ୧୪ ମିନିଟ୍‌ରେ ଅନୁଗୁଳ ଷ୍ଟେସନରେ ପହଞ୍ଚିଥିଲା। ୬ଟା ୫୪ ମିନିଟ୍‌ରେ ଢେଙ୍କାନାଳ, ୭ଟା ୪୨ ମିନିଟ୍‌ରେ କଟକ, ରାତି ୮ଟା ୧୫ ମିନିଟ୍‌ରେ ଭୁବନେଶ୍ବର, ୮ଟା ୩୭ ମିନିଟ୍‌ରେ ଖୋର୍ଦ୍ଧାରୋଡ୍‌, ୯ଟା ୪୦ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲା। ଶନିବାର ବ୍ୟତୀତ ସପ୍ତାହର ବାକି ୬ ଦିନ ଏହି ଟ୍ରେନ୍‌ ଚାଲିବ। ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ପୁରୀ-ତାଳଚେର ରୋଡ଼ ମଧ୍ୟରେ ପ୍ରଥମ ଟ୍ରାଏଲ ରନ୍‌ ହୋଇଥିଲା। ପୂବାହ୍ନ ସାଢ଼େ ୯ଟାରେ ପୁରୀ ଷ୍ଟେସନ ଛାଡ଼ି ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ତାଳଚେର ରୋଡ଼ରେ ପହଞ୍ଚିଥିଲା। ଅପରାହ୍ନ ୧ଟା ୫ ମିନିଟ୍‌ରେ ତାଳଚେର ଷ୍ଟେସନ ଛାଡ଼ି ସଂଧ୍ୟା ୫ଟା ୨୦ ମିନିଟ୍‌ରେ ପୁରୀରେ ପହଞ୍ଚିଥିଲା।

ସମ୍ବନ୍ଧିତ ଖବର